ଗୁରୁଦେବଜୀ ମିଶନ ସୁରକ୍ଷା ଢେଙ୍କାନାଳ ପକ୍ଷରୁ ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ଅପରାହ୍ନରେ କରୋନା ମହାମାରୀ କଟକଣା ନିୟମକୁ ମାନି ଗୁରୁଦେବଜୀ ମିଶନ ସୁରକ୍ଷା ଢେଙ୍କାନାଳ ପକ୍ଷରୁ ଏହାର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁ ଶିଷ୍ୟ ସମ୍ପର୍କକୁ ଉଜ୍ଜୀବିତ କରିବା ପାଇଁ ଏକ ନିଆରା ଢଙ୍ଗରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଅବସରପ୍ରାପ୍ତ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆ, ପ୍ରାକ୍ତନ ବରିଷ୍ଠ ସଂସ୍କୃତ ଶିକ୍ଷକ ପଣ୍ଡିତ ମାୟାଧର ନାୟକ ଓ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷିକା ଗୀତାଞ୍ଜଳି ମିଶ୍ରଙ୍କୁ ସେମାନଙ୍କର ବାସଗୃହକୁ ଯାଇ ସେମାନଙ୍କର ତାପମାତ୍ରା ମାପିବା ସଂଗେ ସଂଗେ ଗୁରୁଦେବଜୀ ମିଶନ ସୁରକ୍ଷାର ଉପଦେଷ୍ଟା ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର, ଗୁରୁଦେବଜୀ ମିଶନ ସୁରକ୍ଷାର ପ୍ରତିଷ୍ଠାତା ଇଂ.ମାଷ୍ଟର ସୌମ୍ୟବ୍ରତ ସାହୁ, କାର୍ଯ୍ୟକାରୀ କମିଟି ସଭ୍ୟ ବିଜ୍ଞାନ ମହାନ୍ତି ଓ ଅନ୍ୟାନ୍ୟ ପ୍ରଶିକ୍ଷକ-ଛାତ୍ର ଇନ୍ଦ୍ରଜିତ ସାହୁ ସୌଭାଗ୍ୟ ବରାଳ ଚନ୍ଦନ, ପୁଷ୍ପ,ଉତ୍ତରୀୟ ଓ ମିଷ୍ଟକ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ଗୁରୁଜୀ ଗୁରୁମାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଗୁରୁଜୀ ଗୁରୁମା ମାନେ ନିଜର ସ୍ନେହର ଛାତ୍ରମାନଙ୍କୁ ମିଷ୍ଟକ ପ୍ରଦାନ ପୂର୍ବକ ପ୍ରତ୍ୟୁତ୍ତରରେ ଏଭଳି ଗୁରୁଭକ୍ତି ପ୍ରଦର୍ଶନରେ ସେମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସଂଗେ ସଂଗେ ପ୍ରିୟ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ଵୀୟ ଆଶୀର୍ବଚନ ପ୍ରଦାନ ଅବସରରେରେ ଓଡ଼ିଆ, ହିନ୍ଦୀ, ସଂସ୍କୃତ ଓ ଇଂରାଜୀ ଭାଷାରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବୈଦିକ ଯୁଗରୁ ଆରମ୍ଭକରି ଆଧୁନିକ ଯୁଗ ପର୍ଯ୍ୟନ୍ତ ପବିତ୍ର ଗୁରୁ ଶିଷ୍ୟ ସମ୍ପର୍କ ମାଧ୍ୟମରେ ଶ୍ରଦ୍ଧାବାନ ହୋଇ ଗୁରୁଙ୍କଠାରୁ ଉପଯୁକ୍ତ ଜ୍ଞାନ ଲାଭ କରି ଜୀବନରେ ଆଦର୍ଶ ସଫଳ ମଣିଷ ପରି ମଣିଷ ହେବାକୁ ସୁପରାମର୍ଶ ଓ ଉଚିତ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।