ଗଞ୍ଜାମରେ ୨୦ବର୍ଷ ପୂର୍ବେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯାହା ଥିଲା ବର୍ତ୍ତମାନ ଆହୁରି ବିପର୍ଯ୍ୟସ୍ତ : ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶାରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷଡି ଯାଇଛି I ଗଞ୍ଜାମ ଜିଲ୍ଲା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି I ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ ରେ ଚିକିତ୍ସା ବ୍ୟବସ୍ଥା ୨୦ବର୍ଷ ତଳେ ଯାହା ଥିଲା, ଆଜିର ଚିକିତ୍ସା ଉନ୍ନତି ହେବା ପରିବର୍ତ୍ତେ ଆହୁରି ବିପର୍ଯ୍ୟସ୍ତ ହୋଇପଡିଛି l ଯଦିଚ ଏହି ଭିତରେ ଗୁଡିଏ ନୁଆଁ କୋଠା ନିର୍ମାଣ ହୋଇଛି l ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଯାହା ବଡ଼ ଡାକ୍ତରଖାନା ଭାବେ ପରିଚିତ ଥିଲା, ଆଜି ସବୁକିଛି ବିପନ୍ନ ହୋଇ ଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି l ପୁଣି  ରୋଗୀ ଗଲା କ୍ଷଣି ସାମାନ୍ୟ ଗୁରୁତର ଦେଖିଲେ ଡାକ୍ତରମାନେ ଭୁବନେଶ୍ୱର, ବିଶାଖାପାଟଣା ଏବଂ କଟକକୁ ରେଫେର କରୁଛନ୍ତି l କୋଭିଡ-୧୯ ମହାମାରୀ ବେଳେ ଏହି ଚିତ୍ର ଅତି ନଗ୍ନ ଭାବେ ପଦାକୁ ଆସିଛି l କାହିଁକି ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ଭିତ୍ତିଭୂମିକୁ ଉନ୍ନତ କରାଗଲା ନାହିଁ ? କାହିଁକି ଆଇସିୟୁ ସୁବିଧା/ ସଂଖ୍ୟା ବୃଦ୍ଧି ହେଲା ନାହିଁ ? କଣ ପାଇଁ ସମସ୍ତ ଟେଷ୍ଟିଙ୍ଗ ସୁବିଧା ନାହିଁ ? କାହିଁକି ଆବଶ୍ୟକ ସଂଖ୍ୟକ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଇତ୍ୟାଦି ନିଯୁକ୍ତି ହେଉନାହାଁନ୍ତି ? ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ଏହି ଦୁରାବସ୍ଥା ପାଇଁ ଦାୟୀ କିଏ ? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୁଦ୍ଧିଜୀବୀ ମହଲରେ ଏବଂ ଏହାର ସମାଧାନ ନେଇ କାହାର ନିଘା ନାହିଁ ବୋଲି ଘୋର ଉଦବେଗ ପ୍ରକାଶ ପାଉଛି I ତଥାପି ରାଜ୍ୟ ମୂଖ୍ୟମନ୍ତ୍ରୀ ଆମ ଜିଲାର ବୋଲି କୋଡିଏ ବର୍ଷ ହେଲା ଆମେ ଗର୍ବ କରି ଆସୁଛୁ ବୋଲି ବୁଦ୍ଧିଜୀବୀ ମହଲ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି I ରାଜଧାନୀରେ ଗଞ୍ଜାମ ରୋଗୀଙ୍କ ପ୍ରତି ଯେଉଁ ଅନ୍ୟାୟ ହୋଇଛି ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦରକାର ବୋଲି ମଧ୍ୟ ଦାବୀ ହୋଇଛି I ମାତ୍ର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ ଉପରେ ଗଞ୍ଜାମ ଜିଲ୍ଲା ସହିତ ଗଜପତି, ପୁରୀର ଏକ ଅଂଶ, ଖୋର୍ଦ୍ଧାର ଏକ ଅଂଶ, କନ୍ଧମାଳ ଏବଂ ରାୟଗଡା ଇତ୍ୟାଦି ଜିଲ୍ଲା ସମେତ ସମଗ୍ର ଦକ୍ଷିଣ ଓଡିଶାର ସାଧାରଣ ଜନତା ନିର୍ଭରଶୀଳ I କୌଣସି ଘରୋଇ ହସ୍ପିଟାଲ, ନର୍ସିଙ୍ଗ ହୋମ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ବିକଳ୍ପ ନୁହେଁ I ଜରୁରୀ କାଳୀନ ଭିତ୍ତିରେ ଏମଏକସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ହିଁ ଅତ୍ୟାଧୁନିକ ହସ୍ପିଟାଲ ପରିଣତ କରିବାକୁ ପଡିବ l କରୋନା ମହାମାରୀ ର ଆତଙ୍କ ଏବଂ ଅତି ଭୟଙ୍କର ବାତାବରଣ ମଧ୍ୟରେ ଗଞ୍ଜାମ ଜିଲ୍ଲା ବିଶେଷ କରି ବ୍ରହ୍ମପୁରବାସୀଙ୍କୁ ଅତି ଗୁରୁତର ଭାବେ ଏହି ଜୀବନ ରକ୍ଷାର ପ୍ରସଙ୍ଗକୁ ଚିନ୍ତା କରି ଜନମତ ଜାଗ୍ରତ କରିବା ଜରୁରୀ l ଲୁଗା ବ୍ୟବସାୟୀ ନରସିଂହ କୁଣ୍ଡ, ଦିଗପହଣ୍ଡି ଅଞ୍ଚଳର ନିରାକାର ବିଷୋୟୀ, ଅଙ୍ଗନବାଡି କର୍ମୀ ଅଶାନ୍ତ ପାତ୍ର, ଶେରଗଡ଼ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପିତାମ୍ବର ପାଢ଼ୀ ଏପରି ଅନେକ ଅମୁଲ୍ୟ ଜୀବନ ଚିକିତ୍ସା ଜନିତ ଅବହେଳା କିମ୍ବା ଉପଯୁକ୍ତ ଆଧୁନିକ ଚିକିତ୍ସାର ଅଭାବ ଯୋଗୁଁ ହୋଇଥିବା ମୃତ୍ୟୁ ଲୋକ ଲୋଚନକୁ ଆସିଛି ଏବଂ ଗଣ ମାଧ୍ୟମରେ ଚର୍ଚ୍ଚା ହୋଇଛି l କରୋନା ମହାମାରୀ ଜନିତ ମୃତ୍ୟୁରେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲା ସର୍ବାଧିକ ରହିଛି l ସେଥିରେ ମଧ୍ୟ ଚିକିତ୍ସା ଜନିତ ଚରମ ଅବହେଳାର ଅଭିଯୋଗ ଆସୁଛି l ଅନେକ ଅଭାବନୀୟ ଘଟଣା ଲୋକ ଲୋଚନକୁ କିମ୍ବା କୌଣସି ଗଣ ମାଧ୍ୟମର ଦୃଷ୍ଟିକୁ ଆସୁ ନାହିଁ l ଆହୁରି ଅନେକ ଅମୁଲ୍ୟ ଜୀବନ ମଧ୍ୟ ଚାଲିଯିବ l କିନ୍ତୁ ଆମେ ଆଗାମୀ ଦିନ ପାଇଁ ଏହି ପ୍ରସଙ୍ଗକୁ ପ୍ରଭାବଶାଳୀ ଢଙ୍ଗରେ ଉଠାଇବାକୁ ପଡିବ l ବାହାଦୁରିଆ ସରକାର ଏବଂ ଜନପ୍ରତିନିଧି ମାନଙ୍କୁ ବାଧ୍ୟ କରିବାକୁ ପଡିବ ଗ୍ରାମାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲ କଲେଜ ଏବଂ ହସ୍ପିଟାଲ ପର୍ଯ୍ୟନ୍ତ ସରକାରୀ ଚିକିତ୍ସା ବ୍ୟବସ୍ଥାକୁ ସମ୍ପ୍ରସାରଣ ଏବଂ ସୁଦୃଢ କରିବା ପାଇଁ l ଜୀବନ ବଞ୍ଚାଇବାକୁ ହେଲେ l ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଡିବ l ସରକାର ସେ ଦାୟିତ୍ୱ ବହନ କରିବାକୁ ପଡିବ l ଅନ୍ୟ କୌଣସି ବିକଳ୍ପ ନାହିଁ  ବୋଲି ବୁଦ୍ଧିଜୀବୀ ମହଲ ଦାବୀ ଜଣାଇଛନ୍ତି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା