କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚୋରି ଘଟଣାରେ ୩ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ…

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଦ୍ଧାର । କରୋନା ମହାମାରୀ ସମୟରେ କ୍ୱାରେଣ୍ଟାଇନ୍‌ ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳୀ, ଟିଏମ୍‌ସିରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀ ଲଗାଯାଇଥିଲା । ଯାହାକୁ ଚୋରୀ କରାଯାଇଥିବାର ଅଭିଯୋଗ ହୋଇଥିଲା । ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ୩ଜଣଙ୍କ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ  ଅନ୍ତର୍ଗତ ବଡ଼ଝାର ଗ୍ରାମର ସନ୍ତୋଷ କୁମାର ଜେନା, ପ୍ରଶାନ୍ତ ଜେନା ଓ ଜିତେନ୍ଦ୍ର ମହାରଣା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରମ୍ଭା ଥାନା ଅଞ୍ଚଳର ରଘୁନାଥ ପୁର, ଲୁଙ୍ଗୁରୀ, ଗଡ଼ହୁମ୍ମା, ବେଲପଡା, ବୋରୀଗାଁ, ନିଳାଦ୍ରୀପୁର ଆଦି ଗାଁରୁ ଏବଂ ଛତ୍ରପୁର ମେରାଇନ ଥାନା ସାନଆର୍ଜି ପଲ୍ଲୀ, ବଡ଼ ଆର୍ଜିପଲ୍ଲୀ ହାଇସ୍କୁଲରୁ ଚୋରୀ ହୋଇଥିବାର ଅଭିଯୋଗ ଆସିଥିଲା । ଏନେଇ ରମ୍ଭା ଥାନାରେ ୭ଟି ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଏମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା । ଏସଡିପିଓଙ୍କ ନେତୃତ୍ୱରେ ରମ୍ଭା, ଖଲ୍ଲିକୋଟ, ଗଞ୍ଜାମ ଓ ହୁମ୍ମା ଫାଣ୍ଡି ପୋଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠିତ ହୋଇଥିଲା । ବିଶେଷ ସୁତ୍ରରୁ ପୋଲିସ ଖବର ପାଇ ୩ଜଣ ଅଭିଯୁକ୍ତ ବାଇକ ଯୋଗେ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥରେ ପୋଲିସ ଅଟକ ରଖିଥିଲା । ଏହାପରେ ଛାନ୍‌ଭିନ୍‌ ଆରମ୍ଭ କରିବା ପରେ ଚୋରୀ ସାମଗ୍ରୀ ବିଷୟରେ ତଥ୍ୟ ହସ୍ତଗତ ହୋଇଥିଲା । ଏକ ଭଡ଼ା ଘରେ ସମସ୍ତ ସାମଗ୍ରୀ ଲୁଚାଇ ରଖିଥିବା ପୋଲିସ ଆଗରେ ପ୍ରକାଶ କରିଥିଲେ । ସେମାନଙ୍କ ନିକଟରୁ ୬ଟି ଏଲଇଡି ଟିଭି, ୨ଟି କଟର, ଗୋଟିଏ ହିଟର, ଇନଭେଟର ସହ ବ୍ୟାଟେରୀ, ଗୋଟିଏ ପଲସର ବାଇକ, ନଗଦ ୧୨୫୦ ଟଙ୍କା, ୱାଟର ହିଟର, ସିସିଟିଭି ଆଦି ଜବତ ହୋଇଛି । ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏନେଇ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର ସୂଚନା ପ୍ରଦାନ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା