କୋରନା ଠାରୁ ବଳି ଗଲାଣି ଦର ବୃଦ୍ଧି : ଚିନ୍ତାରେ ଖାଉଟି…

ଭଞ୍ଜନଗର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱରେ କୋରନା ମହାମାରୀ କାୟା ବିସ୍ତାର କରିଚାଲିଛି । ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯିବା ସହ ଜନସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ଏଥିପାଇଁ ଦେଶରେ ସରକାରଙ୍କ ପକ୍ଷରୁ ଲକଡ଼ାଉନ, ସଟଡ଼ାଉନ, ୧୪୪, ଜନତାକର୍ଫ୍ୟୁ, ଅନଲକ-୧ ଆଦି କାର୍ଯ୍ୟକାରୀ କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ବିଭିନ୍ନ କଟକଣା ଜାରୀ କରାଯାଇଛି । ଗତ ୩ ମାସରୁ ଅଧିକ ଦିନ ଧରି ଲକଡ଼ାଉନ ଜାରି ହୋଇ ରହିଛି । କରୋନା କଟକଣାକୁ ନେଇ ବିଭିନ୍ନ ବର୍ଗର ଲୋକେ ସେମାନଙ୍କ ରୋଜଗାର ହରାଇ ଘରେ ହାତବାନ୍ଧି ବସିଛନ୍ତି । ଫଳରେ ପରିବାର ପ୍ରତିପୋଷଣ ପାଇଁ ଅନେକ ସମସ୍ୟା ଦେଖାଦେଇଛି । ଆଉ ଏଭଳି ପରିସ୍ଥିତିରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ସେମାନଙ୍କ ପେଟକୁ ଶକ୍ତ ଲାତ ଦେଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଓ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟବସାୟୀ ମାନେ ମନଇଛା ଅହେତୁକ ଦର କଶୁଛନ୍ତି । ପ୍ରତ୍ୟେକ ପନିପରିବାର ମୁଲ୍ୟ ୪୦ ଟଙ୍କାରୁ ଉର୍ଦ୍ଧ ରହିଛି । ଆଳୁ କିଲେ। ପିଛା ୨୬ ଟଙ୍କା ଥିବାବେଳେ ଟମାଟ ୬୦, ବାଇଗଣ, କଟିକି ପୋଟଳ ଓ କାଙ୍କଡ଼ ଆଦି ୫୦ ଟଙ୍କା ରହିଛି । ଏପରିକି ତେଲ, ଚିନି, ସୁଜି, ଅଟା, ବେସନ ଓ ଲୁଣ ପରି ରାସନ ସମାଗ୍ରୀର ମୁଲ୍ୟ ମଧ୍ୟ ଚଢା ଦରରେ ବିକ୍ରି ହେଉଛି । ଗୋଟିଏ ପଟେ ଲକଡ଼ାଉନ ଯୋଗଁ କୌଣସି କାମଧନ୍ଦା ନପାଇ ଘରେ ହାତ ବାନ୍ଧି ବସିଥିବା ବେଳେ, ଲୋକଙ୍କ ପାଖରେ ପରିବାର ପ୍ରତିପୋଷଣ ସକାଶେ ଅର୍ଥର ଅଭାବ ରହିଛି । ଏଭଳି ପରିସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ପ୍ରଶାସନ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

ରିପୋର୍ଟ – ନିଲୁ ବିଷୋୟୀ