ଗରିବ ମେଧାବୀ ଛାତ୍ରୀର ଉଚ୍ଚ ଶିକ୍ଷାଲାଗି ସହାୟତା ଯୋଗାଇଦେବାକୁ ସାଂସଦଙ୍କ ପ୍ରତିଶୃତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବଣ ମଲ୍ଲି ବଣରେ ଫୁଟି ମଉଳି ଯାଏ ହେଲେ ତାର ବାସ୍ନା ବିକଶିତ ହୋଇ ପାରେ ନାହିଁ । ଗ୍ରାମାଂଚଳର ବହୁ ବେଧାବୀ ଛାତ୍ରୀ/ଛାତ୍ରମାନେ ଆର୍ଥିକ ଅଭାବରୁ ଉଚ୍ଚ ଶିକ୍ଷା ଲାଗି ବଂଚିତ ହୋଇଥାନ୍ତି । ଜଳେଶ୍ୱର ବ୍ଲକର ଉପାନ୍ତ ନଛିମପୁର ପଂଚାୟତର ସେହି ଗାଁର ସୁଶାନ୍ତ ଗିରିଙ୍କ କନ୍ୟା ସାବିତ୍ରୀ ଗିରି ସେଥିମଧ୍ୟରୁ ଅନ୍ୟତମ । ଜଳେଶ୍ୱର ମହିଳା ମହାବିଦ୍ୟାଳୟରେ +୨ କଳା ବିଷୟରେ ବାଲେଶ୍ୱର ଜିଲାରେ ୨ୟ ସର୍ବାଧିକ ଓ ଜଳେଶ୍‌ବର ବ୍ଲକରେ ସର୍ବାଧିକ ୫୧୭ ନଂ ରଖି ସେ ଟପ୍ପର ହୋଇଥିଲେ । କିନ୍ତୁ ଘରେ ରୋଗୀଣା ମା ଶର୍ଯ୍ୟାସାୟୀ ଥିବା ବେଳେ ନିଜକୁ ଘରୋଇ କାର୍ଯ୍ୟରେ ସାମିଲ କରିଥିଲେ । ଫଳରେ ଉଚ୍ଚ ଶିକ୍ଷାରେ ଡୋରୀବନ୍ଧା ହୋଇ ଯାଇଛି । ଘରର ଆର୍ଥିକ ବୋଝକୁ ସମ୍ଭାଳିବାଲାଗିବାପା ସୁଶାନ୍ତ ଗିରି ମୁଢି ମସଲା ବିକ୍ରି କରିଆସୁଥିବା ବେଳେ ସାବିତ୍ରୀ ତାଙ୍କୁ ସହାୟତା କରିଆସୁଛନ୍ତି । ଶିକ୍ଷାଲାଭ ବେଳେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଚଳିତବର୍ଷ +୩ ସହିତ ସମନ୍ନିତ ଶିକ୍ଷକ ଶିକ୍ଷା ଲାଗି ଆଥିକ ସହାୟତା ଯୋଗାଇବାକୁ ସେ ବାଲେଶ୍ୱର ସାଂସଦ ପ୍ରତାପ ଷଢଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗତ ଶୁକ୍ରବାର ସଂଧ୍ୟାରେ ଶ୍ରୀଯୁକ୍ତ ଷଢଙ୍ଗୀ ଓ ବାଲେଶ୍ୱର ଜିଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ଓ ଅନ୍ୟ କେତେକ ନେତୃବର୍ଗ ସାବିତ୍ରୀଙ୍କ ଘରକୁ ଯାଇ ତାର ଶିକ୍ଷାଲାଭ ଲାଗି ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଶ୍ରୀଯୁକ୍ତ ଷଢଙ୍ଗୀ ତାଙ୍କୁ ୫ହଜାର ଟଙ୍କା ମଧ୍ୟ ସହାୟତା କରିଥିବା ଜଣାଯାଇଛି । ସାଂସଦଙ୍କ ଏପରି ମହତ୍‌କାର୍ଯ୍ୟକୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା