କୋଭିଡ୍ ଟିକାକରଣର ଶୁଭାରମ୍ଭ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ପୂର୍ବାହ୍ନ ୧୦.୩୦ମି. ସମୟରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ଦ୍ବାରା ଭାରତବର୍ଷର କୋଭିଡ୍ ଟିକାକରଣର ଶୁଭାରମ୍ଭ କରିଥିଲେ । ଠିକ୍ ପରେ ପରେ ବ୍ରହ୍ମପୁର ସିଟି ହସ୍ପିଟାଲ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର କୋଭିଡ୍ ଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଜଣାଇଥିଲେ ଯେ ଏହି ଟିକାକରଣ ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଚାଲୁ ରହିବ ଏବଂ ସବୁ ଟିକାକରଣ କେନ୍ଦ୍ରଗୁଡିକରେ ଠିକ୍ ଭାବେ ଯେପରି ପରିଚାଳନା ହେବ ସେ ଦିଗରେ ଯତ୍ନବାନ କରାଯିବ । ସର୍ବ ପ୍ରଥମେ ଡଃ ସୁନୀଲ୍ କୁମାର କୋଟାଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯାଇଥିଲା । ଦ୍ବିତୀୟରେ ଡଃ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ଏହି ଟିକା ପ୍ରଦାନ କରାଯାଇଥିଲା । ଏହାପରେ ଜିଲ୍ଲାର ଅନ୍ୟ ୧୦ ଗୋଟି ଚିକିତ୍ସାଳୟରେ ଏହି ଟିକା ବିତରକଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲାର ଡାକ୍ତର, ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ସାନିଟାରୀ ଓ୍ବାର୍କର, ସିକ୍ୟୁରିଟି ପର୍ସନେଲ ଏବଂ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ଟିକା ପ୍ରଦାନ କରାଯାଇଛି । ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ପର୍ଯ୍ୟାୟ ଟିକାକରଣ ସମାପନ ହୋଇଥିବା ଜଣାପଡିଛି । ଟିକା ପାଇଥିବା ଯୋଗୁଁ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଆସୁଥିବା କୋଭିଡ୍ ଯୋଦ୍ଧାଗଣ ଖୁସି ପ୍ରକାଶ କରି ଏଣିକି ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ନିର୍ଭୟରେ ନିଜ କାର୍ଯ୍ୟ ସମ୍ପାଦନ କରିପାରିବେ ବୋଲି ଅବଗତ କରାଇଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଜିଲ୍ଲାର ପ୍ରଥମ ଟିକା ଗ୍ରହଣ କରିଥିବା ଡାଃ ସୁନୀଲ୍ କୁମାର କୋଟାଙ୍କ ଠାରୁ ଟିକା ଗ୍ରହଣ କରିଥିବା ଯୋଗୁଁ କିଭଳି ଅନୁଭବ କରୁଛନ୍ତି ତାହା ପଚାରି ବୁଝିଥିଲେ । ଜିଲ୍ଲାରେ ୧୧୦୦ ଜଣଙ୍କ ଟିକାକରଣ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ୧୦୦୪ ଜଣଙ୍କୁ ଟିକାକରଣ କରାଯାଇଅଛି, ଯାହାକି ଶତକଡା ୯୧ ପ୍ରତିଶତ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ସାନଖେମୁଣ୍ଡି ତହସିଲଦାର ଇପସୀତା ପ୍ରିୟଦର୍ଶନୀ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ଉମା ଶଙ୍କର ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରୋଗ୍ରାମ୍ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା