କ୍ଲାନ୍ତ ଅପରାହ୍ନ…

ବୟସର ଅପରାହ୍ନରେ ଅଶୋକ ବାବୁ ଆଜି କ୍ଲାନ୍ତ l ସେ ଆଜି ତାଙ୍କର ଦୀର୍ଘ 60ବର୍ଷର ତାଙ୍କ ଦ୍ୱାରା ଲିଖିତ ବହିର ଫର୍ଦ୍ଦଗୁଡିକୁ ଗୋଟାଏ ପରେ ଗୋଟାଏ ଲେଉଟାଇ ଚାଲିଛନ୍ତି l ଶୈଶବରେ ପିତାମାତାଙ୍କୁ ହରାଇ ଦାଦା ଓ ଖୁଡିଙ୍କ ପାଖରେ କେତେ ଯେ କଷ୍ଟରେ କଟିଛି ଭାବିଲେ ଆଖିରୁ ଲୁହ ଜକେଇ ଆସେ l ଯୌବନରେ ଲକ୍ଷ୍ମୀ ପ୍ରତିମା ସ୍ତ୍ରୀକୁ ପାଇ ନିଜକୁ ଭାଗ୍ୟବାନ ମନେ କରିଥିଲି l ସେ ଥିଲେ ପ୍ରକୃତ ଅର୍ଦ୍ଧାଙ୍ଗିନୀ l ପ୍ରତ୍ୟେକ ଦୁଃଖ ଓ ସୁଖରେ ସେ ପାଖରେ ରକ୍ଷା କବଚ ଭଳି ଠିଆ ହେଉଥିଲେ l ସେ ଥିଲେ ପରାମର୍ଶରେ ମନ୍ତ୍ରୀ, ସେବାରେ ଦାସୀ, ଘର ଚଳାଇବାରେ ସିଦ୍ଧହସ୍ତା ଓ ଲାଳନାପାଳନରେ ଧାତ୍ରୀ l ଯେତେ ଉପମା ଦେଲେ ବି ତାଙ୍କୁ ଊଣା ପଡ଼ିଯିବ l ତାଙ୍କର ରୂପ ଯେମିତି ସୁନ୍ଦର, ଗୁଣ ବି ତା ଠାରୁ ଅଧିକ ସୁନ୍ଦର l ମାଷ୍ଟର ଚାକିରୀକୁ ସ୍ୱଳ୍ପ ବେତନ l ସେଥିରେ ପୁଣି ଚାରି ଚାରିଟା ଛୁଆ l ବହୁତ କଷ୍ଟ କରିବାକୁ ପଡିଥାଏ l ଦିନେ ହେଲେ ଶାଢ଼ୀ କି ଗହଣା ମାଗେ ନାହିଁ l ଭଲ କରି ପେଟକୁ ଦିମୁଠା କେବେ ଖାଏ ନାହିଁ l ସ୍ୱାମୀ ପିଲାଛୁଆ ଖାଇ ସାରିବା ପରେ ଯାହା ବଳେ ତାହା ଖାଏ l ଏ ସବୁ ସତ୍ତ୍ୱେ ବହୁତ ହସ ଖୁସି ଓ ଶାନ୍ତିରେ ପରିବାର ଚାଲୁଥାଏ l କଥାରେ ଅଛି ପରା –ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର l ସବୁ ଦିନେ ସନ୍ଧ୍ୟା ହେଲେ ସମସ୍ତେ ଠାକୁରଙ୍କ ପାଖରେ ପ୍ରାର୍ଥନା କରନ୍ତି l ପାଦ ଛୁଇଁ ପ୍ରଣାମ କରନ୍ତି l ଭାଗବତ ଅଧ୍ୟାୟେ ପଢାହୁଏ l ଘରଟି ଧୂପଝୁଣା ବାସନାରେ ମହକି ଉଠେ l ଭାବେ ମୋ ଭଳି ଭାଗ୍ୟବାନ ଦୁନିଆରେ କେହି ନ ଥିବେ l କଷ୍ଟେ ମଷ୍ଟେ ତିନି ପୁଅ ଓ ଝିଅକୁ ପାଖରେ ରଖି ପାଠ ପଢ଼େଇଲି l ଚାକିରୀ ବି କଲେ l ସେମାନଙ୍କୁ ସୁଅନୁଶାସନ ଭିତରେ ରଖି ସୁମଣିଷ କରିବା ଆପ୍ରାଣ ଚେଷ୍ଟା ଫଳବତୀ ହୋଇଛି ଭାବି ଖୁସି ହେଉଥିଲି l ଝିଅଟି ଏବେ ହାଇସ୍କୁଲ ଶିକ୍ଷୟିତ୍ରୀ l ମୋ ସ୍ତ୍ରୀ ଦିନେ ମୋତେ ଡାକି କହିଲା, “ହେଇଟି ଶୁଣୁଛ, ଝିଅ ପରା ଏବେ ବଡ଼ ହେଲାଣି ତାକୁ ବାହା ଦେବା ନା ନାହିଁ l ମୁଁ ମଧ୍ୟ ମନେ ମନେ ଭାବିଲି ସତେ ତ ଝିଅଟା ମୋର ଅତେ ବଡ଼ ହୋଇଗଲାଣି ମୋର ଖିଆଲ ନାହିଁ l ତା ପରେ ବର ଖୋଜା l କିନ୍ତୁ ଝିଅର ଏକା ଜିଦ ସେ ଇଚ୍ଛା କରିଥିବା ପୁଅକୁ ବାହା ହେବ l ତାହା ହିଁ ହେଲା l ମୋର ସ୍ୱଳ୍ପ ଦରମାକୁ ଚଢ଼ା ଯୌତୁକ ଦେଇ ବାହାଘର କରିଦେଲି l ତାପରେ ତିନି ପୁଅଙ୍କ ମନ ପସନ୍ଦର ଝିଅମାନଙ୍କୁ ବାହାଘର କରି ଦେଇ ନିଶ୍ଚିତରେ ରହିବି ବୋଲି ଭାବିଲି l କିନ୍ତୁ ବୋହୂମାନେ ଆସିଲା ପରେ ସବୁ ନୀତିନିୟମ ବଦଳିଗଲା l ସେହି ସମୟରେ ମୋତେ ଅବସର ମିଳିଲା l ସବୁ ପୁଅଝିଅଙ୍କ ନଜର ମୋର ଅବସରକାଳୀନ ଟଙ୍କା ଉପରେ l ବଡ଼ ପୁଅ କହୁଥାଏ ମୋର ଗାଡି ନାହିଁ ଅଫିସ ଯିବାକୁ ମୋତେ ଟଙ୍କା ଦିଅ ମୁଁ ଗାଡି କିଣିବି, ମଝିଆ ପୁଅ କହୁଥାଏ ମୋର କମ୍ପାନୀ ଚାକିରୀ କମ ଦରମା ମୋ ସ୍ତ୍ରୀକୁ ନେଇ ବାହାରେ ଚଳିବା କଷ୍ଟ ହେଉଛି ମୋତେ ବି କିଛି ଦିଅ l ସାନ ପୁଅ କହୁଥାଏ ବାପା ମୁଁ ଏ ଛୋଟ ଚାକିରୀ କରିବିନି, ମୋତେ କିଛି ଟଙ୍କା ଦିଅ ମୁଁ ଲାଞ୍ଚ ଦେଇ ବଡ଼ ଚାକିରୀ କରିବି l ଝିଅ ଟଙ୍କା ମିଳିବା ଶୁଣି ହଜାର l କହିଲା ବାପା ଝିଅ ହେଲେ କଣ ମୋର ଭାଗ ନାହିଁ, ମୋ ସ୍ୱାମୀ ଦେହ ଖରାପ ମୋତେ କିଛି ଦିଅ ମୁଁ ଡାକ୍ତର ଦେଖାଇବି l ହେଲେ ମୋ ସ୍ତ୍ରୀର କିଛି ଅଭିଯୋଗ ନାହିଁ l ସେ ଏବେ ଏସବୁ ଦେଖି ରୋଗ ଶଯ୍ୟାରେ l ସେହି ପଇସାରେ ତାକୁ ଭଲ କରିବି ନା ପିଲାମାନଙ୍କୁ ଦେବି l ସେମାନେ ଯେଝା ବାଟରେ ଯିଏ l ଆମକୁ ଦେଖିବାକୁ କେହି ନାହିଁ l ଗାଁର ପାଣିପାବନ ତାଙ୍କ ଦେହରେ ଯାଉ ନାହିଁ l ଲାଇନ ସବୁବେଳେ ରହୁ ନାହିଁ, ଏ. ସି. ନାହିଁ, ଫ୍ରିଜ ନାହିଁ, ୱାସିଂ ମେସିନ ନାହିଁ ଏଠି କଣ ମଣିଷ ରୁହନ୍ତି l ଯେଉଁ ଘର ଦିନେ କୋଳାହଳରେ ପୁରିଉଠୁଥିଲା ଆଜି ସେ ଘର ନିରବୀ ଯାଇଛି l ପିଲାମାନେ ଆମର l ତାଙ୍କୁ ପଇସା ଦେଇଦିଅ l ମୁଁ ଆପେ ଭଲ ହୋଇ ଯିବିନି l ତାଙ୍କର ଅସୁବିଧା ନ ଥିଲେ ସେମାନେ କଣ ମାଗିଥାନ୍ତେ l ସତରେ ମାଆର ମନ କେତେ ଉଦାର ଆଉ ମାଆର ହୃଦୟ କେତେ ବିଶାଳ l ତୁମେମାନେ ତ ସବୁ ପଳାଇ ଯିବ l ଆମେ ବୁଢାବୁଢୀ ଦି ଜଣ କଣ କରିବୁ, କିପରି ଚାଲିବୁl ମଝିଆ ବୋହୂ ବାହାରି ପଡି କହିଲା, “ତୁମର ତ ବୟସ ଗଲାଣି l ଆମ ପୁଅଝିଅ ତ ପୁଣି ମଣିଷ ହେବେ ନା ନାହିଁ l ଏ ମଫସଲ ଗାଁରେ କେଉଁ ସୁବିଧା ଅଛି ଯେ l ସାନ ବୋହୂ କଥାରେ ଜୁଆ ଦେଇ କହିଲା ୟାଙ୍କର ତ ବୟସ ହେବାରୁ ମୁଣ୍ଡ ଖରାପ ହୋଇଗଲାଣି l ଏଣୁତେଣୁ ସେହିଯୋଗୁ ଗପୁ ଛନ୍ତି l ଝିଅକୁ କହିଲାରୁ ସେ କହିଲା, ଝିଅ ଘରେ ବାପମା ରହିଲେ ଲୋକେ କହିବେ କଣ ? କହିବେ ପୁଅମାନେ ଥାଉଁ ଥାଉଁ ଝିଅ ଘରେ ରହୁଛନ୍ତି l ବଡ଼ ବୋହୂ କହିଲା ଆମେ ସାଙ୍ଗରେ ନିଅନ୍ତୁ ଯେ ଆମର ଘର ଛୋଟ l ବାପାମାଆ ଦୁଇଜଣ କେମିତି ରହିବେ l ଅଶୋକ ବାବୁ ଝିଅ ବାହାଘରକୁ ତ ଟଙ୍କା ଉଠାଇ ଦେଇଥିଲେ l ଯାହା କିଛି ମିଳିଥିଲା ସମସ୍ତଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦେଲେ l ଅଳ୍ପଦିନ ମଧ୍ୟରେ ମୋ ସ୍ତ୍ରୀ ମମତାଙ୍କ ବେମାରୀଟା ବଢିଗଲା l ଟଙ୍କା ପଠାଇବା ତ ଦୂରର କଥା l କେହି ଦେଖିବାକୁ ଆସିଲେ ନାହିଁ l ଶେଷରେ ବୁଢ଼ୀଟା ମରି ଗଲା l କେହି ଶୁଦ୍ଧ ହେବାକୁ ବି ଆସିଲେ ନାହିଁ l ମମତାର ହାତ ତିଆରି ପରିବାରଟା ଆଜି ଖଣ୍ଡ ବିଖଣ୍ଡିତ l ବୟସର କ୍ଲାନ୍ତ ଅପରାହ୍ନରେ ସାହାହେବାକୁ କିମ୍ବା ଆହା କରିବାକୁ କେହି ଆଜି ନାଁହାନ୍ତି l ଆଜି ତା କଥା କାହିଁକି ବେଶୀ ମନେ ପଡୁଛି l ସେ କେବେ କିଛି ମାଗିନି କି ଅଳି କରେନି l ଏମିତି କି ଭଲରେ କେବେ କଥା ବି ଦିଜଣ ହେଇନୁ l କାମରେ ତ ସମସ୍ତେ ବ୍ୟସ୍ତ ଥାଉଁ l ମୋ ଆଦର୍ଶରେ ତିଆରି ପରିବାରଟା ଆଜି ଭାଙ୍ଗି ଯାଇଛି l ଆଦର୍ଶର ଆଜି ଅଧପତନ ଘଟିଛି l ଆଧୁନିକତାର କବର ତଳେ ସେ ଆଜି ଚାପି ହୋଇ ଯାଇଛି l ମରି ଯାଇଛି ଆଜି ଆଦର୍ଶ l ଶିକ୍ଷକତା ସମୟରେ ଯେଉଁ ଛାତ୍ରକୁ କିଛି ତୁ କରି ପାରିବୁନି ବୋଲି କହୁଥିଲି ସେହି ଆଦର୍ଶ ଛାତ୍ରଟି ଏବେ ମୋର କ୍ଲାନ୍ତ ଅପରାହ୍ନର ସାଥୀ ହୋଇଯାଇଛି l ଧନ୍ୟ ପ୍ରଭୁ ତୁମ ଲୀଳା l ଏହା କଣ ସବୁ ଆମ ଆଦର୍ଶ ଶିକ୍ଷାର ଫଳ ?

ପ୍ରିୟମ୍ବଦା ରାଉତ,
ମାଲକାନଗିରି