ଗଞ୍ଜାମ ଜିଲ୍ଲାରେ ମିଲ୍(ଭୋଜନ)ଯୋଜନାର ଶୁଭାରମ୍ଭ : ଲୋକେ ଦିଅନ୍ତି ଭୋଜନ ସାମଗ୍ରୀ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଅନେକ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଲକଡ଼ାଉନ୍ ଗରିବ ଦିନ ମଜୁରିଆଙ୍କ ଜୀବନ ଜୀବିକାକୁ ବେଶ୍ ପ୍ରଭାବିତ କରିଛି । ଅବଶ୍ୟ ଗରିବ ହିତାଧିକାରୀଙ୍କୁ ସରକାରୀ ଖାଦ୍ୟ ଯୋଜନାରେ ଚାଉଳ, ଗହମ ସମେତ କରୋନାର ମୁକାବିଲା ପାଇଁ ଭତା ମଧ୍ୟ ପ୍ରଦାନ କରାଯାଇଛି । ହେଲେ ପଡ଼ି କାର୍ଡ ନ ଥିବା ଅନେକ ଗରିବଙ୍କ ପାଇଁ ନିଜର ପେଟ ଚାଖଣ୍ଡକ ନିମନ୍ତେ ଦାନା ଯୋଗାଡ଼ କରିବା ଏବେ ଏକ ରକମର ଅସମ୍ଭବ ହୋଇ ପଡ଼ିଛି । ଲକ୍ ଡ଼ାଉନ୍ ଯୋଗୁଁ କାମ ପାଇଁ ନା ବାହାରକୁ ଯାଇ ପାରୁଛନ୍ତି ନା ଘରେ ଶାନ୍ତିରେ ରହି ପାରୁଛନ୍ତି । ମନେ ହେଉଛି ସତେ ଯେପରି ବିନା ବାତ୍ୟାରେ ବିନା ବନ୍ୟାରେ ଉଜୁଡ଼ି ଉଜୁଡ଼ି ଯାଉଛି ସେମାନଙ୍କ ତେଲ ଲୁଣର ସଂସାର । ଆଉ ତାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ଯୋଜନା ମିଲ୍ । ଆଜି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଏନଏସିର ୧୪ ନମ୍ବର ୱାର୍ଡର ଏନଏସି କଲୋନୀର ଗରିବ ଅସହାୟ ଲୋକ ମାନଙ୍କୁ ଆଜି ଏହି ଖାଦ୍ୟ ସାମଗ୍ରୀ ବଣ୍ଟନ କରି ମିଲ୍ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଛି । ଏହି ଯୋଜନାରେ ଯେକୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ କିମ୍ବା ଯେକୌଣସି ସହୃଦୟ ବ୍ୟକ୍ତି ପ୍ରତି ଗରିବ ପରିବାର ପାଇଁ ୫ କିଲୋ ଚାଉଳ, ଏକ କିଲୋ ଡ଼ାଲି, ଏକ କିଲୋ ଖାଇବା ତେଲ, ଏକ କିଲୋ ଲୁଣ, ଏକ କିଲୋ ସୋଆବିନ୍ ଓ ମସଲା ଦାନ ଆକାରରେ ଦେଇ ପାରିବେ । ଏଥି ପାଇଁ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏକ ସେଲ୍ ଖୋଲାଯାଇଛି । ସେହି ସେଲ୍ କୁ ଯାଇ ଯେ କେହିବି ଏହା ପ୍ରଦାନ କରିପାରିବେ । ସେମିତି କିଛି ସଂଗ୍ରହ ହୋଇଥିବା ଖାଦ୍ୟ ସାମଗ୍ରୀ ପୁଡ଼ିଆକୁ ଗୁରୁବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଛତ୍ରପୁର ସହରର ବିଭିନ୍ନ ସାହି ବସ୍ତି ବୁଲି ସରକାରଙ୍କ ଖାଦ୍ୟ ଯୋଜନାରୁ ବଂଚିତ ହୋଇଥିବା ଗରିବ ପରିବାରଙ୍କୁ ପ୍ରଦାନ କରିିଥିଲେ । କରୋନାକୁ ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସକ ତଥା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଲକ୍ ଡାଉନ୍‌, ସଟ୍ ଡ଼ାଉନ୍‌, ମାସ୍କ ପରିଧାନ ପରି ଗୋଟାଏ ପରେ ଗୋଟାଏ ନିୟମ ପ୍ରଣୟନ କରି ସଫଳତା ସାଉଁଟିଥିବା ବେଳେ ଏବେ ଏହି ପ୍ରୟାସକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।ଏହି ଯୋଜନାରେ ସାମିଲ୍ ହୋଇ ଗରିବଙ୍କ ନିମନ୍ତେ ଖାଦ୍ୟ ସାମଗ୍ରୀ ଦାନ କରିବା ପାଇଁ ଅନେକେ ଏବେ ଆଗ୍ରହ ପ୍ରକାଶ କରିଥିବାରୁ ଜିଲ୍ଲାବ୍ୟାପୀ ଏହାର ସୁଫଳ ଅତିଶୀଘ୍ର ସମସ୍ତ ଗରିବଙ୍କ ନିକଟରେ ପହଂଚିବ ବୋଲି ଆଶା କରାଯାଉଛି । ଏହି ଖାଦ୍ୟ ପୁଡ଼ିଆର ବଂଟନରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଏପିଡି ( ଗ୍ରାମୀଣ ଗୃହ ) ସୌମ୍ୟରଞ୍ଜନ ହୋତା, ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ (ଏପିଡି ଫାଇାନ୍ସ), ଜଳ ଓ ପରିମଳ ମିଶନର ମହେଶ ତରେଇଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା