ଗଞ୍ଜାମ ଜିଲାରେ ୧୦୦ ତଳକୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ଦୀର୍ଘ ୨ ମାସ ପରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସିଛି । ଜିଲାରେ ୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ୭ କରୋନା ଯୋଦ୍ଧା ଅଛନ୍ତି । ଅନ୍ୟପକ୍ଷରେ ୩୬୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସାମାଜିକ ଦୂରତ୍ୱ ନିୟମ କଡାକଡି, ୩ ଥର ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ, କଣ୍ଟେନ୍‌ମେଣ୍ଟ ପଲିସି କଡାକଡି, ଜନସାଧାରଣଙ୍କ ସହ କୋଭିଡ୍‌ ମନିଟର ଓ କୋଭିଡ କେୟାର କମିଟିର ଭଲ ସମ୍ପର୍କ, ବହୁ ମାତ୍ରାରେ କରୋନା ଟେଷ୍ଟ ଏବଂ ଆକ୍ରାନ୍ତଙ୍କ ଠିକ୍‌ ଚିକିତ୍ସା କରାଯାଇଥିବାରୁ ପଜିଟିଭ ସଂଖ୍ୟା କମିବାରେ ଲାଗିଛି ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ୧୦୦ ତଳକୁ ପଜିଟିଭ ସଂଖ୍ୟା ଖସିଥିବା ଜିଲାପାଳ ଟୁଇଟ କରି ସୂଚନା ଦେବା ସହ ଟିମ ଗଞ୍ଜାମକୁ ଧନ୍ୟବାଦ ଦେଇଛନ୍ତି । ଗଞ୍ଜାମ ଜିଲାରେ ଜୁଲାଇ ୧ ତାରିଖରେ ୯୫ ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରଦିନ ଅର୍ଥାତ୍‌ ଜୁଲାଇ ୨ରେ ଆଉ ୨୮୩ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଜିଲାରେ ଦୈନିକ ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଲା । ଏପରିକି ଜୁଲାଇ ୨୩ ତାରିଖରେ ୭୩୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଅଗଷ୍ଟ ୪ ତାରିଖରୁ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ସେପ୍ଟେମ୍ବରରେ ଆହୁରି ସତର୍କତା ସହ ଜରୁରୀ କୋଭିଡ୍‌ ଗାଇଡଲାଇନକୁ ପାଳନ କଲେ ଗଞ୍ଜାମରୁ କରୋନା ସମ୍ପୂର୍ଣ୍ଣ ହଟାଇ ହେବ ବୋଲି ଜିଲାପାଳ କହିଛନ୍ତି । ଜିଲାପାଳ ଗତ ୩ ଦିନ ହେଲା ବିଭିନ୍ନ ବ୍ଲକକୁ ଯାଇ ବିଡ଼ିଓ, ତହସିଲଦାର, ସିଡିପିଓ, ଏନଏସି ନିର୍ବାହୀ ଅଧକାରୀ, ପଞ୍ଚାୟତିରାଜ ପ୍ରତିନିଧି ଓ କୋଭିଡ ମନିଟରମାନଙ୍କ ସହ ସ୍ଥିତି ଆଲୋଚନା କରୁଛନ୍ତି । ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୧୮,୪୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧୭ ,୧୬୨ଜଣ ସୁସ୍ଥ ହୋଇଛନ୍ତି । ଯାହାକି ୯୩.୧ ପ୍ରତିଶତ ରହିଛି । ଏବେ ଜିଲାରେ ୧ ହଜାର ୭୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଜିଲାରେ ୧୯୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅଣ କୋଭିଡରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ଦିନକରେ ୯,୯୯୯ ଜଣଙ୍କ କରୋନା ଟେଷ୍ଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୨ ଲକ୍ଷ ୯୦ ହଜାର ୨୧୭ ଜଣଙ୍କ କରୋନା ଟେଷ୍ଟ ହେଲାଣି । ଲକ୍ଷଣ ନ ଲୁଚାଇ ଟେଷ୍ଟ କରିବାକୁ ଜିଲାପାଳ କହିଛନ୍ତି । ଅନ୍ୟପକ୍ଷରେ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ସେ ପୁଣି ଅନୁରୋଧ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା