ଗଜପତି ଜିଲ୍ଲା ପାଇଁ ୩୭୯.୧୮ କୋଟି ଟଙ୍କାର ଯୋଜନା : ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା) ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳିର ୪ର୍ଥ ବର୍ଷ ଶାସନ ପୂର୍ତ୍ତି କରି ୨୪ବର୍ଷରେ ପାଦ ଥାପିବା ଅବସରରେ ଗଜପତି ଜିଲ୍ଲାକୁ ଏକ ବୃହତ୍ତ ଭେଟି ଦେଇଥିବାରୁ ଜିଲ୍ଲାବାସୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗଜପତି ଜିଲ୍ଲା ପାଇଁ ୩୭୯ କୋଟି ୧୮ଲକ୍ଷ ଟଙ୍କାର ଯୋଜନାକୁ ସେ ଗତକାଲି ବସିଥିବା କ୍ୟାବିନେଟରେ ଅନୁମୋଦନ କରିଛନ୍ତି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ଗଜପତି ଜିଲ୍ଲାରେ ୨ଗୋଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ୩୭୯ କୋଟି ୧୮ ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ କରାଯିବା ପାଇଂ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାରେ ୨ଗୋଟି ବ୍ଲକର ୩୭ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୩୪୬ ଗୋଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୧, ୩୧,୭୩୩ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମମଧ୍ୟରୁ ଗୁମ୍ମା ବ୍ଲକ ଅଧୀନରେ ଥିବା ୧୬ଗୋଟି ଗ୍ରାମପଞ୍ଚୟାତ ଅନ୍ତର୍ଗତ ୧୫୬ ଗୋଟି ଗ୍ରାମର ପ୍ରାୟ ୫୮,୯୭୭ ଜଣ ଓ ରାୟଗଡ ବ୍ଲକ ଅଧୀନରେ ଥିବା ୨୧ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୯୦ଗୋଟି ଗ୍ରାମର ପ୍ରାୟ ୭୨,୭୫୬ ଜଣ ଲୋକେ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ । ସମସ୍ତ ପ୍ରକଳ୍ପ ଗୁଡିକୁ ୨୪ ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ଏନେଇ ଆଜି ସନ୍ଧ୍ୟାରେ ଆୟୋଜିତ ଏକ ବୈଠକରେ ଗଣମାଧ୍ୟମକୁ ବିଜେଡି ବରିଷ୍ଟ ନେତା ତଥା ହାଇଟେକ ଗ୍ରୁପ ଅଧକ୍ଷ ଡାକ୍ତର ତିରୁପତି ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଥିରେ ଗଜପତି ଜିଲ୍ଲା ବିଜେଡି ଯୁବ ସଭାପତି ଏସ୍‌.ଲିଙ୍ଗରାଜୁ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ପରିଚ୍ଛା, ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ, ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, କାଶୀନଗର ବ୍ଲକ ଅଧ୍ୟକ୍ଷା ବି.ସାୟାମ୍ମା ପ୍ରମୁଖ ଉପସ୍ଥିତଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଗଜପତି ଜିଲ୍ଲାବାସୀଙ୍କ ସମେତ ବିଶେଷ କରି ରାୟଗଡ ଓ ଗୁମ୍ମା ବ୍ଲକ ଅଧିବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

ରିପୋର୍ଟ:କୃଷ୍ଣ କୁମାର ବେହେରା