ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ପୋଖରୀ ସଫେଇ କାର୍ଯ୍ୟକ୍ରମ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଦିନ ଥିଲା ଜିଲ୍ଲାର ପ୍ରମୁଖ ଐତିହାସିକ ଭାଗିରଥି ସାଗରକୁ ସ୍ଥାନୀୟ ଅଞ୍ଚଳର ଗଙ୍ଗା କୁହାଯାଉଥିଲା l ଅଷ୍ଟାଦଶ ଶତାବ୍ଦୀରେ ଢେଙ୍କାନାଳ ଗଡ଼ର ତତ୍କାଳୀନ ଶାସକ ମହାରାଜା ଭାଗିରଥ ମହେନ୍ଦ୍ର ବାହାଦୁର ସହରବାସୀଙ୍କ ସହୁଲିଅତ ପାଇଁ ସହରର ମଧ୍ୟ ଭାଗରେ ୨୬ ଏକର ବିଶିଷ୍ଟ ଏକ ଜଳାଶୟ ଖନନ କରିଥିଲେ l କାଳକ୍ରମେ ତାଙ୍କରି ନାମରେ ଏହି ଜଳାଶୟଟି ଭାଗିରଥି ସାଗର ଭାବେ ନାମିତ କରାଯାଇଥିଲା l ଶ୍ରୀ ମଦନମୋହନଜୀୟୁ ସୁପ୍ରସିଦ୍ଧ ଚନ୍ଦନ ଯାତ୍ରା ଠାରୁ ଆରମ୍ଭ ହୋଇ ବୋଇତ ବନ୍ଦାଣ ଆଦି କାର୍ଯ୍ୟକ୍ରମ ଏହିଠାରେ ହିଁ କରାଯାଏ l ରାଜାଙ୍କ ପରେ ପୋଖରୀର ଦାୟିତ୍ୱ ଢେଙ୍କାନାଳ ପୌରପାଳିକା ଉପରେ ନ୍ୟସ୍ତ କରାଗଲା l ବିଡ଼ମ୍ବନାର ବିଷୟ, ବର୍ତ୍ତମାନ ପୋଖରୀର ଅବସ୍ଥା ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି l ପଦ୍ମଦଳ ଓ ପଙ୍କ ସଫା ହେଉନାହିଁ l ଯେଉଁ କାରଣରୁ ଚଳିତବର୍ଷ ଠାକୁରଙ୍କ ଚାପଖେଳ ବାଧାପ୍ରାପ୍ତ ହୋଇଛି l କେବଳ ସେତିକି ନୁହେଁ ପୋଖରୀର ଚାରିପାଖରେ ଲୋକମାନେ ଅଳିଆ ଆବର୍ଜନା ଆଣି ଗଦା କରୁଥିବାରୁ ପୋଖରୀର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହୋଇ ସାରିଲାଣି l ଏହାର ରକ୍ଷଣାବେକ୍ଷଣ ଠିକରେ ନଥିବାରୁ ଏହି ଐତିହାସିକ ଭାଗିରଥି ସାଗରଟି ଧୀରେ ଧୀରେ ପୋତି ହେବାକୁ ବସିଲାଣି l ଏହି ପରିପ୍ରେକ୍ଷୀରେ ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ତାଇକୋଣ୍ଡ ପ୍ରଶିକ୍ଷକ ଇଂ ସୌମ୍ୟବ୍ରତ ସାହୁ, ସଦସ୍ୟ ଇନ୍ଦ୍ରଜିତ ସାହୁ ଓ ଅମିତାଭ ପ୍ରଧାନ ପ୍ରମୁଖ ପୋଖରୀର ଭାଗିରଥି ବିହାର ନିକଟସ୍ଥ ମଙ୍ଗଳା ମନ୍ଦିର ପାର୍ଶ୍ୱର ପଡି ରହିଥିବା ଅଳିଆ ଆବର୍ଜନା ଯଥା ପଲିଥିନ ଜରି, ବସ୍ତା, କାଚ ବୋତଲ, ପୂଜା ସାମଗ୍ରୀ, ସୋଲ ଓ ଅନ୍ୟାନ୍ୟ ଆବର୍ଜନା ସଫା କରିଥିଲେ l ଫାଉଣ୍ଡେସନ ପକ୍ଷରୁ ସମାଜସେବାକୁ ଗୁରୁତ୍ୱ ଭାବେ ଗ୍ରହଣ କରି ରକ୍ତଦାନ ଶିବିର, ବୃକ୍ଷ ରୋପଣ, କରୋନା ସଚେତନତା କାର୍ଯ୍ୟକ୍ରମ, ବୁଲା ଗୋରୁଗାଈ ଓ କୁକୁରଙ୍କୁ ଖାଦ୍ୟ ବଣ୍ଟନ, ମିଶନ ସୁରକ୍ଷା କାର୍ଯ୍ୟକ୍ରମରେ ଆତ୍ମ ରକ୍ଷା କୌଶଳ, ସେବା ଯୋଗାଇବାରେ ସହଯୋଗ କରିବା କରିଆସୁଛନ୍ତି । ପ୍ରଥମେ ଲୋକେ ସଚେତନ ହେବା ଆବଶ୍ୟକ ଓ ଅଞ୍ଚଳର ଉତ୍ସାହୀ ଯୁବକମାନେ ନିଜ ଉଦ୍ୟମରେ କିଛି କିଛି ଅଳିଆ ଆବର୍ଜନା ସଫାକଲେ ପୋଖରୀର ସୌନ୍ଦର୍ଯ୍ୟ ବୃଦ୍ଧି ହେବ ଏହା ସହ ପୋଖରୀରେ କୌଣସି ଅଳିଆ ଆବର୍ଜନା ନ ପକାଇବା ପାଇଁ ଅଞ୍ଚଳ ବାସୀଙ୍କୁ ନିବେଦନ କରିବା ସହିତ ଆମେ ଚାହିଁଲେ ଆମ ପରିବେଶ ସୁନ୍ଦର ରହିବ ବୋଲି ଅନୁଷ୍ଠାନର ଅଧକ୍ଷ ଶ୍ରୀ ସାହୁ କହିଛନ୍ତି l