ଗଞ୍ଜେଇ ବେପାରରୁ କୋଟିପତି: ଜବତ ହେଲା ଅଚଳାଚଳ ସମ୍ପତ୍ତି…

ପୁରୀ(ସମୃଦ୍ଧ ଓଡିଶା)ଗଞ୍ଜେଇ ବେପାର କରି ଅଚଳାଚଳ ସମ୍ପତ୍ତିର ମାଲିକ ହୋଇଥିବା କଥା ଶୁଣିଲେ ନିଶ୍ଚୟ ବିସ୍ମୟ ଲାଗିବ କିନ୍ତୁ ଏମିତି ଏକ ଘଟଣା ନଜରକୁ ଆସିଛି ଖୋଦ ବ୍ରହ୍ମଗିରିରୁ। ଗଞ୍ଜେଇ ବେପାର କରି କୋଟିପତି ହୋଇଥିବା ଓ ଆଖି ଖୋସିଦେଲା ଭଳି ଅଚଳାଚଳ ସମ୍ପତ୍ତି ଠୁଳ କରିଥିବା ଗଞ୍ଜାଇ ମାଫିଆ ବାପ ଓ ପୁଅଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ ଓ ବ୍ରହ୍ମଗିରି ପୋଲିସ। ଗଞ୍ଜାଇ ବେପାର କରି ଠୁଳ କରିଥିବା ବହୁ ସଂଖ୍ୟକ ପ୍ଲଟ, ଏକାଧିକ ଆଲିସାନ୍ ଘର, ଦୋକାନ, ଗୋଦାମ, ଦାମି ଦାମୀ ଗାଡି ଆଦିକୁ ଆଜି ଜବତ କରିଛି ପୋଲିସ। ଯାହାର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ଅନୁମାନ କରିଛି । ଏହି କୁଖ୍ୟାତ ଗଞ୍ଜେଇ ମାଫିଆ ବାପ, ପୁଅ ହେଉଛନ୍ତି ବ୍ରହ୍ମଗିରିର ବିଜୟ ପାଣି(୫୦) ଓ ତାଙ୍କ ପୁଅ ସତ୍ରୁଜିତ୍ ପାଣି ଓରଫ ପିଣ୍ଟୁ(୨୩)।ଚଳିତମାସ ୩ ତାରିଖରେ ସେମାନେ ଗିରଫ ହୋଇଥିଲେ। ସେମାନଙ୍କ ଘରୁ ୬୨୪ କେଜିରୁ ଅଧିକ ଗଞ୍ଜାଇ ଅର୍ଥାତ ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିଲା ବ୍ରହ୍ମଗିରି ଥାନା ପୋଲିସ ଓ ଏସ୍‌ଟିଏଫ୍। ଏଥିସହ ତାଙ୍କ ଘରୁ ହାତ ତିଆରି ବୋମା ମଧ୍ୟ ଜବତ କରାଯାଇଥିଲ। ଆଗାମୀ ରଥଯାତ୍ରାକୁ ଲକ୍ଷ୍ୟ କରି ସେମାନେ କନ୍ଧମାଳ କୋରାପୁଟ ଜୟପୁର ଆଦି ମାଳ ଅଞ୍ଚଳରୁ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନରେ ଠୁଳ କରି ରଖୁଥିଲେ। ରଥଯାତ୍ରାରେ ବିଭିନ୍ନ ଅସାଧୁ ନିଶା ବ୍ୟବସାୟୀଙ୍କ ଜରିଆରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ଦୀର୍ଘ ଦିନ ଧରି ସେମାନେ ଏହି ଅସାଧୁ କାରବାରରେ ସଂପୃକ୍ତ ଥିଲେ। ତେଣୁ ସେମାନଙ୍କ ଆର୍ଥିକ କାରବାର ଓ ରୋଜଗାରର ଉତ୍ସ ଜାଣିବାକୁ ପୋଲିସ ଖୋଳତାଡ଼ କରିଥିଲା। ଆଜି ସଦର ଏସ୍‌ଡିପିଓ କେସି ମୁଣ୍ଡଙ୍କ ନେତୃତ୍ୱରେ ୩ଜଣ ଆଇଆଇସି , ୬ଜଣ ଏସ୍‌ଆଇ, ୮ଜଣ ଏଏସ୍‌ଆଇ ଓ ଗୋଟିଏ ପ୍ଲାଟୁନ୍‌ ପୋଲିସ ଫୋର୍ସକୁ ନେଇ ଗଠିତ ଟିମ୍ ଅତିରିକ୍ତ ଏସ୍‌ପି ମିହିର ପଣ୍ଡାଙ୍କ ତତ୍ୱାବଧାନରେ ଏହି ମାଫିଆଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉରେ ମିଳିଥିବା ଏହି ମାଫିଆଙ୍କ ବିପୁଳ ପରିମାଣର ବେଆଇନ୍‌ ଉପାର୍ଜିତ ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ଜବତ କରାଯାଇଛି। ଯାହାର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକା ହେବ ବୋଲି ଆକଳନ କରିଛି ପୋଲିସ । ସ୍ଥାବର ସମ୍ପତ୍ତି ମଧ୍ୟରେ ପୁରୀ ସହର ନିକଟରେ ୯ଟି ପ୍ଲଟ, ୪ଟି ସ୍ଥାନରେ ଆଲିସାନ୍ ଘର ରହିଛି। ଅସ୍ଥାବର ସମ୍ପତ୍ତି ଭିତରେ ଦୁଇଟି ଦାମୀ କାର୍ ଓ ଗୋଟିଏ ବାଇକ୍ ରହିଛି। ଗଞ୍ଜାଇ ବେପାରରୁ ସେମାନେ ଏହି ବିପୁଳ ସମ୍ପତ୍ତି ଠୁଳ କରିଥିବା ତଦନ୍ତ ବେଳେ ଜଣାପଡ଼ିଛି। କାରଣ ଏହି ସମ୍ପତ୍ତି କିପରି ଅର୍ଜନ କଲେ ପରିବାର ଲୋକେ ତାହାର ରୋଜଗାର ଉତ୍ସ ଦର୍ଶାଇ ପାରି ନ ଥିଲେ। କୋଲକୋତା ସ୍ଥିତ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଠାରୁ ଏହି ସମ୍ପତ୍ତିକୁ ବାଜ୍ୟାପ୍ତି ପାଇଁ ଅନୁମତି ମିଳିଥିବା ଟାଉନ୍ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଏସପି କେ.ବିଶାଲ ସିଂହ ସୂଚନା ଦେଇଛନ୍ତି। ପୂର୍ବରୁ ମାର୍ଚ୍ଚ ୩୧ରେ ମଧ୍ୟ ଜଣେ ବ୍ରାଉନ୍ ସୁଗାର ମାଫିଆଙ୍କୁ ଗିରଫ କରି ତା’ ଠାରୁ ୧ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ପୋଲିସ କରିଥିଲା ଓ ବାଜ୍ୟାପ୍ତି ହୋଇଥିଲା ବୋଲି ପୋଲିସ ସୂଚନା ଦେଇଛି। ପୁରୀ ସହର ନିଶା ମାଫିଆଙ୍କ ପେଣ୍ଠସ୍ଥଳୀ ହୋଇ ଥିବାରୁ ପୋଲିସ ଧରପଗଡ଼କୁ ଜୋରଦାର କରିଛି। ତଥାପି ଗଳାବାଟରେ ଗଞ୍ଜେଇ କାରବାର ଚାଲିଥିବା ଅଭିଯୋଗ ହେଉଛି ।