ଗରିବଙ୍କୁ ଘର : ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ …

ଭୁବନେଶ୍ବର(ସମୃଦ୍ଧ ଓଡିଶା)ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନାକୁ ସ୍ବାଗତ କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ୍ କୁମାର ରାଉତରାୟ। କଂଗ୍ରେସ ବିଧାୟକ ସୁରେଶ୍ କୁମାର ରାଉତରାୟ ସବୁବେଳେ ବାସ୍ତବ କଥା କହିଥାନ୍ତି । ସେଥିପାଇଁ ସେ ସମସ୍ତଙ୍କ ପ୍ରିୟପାତ୍ର ବି ହୋଇଥାନ୍ତି । ଗତକାଲି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ପଦକ୍ଷେପ ଗୁଡିକୁ ସେ ସମର୍ଥନ କରିଛନ୍ତି।ଗରିବଙ୍କୁ ଘର ଯୋଗାଇ ଦେବା ପାଇଁ ନବୀନ ପଟ୍ଟନାୟକ ଉଚିତ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି । ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଟ କଂଗ୍ରେସ ନେତା ବିଧାୟକ ସୁର ରାଉତରାୟ କହିଛନ୍ତି।  ଆବାସ ଯୋଜନାରେ ଓଡ଼ିଶାର ଗରିବ ଲୋକଙ୍କୁ କେନ୍ଦ୍ର ଘର ଦେଲା ନାହିଁ । କେନ୍ଦ୍ର ସରକାର ଗରିବ ମାରଣା ନୀତି ଆପଣାଇଛନ୍ତି । ଓଡ଼ିଶା ପ୍ରତି କେନ୍ଦ୍ର ତାର ଅବହେଳା ଜାରୀ ରଖିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚିତ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଆବାସ ଯୋଜନାରେ କୋଟି କୋଟି ଟଙ୍କା ରାଜ୍ୟର ପ୍ରାପ୍ୟ ଦେଉନାହିଁ। ‘ମୋ ଘର’ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଅନ୍ତୁ ରାଜ୍ୟ ସରକାର। ଯାହା ଫଳରେ ଗରିବ ଲୋକାମନେ ଉପକୃତ ହେବେ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ୍ ରାଉତରାୟ କହିଛନ୍ତି।ଗତକାଲି ରାଜ୍ୟ କ୍ୟାବିନେଟ ‘ମୋ ଘର’ ଯୋଜନାକୁ ଅନୁମୋଦନ ପ୍ରଦାନ କରିଥିଲା। କେନ୍ଦ୍ର ସରକାରଙ୍କ କଷ୍ଟକର ଚୟନ ପ୍ରକ୍ରିୟା ଯୋଗୁଁ ପକ୍କା ଘର ଯୋଜନାରୁ ବାଦ ପଡ଼ୁଥିବା ରାଜ୍ୟର ନିମ୍ନବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମୋ ଘର’ ଯୋଜନା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌‌ ବୈଠକରେ ଏହି ନୂଆ ଯୋଜନା ‘ମୋ ଘର’କୁ ଅନୁମୋଦନ ମିଳିଛି। ଏଥିରେ ୧ ଲକ୍ଷ, ୧.୫ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣର ବ୍ୟବସ୍ଥା ରହିଛି। ଆବେଦନକାରୀ କୌଣସି ଗୋଟିଏ ପ୍ରକାରର ଋଣକୁ ବାଛିପାରିବେ। ଏହି ଯୋଜନାରେ ହିତାଧିକାରୀଙ୍କୁ ସରକାର ଘର ନିର୍ମାଣ ନିମନ୍ତେ ସର୍ବନିମ୍ନ ୩୦ ହଜାର ଟଙ୍କାରୁ ସର୍ବାଧିକ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ରିଆତି ରାଶି ପ୍ରଦାନ କରିବେ।ହିତାଧିକାରୀମାନେ ଅବଶିଷ୍ଟ ଅର୍ଥରାଶି ୧୦ ବର୍ଷ ମଧ୍ୟରେ ପରିଶୋଧ କରିପାରିବେ। ଏ ବାବଦରେ ସରକାର ୨୧୫୦ କୋଟି ଟଙ୍କା ଆର୍ଥିକ ରାଶି ସହାୟତା ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି ଏବଂ ହିତାଧିକାରୀମାନେ ଜୁନ୍‌‌ ୧୬ ତାରିଖରୁ ଏଥିପାଇଁ ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଛି।  ଏହି ଯୋଜନାରେ ହିତାଧିକାରୀ ଋଣ ନେଇ ଗୃହ ନିର୍ମାଣ କରିବେ ଓ ରାଜ୍ୟ ସରକାର ଋଣ ଉପରେ ସବସିଡ୍‌‌ ପ୍ରଦାନ କରିବେ। ପ୍ରଥମ ବର୍ଷକୁ ବାଦ୍‌‌ ଦେଇ ଏହା ପରଠାରୁ ୧୦ବର୍ଷ ପର୍ଯ୍ୟନ୍ତ ଋଣ ପରିଶୋଧ ପାଇଁ ସମୟ ମିଳିବ। ଗୃହ ଋଣ ପାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗ୍ୟତା ମାନଦଣ୍ଡ ମଧ୍ୟ ସ୍ଥିର କରାଯାଇଛି। ଏହି ଯୋଜନାରେ ଋଣ ପାଇବାକୁ ହେଲେ ହିତାଧିକାରୀଙ୍କର କଚ୍ଚା ଘର କିମ୍ୱା ଗୋଟିଏ ବଖରା କଂକ୍ରିଟ ଛାତ ଘର ଥିବ। ହିତାଧିକାରୀ ଯଦି ପୂର୍ବରୁ ସରକାରଙ୍କ ଠାରୁ ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇନଥିବେ କିମ୍ୱା ୭୦ ହଜାରରୁ କମ୍‌‌ ସହାୟତା ପାଇଥିବେ କିମ୍ବା ପରିବାରର ମାସିକ ଆୟ ୨୫ ହଜାର ଟଙ୍କାର କମ୍‌‌ ଥିବ, ବ୍ୟକ୍ତିଗତ ବ୍ୟବହାର ପାଇଁ ଅଣବ୍ୟବସାୟିକ ଚାରିଚକିଆ ଯାନ ନ ଥିବ ସେ ଏହି ଯୋଜନାରେ ଋଣ ପାଇବାକୁ ଯୋଗ୍ୟ ହେବେ।ସେହିପରି ଆବେଦନାରୀଙ୍କ ୫ ଏକରରୁ କମ୍‌‌ ଜଳସେଚିତ କିମ୍ୱା ୧୫ ଏକରରୁ କମ୍‌‌ ଅଣଜଳସେଚିତ ଜମି ଥିବ ସେମାନେ ଯୋଜନାରେ ସାମିଲ ହୋଇପାରିବେ ବୋଲି ସରକାର ଧାର୍ଯ୍ୟ କରିଛନ୍ତି। ଗୃହ ନିର୍ମାଣ ପରେ ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କୁ ଋଣର ପରିମାଣ ଅନୁଯାୟୀ ସବସିଡି ରାଶି ପ୍ରଦାନ କରିବେ। ସେହିପରି ସମାଜର ଦୁର୍ବଳ ବର୍ଗଗୁଡ଼ିକ ଯଥା ଅନୁସୂଚିତ ଜାତି, ଜନଜାତି ଏବଂ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାରଙ୍କ ପାଇଁ ଅତିରିକ୍ତ ସବସିଡି ବ୍ୟବସ୍ଥା କରାଯାଇଛି। ୧ ଲକ୍ଷ ଟଙ୍କା ଋଣ ଉପରେ ସାଧାରଣ ବର୍ଗଙ୍କୁ ୩୦ହଜାର ଓ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମମାନଙ୍କୁ ୪୦ହଜାର ଟଙ୍କା ସବସିଡି ମିଳିବ। ସେହି ଅନୁଯାୟୀ ୧.୫ ଲକ୍ଷ, ୨ଲକ୍ଷ ଓ ୩ଲକ୍ଷ ଟଙ୍କାର ଋଣ ଉପରେ ସମ୍ପୃକ୍ତ ବର୍ଗଙ୍କୁ ଯଥାକ୍ରମେ ୪୫ହଜାର, ୬୦ହଜାର, ୬୦ହଜାର ଏବଂ ୫୫ହଜାର, ୭୦ହଜାର, ୭୦ହଜାର ଟଙ୍କାର ସବସିଡ୍‌‌ ପ୍ରଦାନ କରାଯିବ ବୋଲି କୁହାଯାଇଛି। ନିଷ୍ପତ୍ତି ଅନୁଯାୟୀ ବ୍ୟାଙ୍କ ପକ୍ଷରୁ ହିତାଧିକାରୀଙ୍କଠାରୁ ଋଣ ମଞ୍ଜୁର ପାଇଁ କୌଣସି ପ୍ରକ୍ରିୟାକରଣ ଦେୟ ଆଦାୟ କରାନଯିବାକୁ ଥିବାବେଳେ ହିତାଧିକାରୀଙ୍କ ଆର୍ଥିକ ବୋଝକୁ ଆହୁରି ହ୍ରାସ କରିବାକୁ ଯାଇ, ରାଜ୍ୟ ସରକାରଙ୍କ ବନ୍ଧକ ସମୟରେ ଆବଶ୍ୟକ ପଞ୍ଜିକରଣ ଶୁଳ୍କ ଏବଂ ଷ୍ଟାମ୍ପ ଡ୍ୟୁଟି ଛାଡ କରିଛନ୍ତି।ଋଣ ଆବେଦନ ପାଇଁ ଆଇନ ପରାମର୍ଶଦାତାଙ୍କ ଦେୟ ବାବଦକୁ ସର୍ବାଧିକ ୧ ହଜାର ଟଙ୍କା ରାଜ୍ୟ ସରକାର ବହନ କରିବେ। ଏହି ଯୋଜନାରେ ଆବେଦନ ଗ୍ରହଣ କରିବା ପାଇଁ ଏକ ନିର୍ଦିଷ୍ଟ ୱେବସାଇଟ କାର୍ଯ୍ୟକ୍ଷମ କରାଯାଉଛି। ଏହି ୱେବସାଇଟ ମାଧ୍ୟମରେ ଋଣ ଆବେଦନ ତଦାରଖ ଏବଂ ପରିଚାଳନା କରାଯିବ। ଇଚ୍ଛୁକ ହିତାଧିକାରୀ ଆସନ୍ତା ଜୁନ୍‌‌ ମାସ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ। ଆବେଦନକାରୀ ନିଜେ କିମ୍ବା ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ। ଅନ୍ୟପକ୍ଷରେ ଗୃହ ନିର୍ମାଣରସ୍ତର ଅନୁସାରେ ଋଣ ରାଶି ୨/୩ ପର୍ଯ୍ୟାୟରେ ପ୍ରଦାନ କରାଯିବାକୁ ଥିବାବେଳେ ହିତାଧିକାରୀ ଇଚ୍ଛାକଲେ ୧୦ ବର୍ଷ ପୂର୍ବରୁ ଋଣ ପରିଶୋଧ କରିପାରିବେ। ଆବେଦନକାରୀ ଋଣ ପରିମାଣର ଅନ୍ତତଃ ୧୦ ପ୍ରତିଶତ ଅର୍ଥ ରାଶି ମାର୍ଜିନ ଅର୍ଥ ହିସାବରେ ବିନିଯୋଗ କରିବେ। ଅନ୍ୟପକ୍ଷରେ ପ୍ରାୟ ୪ ଲକ୍ଷ ହିତାଧିକାରୀଙ୍କ (ପ୍ରତି ସ୍ତରର ଋଣ ପାଇଁ ୧ ଲକ୍ଷ ହିତାଧିକାରୀ) ପାଇଁ ଦୁଇ ବର୍ଷରେ ମଧ୍ୟରେ ୨୧୫୦ କୋଟି ଟଙ୍କା ଆର୍ଥିକ ବ୍ୟୟ ଆକଳନ କରାଯାଇଛି। ତେବେ ଏହି ସ୍ୱାଗତଯୋଗ୍ୟ ପଦକ୍ଷେପକୁ ରାଜ୍ୟବାସୀ ପ୍ରଶଂସା କରିଛନ୍ତି ।