କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ୯ଟି ଦୋକାନ ସିଲ୍ କଲା ପ୍ରଶାସନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ୯ଟି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ସୂଚନା ଅନୁଯାୟୀ ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଥିବାରୁ କରୋନା କଟକଣାକୁ କଡାକଡି ପାଳନ କରିବା ଦିଗରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ କରୋନା ହଟସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ କୋଭିଡ୍ କଟକଣାକୁ ଖୋଲାଖୋଲି ଭାବେ ଉଲଙ୍ଘନ କରାଯାଉଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ କରାଯାଇଥିବା ନିୟମ ଉଲଙ୍ଘନ କରିବା ଅଭିଯୋଗରେ ୯ଟି ଦୋକାନକୁ ସିଲ୍ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ସାପ୍ତାହିକ ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ୍ ନିୟମ ବଳବତ୍ତର ରହିଛି । କିନ୍ତୁ ଏହାକୁ କିଛି ଦୋକାନୀ ଖିଲାପ କରିଥିଲେ । ଜିଲ୍ଲା ପ୍ରଶାସନ ଜାରି କରିଥିବା ପଞ୍ଚସୂତ୍ରୀ ନିୟମ ଉଲଙ୍ଘନ ନେଇ ଶନିବାର ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୯ଟି ଦୋକାନକୁ ଗତକାଲି ସିଲ୍ କରାଯାଇଥିବା ସୂଚନା ମିଳିଛି । ସିଲ୍ ହୋଇଥିବା ଦୋକାନ ମଧ୍ୟରେ ଡ୍ରେସ୍, ହୋଟେଲ, ଫର୍ଣ୍ଣିଚର ଦୋକାନ ଓ ଗ୍ୟାରେଜ ଆଦି ରହିଛି । ଏହି ସବୁ ଦୋକାନ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ, ଆସ୍କାରୋଡ୍, ଗୋଇଲୁଣ୍ଡି, ଆମ୍ବପୁଆ ଅଞ୍ଚଳରେ ରହିଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା