ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭାବେ ବିଧାୟକ ରମେଶ ଜେନା ନିଯୁକ୍ତ : ଜିଲ୍ଲାରେ କଂଗ୍ରେସ ପ୍ରତ୍ୟାବର୍ତ୍ତନ ସମ୍ଭାବନା…

ଭୁବନେଶ୍ୱର / ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦେଶର ଏକ ମାତ୍ର ପୁରୁଣା ରାଜନୈତିକ ଦଳ ‘ଅଖିଳ ଭାରତ କଂଗ୍ରେସ କମିଟି’ ଜାତୀୟ ସଭାନେତ୍ରୀ  ସୋନିଆ ଗାନ୍ଧୀ ଓ ଯୁବରାଜ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ପୁଣି ଦେଶରେ ଲୋକପ୍ରିୟତା ଅର୍ଜନ କରିବାକୁ ଯାଉଛି । ଏହାର ପ୍ରଭାବ ଦୀର୍ଘ କୋଡିଏ ବର୍ଷର ଅଣକଂଗ୍ରେସ ରାଜ୍ୟ ସରକାରକୁ ପ୍ରଭାବିତ କରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ସୁପ୍ତ ହୋଇଯାଇଥିବା କଂଗ୍ରେସ କର୍ମୀ ମହଲରେ ଉତ୍ସାହ ଆଜି ଦେଖିବାକୁ ମିଳିଛି । ଜାତୀୟ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଆଜି ଗଞ୍ଜାମ ଜିଲ୍ଲାର ଯୁବ ପ୍ରତିଭା ତଥା ଦୁଇ ଦୁଇ ଥର ବିଧାୟକ ହୋଇଥିବା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ଦଳର ସଭାପତି ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତିରେ ଜିଲ୍ଲାରେ କଂଗ୍ରେସ ମହଲରେ ଦୃଢ଼ ସାଙ୍ଗଠନିକ ବାତାବରଣ ସୃଷ୍ଟି ହୋଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପଠାଇଥିବା ଜିଲ୍ଲା ଓ ନଗର କଂଗ୍ରେସ ସଭାପତି ତାଲିକାକୁ ଆଜି ଅଖିଳ ଭାରତ କଂଗ୍ରେସ କମିଟି ଅନୁମୋଦନ କରି ବିଜ୍ଞପ୍ତି ପ୍ରକାଶ କରିଛି । ଓଡ଼ିଶାର ୩୩ ଗୋଟି ସାଙ୍ଗଠନିକ ଜିଲ୍ଲା ଓ ନଗର କଂଗ୍ରେସ ସଭାପତିଙ୍କ ନାମ ପ୍ରକାଶ ପାଇଛି । ଏହି ତାଲିକାରେ ତିନି ଜଣ ବିଧାୟକ ଓ ଦୁଇ ଜଣ ନାରିନେତ୍ରୀଙ୍କୁ ଦଳ ଜିଲ୍ଲା ସଭାପତିଭାବେ ନିଯୁକ୍ତି ଦେଇଥିବା ବେଳେ ୧୬ଜଣ ସଭାପତି ଅପରିବର୍ତ୍ତିତ ରହିଛି । ସମ୍ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ବିଜେଡ଼ି ଗଡ ଭାବରେ ଗତ ୨୦ବର୍ଷ ଧରି ଖ୍ୟାତ ଅର୍ଜନ କରିଥିବା ଗଞ୍ଜାମ ଜିଲ୍ଲାର କଂଗ୍ରେସ ଦଳର ସଭାପତି ଭାବରେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କୁ ନିଯୁକ୍ତ କରିଥିବାରୁ କଂଗ୍ରେସ ଦଳରେ ଉତ୍ସାହ  ଦେଖିବାକୁ ମିଳିଛି । ସେ ସାନଖେମୁଣ୍ଡି ବ୍ଲକ୍ କଙ୍କୋରଡ଼ା ପଞ୍ଚାୟତ ଗମ୍ଭାରିଗୁଡ଼ା ନିବାସୀ । କିନ୍ତୁ ତାଙ୍କର ବ୍ରହ୍ମପୁର ସହରରେ ବିଶେଷ ପତିଆରା ରହିଥଲା । ସେ ରାଜନୀତିରେ ପ୍ରବେଶ କରି ସର୍ବପ୍ରଥମେ ଦୟନିଧିପୁର ସମିତିସଭ୍ୟ ଭାବେ ନିର୍ବାଚନରେ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇ ସମିତି ଅଧ୍ୟକ୍ଷ ଭାବରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ନବଗଠିତ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ନିଜର ଖ୍ୟାତି ଓ ଜନସେବା ପ୍ରତିପାଦିତ କରି ଆସୁଥିଲେ । ନିଜର ସେବା ମନୋବୃତ୍ତି  ସୁଲଭ ପ୍ରକୃତି ସାଙ୍ଗଠନିକ ଦକ୍ଷତା ଦ୍ୱାରା ସାଧାରଣରେ ଖୁବ ଲୋକପ୍ରିୟତା ଅର୍ଜନ କରିଥିଲେ । ଅଣକଂଗ୍ରେସ ଦଳଗୁଡିକର ପ୍ରବଳ ହାୱା ସତ୍ୱେ ଶ୍ରୀ ଜେନା ୨୦୧୪ ମସିହାରେ ନିର୍ବାଚନ ଲଢି ଅଳ୍ପ କିଛି କମ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । କିନ୍ତୁ ସେ ପଛକୁ ଚାହିଁ ନ ଥିଲେ । ବହୁ ଘାତ ପ୍ରତିଘାତ ସତ୍ୱେ ସେ ନିଜ ଅଞ୍ଚଳ ଲୋକଙ୍କ ପାଖରେ ରହି ସୁଖଦୁଃଖ ବୁଝୁଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ସାରା ଜିଲ୍ଲାରେ ରମେଶ ଜେନାଙ୍କ ଲୋକପ୍ରିୟତା ଏପରି ବଢି ଯାଇଥିଲା ଯେ ଯୁବପିଢ଼ିଙ୍କ ଦୃଢ ସମର୍ଥନ ପାଇ ସେ ମୁଖ୍ୟମନ୍ତୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଏକ ବିରାଟ ଜନସମାବେଶ ଓ ପାଟପୁର ଗାନ୍ଧୀ ଛକ ଉପରେ କଂଗ୍ରେସ ଦଳର ଏକ ଆକର୍ଷଣୀୟ ପଦଯାତ୍ରା ଆୟୋଜନ କରି ଶାସକ ଦଳର ଆକ୍ରୋଶର ଶିକାର ହୋଇଥିଲେ । ତାଙ୍କୁ ବିଭିନ୍ନ ମିଥ୍ୟା ମୋକଦ୍ଧମାରେ ସମ୍ପୃକ୍ତ କରାଇ ଗିରଫ କରାଇ ଅଢେଇ ବର୍ଷରୁ ଅଧିକ ସମୟ ଜେଲରେ ରଖାଯାଇଥିଲା । ଜୁଲାଇ ମାସ  ୨୩ ତାରିଖ ୨୦୧୮ ମସିହାରେ  ଜେଲରୁ ଜାମିନରେ ଆସି ନିଜ ନିର୍ବାଚନ ମଣ୍ଡଳୀରେ ସଂଗଠନ ସଜାଡି ପୁଣି ପ୍ରିୟ ଭାଜନ ହୋଇଥିଲେ । ଏହି ଥର ଗତ ନିର୍ବାଚନରେ ବିଜେଡି ଦଳର ପ୍ରବଳ ସରକାରୀ ସପକ୍ଷ ହାୱା , ମୁଖ୍ୟମନ୍ତ୍ରୀଙ୍କ ଘନ ଘନ ପ୍ରଚାର, ପ୍ରବଳ ପ୍ରଶାସନିକ ଦବଦବା ସତ୍ତ୍ଵେ ଆଶାତୀତ ଭାବେ ଅଧିକ ଭୋଟରେ ଜିଲ୍ଲାର ଏକମାତ୍ର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇ ଥିଲେ । ଜନସାଧାରଣଙ୍କ ବିଶ୍ୱସନୀୟତାକୁ ଆଧାର କରି ଯୁବପିଢିଙ୍କ ରମେଶଭାଇ ଭାବରେ ପରିଚିତ ଶ୍ରୀ ଜେନା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପାଇଥିବାରୁ ଏହି ଅଞ୍ଚଳର କଂଗ୍ରେସ ଅନୁଗତଙ୍କ ମନରେ ଉତ୍ସାହ ଖେଳିଥିବା ବେଳେ ଶ୍ରୀ ଜେନାଙ୍କ ନିଯୁକ୍ତିରେ ବିଭିନ୍ନ ସ୍ତରରୁ ଅଭିନନ୍ଦନର ସୁଅ ଛୁଟିଛି । ଆସନ୍ତା ଦିନରେ ଜିଲ୍ଲା ସଂଗଠନର ପୁନର୍ଗଠନ ସହ ଜିଲ୍ଲା କଂଗ୍ରେସର ପୂର୍ବ ଗୌରବକୁ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ରହିବ ବୋଲି ଆଶା ବିଶ୍ୱାସ କରି ଶ୍ରୀ ଜେନାଙ୍କ ନେତୃତ୍ବକୁ ସ୍ଵାଗତ କରିଛନ୍ତି । ଏହି ଖବର ପାଇ ଆଜି ଜିଲ୍ଲାର ଅନେକ ଯୁବପିଢ଼ିଙ୍କ ସମେତ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ନାଇଡୁ , ଶିବ ପାତ୍ର , ଛତ୍ରପୁରରୁ କଂଗ୍ରେସ ନେତା ଭାଗିରଥି ବେହେରା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର ,ଏ ଜୟରାମ ଦୋରା , ଏସ ବାବୁଲା ଦୋରା , ଜି ସାଇରାମ ଚିନ୍ମୟ କୁମାର ହୋତା , ମୁକୁନ୍ଦ ବରାଡ , ରାମଚନ୍ଦ୍ର ପ୍ରଧାନ , ନିରାକାର ପ୍ରଧାନ ,ଆଲୋକ ପ୍ରଧାନ , ଦୁର୍ଗା ପ୍ରସାଦ ପାଢ଼ୀ , ସିମାଞ୍ଚଳ ଗୌଡ, ଦେବାଶିଷ ମହାନ୍ତି ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ସାଂଗଂଠନିକ ମନୋବଳକୁ ସୁଦୃଢ ଆଶା  କରିଛନ୍ତି ।

ନିମ୍ନରେ ସମସ୍ତ ୩୩ ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ବିଜ୍ଞପ୍ତି ତାଲିକା ଦିଆଯାଇଛି ….

ରିପୋର୍ଟ : ନିମାଇଁ ଚରଣ ପଣ୍ଡା