କେନ୍ଦ୍ରୀୟ ସହାୟତା ରାଶି ପାଇଁ ଧାରଣା ଦେବେ ନିର୍ମାଣ ଶ୍ରମିକ…

ପଦ୍ମପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ନିର୍ମାଣ ଶ୍ରମିକ ମାନଙ୍କୁ ୧୫ ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ବରଗଡ଼ ଜିଲ୍ଲାରେ ପଞ୍ଜିକୃତ ୧ ଲକ୍ଷ ୧ ହଜାର ୨୦୬ ଜଣ ନିର୍ମାଣ ଶ୍ରମିକଙ୍କ ପାଇଁ ୧୫ ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁଦାନ ରାଶି ଆସିଥିଲା । କେନ୍ଦ୍ର ସରକାରଙ୍କ ଏହି ସହାୟତା ରାଶିକୁ ବରଗଡ଼ ଜିଲ୍ଲାରେ ବିଧାୟକ, ମନ୍ତ୍ରୀମାନେ ଗ୍ରାମ ପଞ୍ଚାୟତ ମାନଙ୍କୁ ବୁଲି ନିର୍ମାଣ ଶ୍ରମିକ ମାନଙ୍କୁ ଚେକ୍ ପ୍ରଦାନ କରିଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ଠାରୁ ଆସିଥିବା ଏହି ଅନୁଦାନ ଅର୍ଥ ଏବେ ମଧ୍ୟ ଜିଲ୍ଲାର ୧୧ ହଜାର ୬୫୪ ଜଣ ନିର୍ମାଣ ଶ୍ରମିକ ମାନେ ପାଇବାରୁ ବଞ୍ଚିତ ଅଛନ୍ତି । କେତେକ ସ୍ଥାନରେ ନିର୍ମାଣ ଶ୍ରମିକ ମାନଙ୍କ ନାମ ଭିନ୍ନ ବ୍ଲକରେ ଦର୍ଶା ଯାଇଥିବାରୁ ପାଇନଥିବା ବେଳେ ଆଉ କେତେକ ନିର୍ମାଣ ଶ୍ରମିକ ସହାୟତ ରାଶିକୁ ଗ୍ରାମ ପଞ୍ଚାୟତ କ୍ଵାରେନଣ୍ଟାଇନ ସେଣ୍ଟର ମାନଙ୍କରେ ବ୍ୟୟ କରି ଦେଇଥିବାରୁ ରାଜ୍ୟ ସରକାର କ୍ଵାରେନଣ୍ଟାଇନ ସେଣ୍ଟର ମାନଙ୍କ ସମସ୍ତ ଖର୍ଚ୍ଚ ପୈଠ କରି ନ ଥିବାରୁ ନିର୍ମାଣ ଶ୍ରମିକ ମାନଙ୍କୁ ବ୍ଲକ ଅଧିକାରୀ ମାନେ ଆର୍ଥିକ ସହାୟତ ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ଏହାସହ ନିର୍ମାଣ ଶ୍ରମିକ ମାନଙ୍କ ସହାୟତ ରାଶି ସିଧାସଳଖ ନିର୍ମାଣ ଶ୍ରମିକ ମାନଙ୍କୁ ଚେକ୍ ଆକାରରେ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ କଡାକଡି ନିର୍ଦ୍ଦେଶ ଥିବା ବେଳେ ବ୍ଲକ କର୍ତ୍ତୃପକ୍ଷ ଏହି ଟଙ୍କାକୁ ଅନ୍ୟତ୍ର କିଭଳି ଖର୍ଚ୍ଚ କଲେ ବୋଲି ଶ୍ରମିକ ମାନେ ପ୍ରଶ୍ନ କରିଛନ୍ତି । ଆସନ୍ତା ତା ୨୩ – ୮ ରିଖ ଦିନ ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଥିବାବେଳେ ତୁରନ୍ତ ଶ୍ରମିକ ମାନଙ୍କୁ ତାଙ୍କ ସହାୟତ ପ୍ରଦାନ କରିବା ପାଇଁ ନିର୍ମାଣ ଶ୍ରମିକ ମାନେ ଦାବି କରିଛନ୍ତି । ଗତ ୪ ମାସ ହେଲା ଏହି ଅର୍ଥ ଆସିଥିବା ବେଳେ ପାଇକମାଲ ବ୍ଲକ କେରେଙ୍ଗଲାବାହାଲ ଗ୍ରାମ ପଞ୍ଚାୟତ ବିଜାଡିହୀ ଗ୍ରାମର ୪୦ ଜଣ ନିର୍ମାଣ ଶ୍ରମିକ ଏହି ଟଙ୍କା ପାଇବା ପାଇଁ ବ୍ଲକ ବିଡିଓଙ୍କୁ ୨ମାସ ତଳୁ ଲେଖି ଜଣାଇଥିଲେ ମଧ୍ୟ ଅଧିକାରୀ ମାନେ ଭୁଆଁ ବୁଲାଉଛନ୍ତି । ଆଜି ପାଖାପାଖି ୨୦ ଜଣ ନିର୍ମାଣ ଶ୍ରମିକ ସର୍ବଶ୍ରୀ ଚୁତର୍ଭୁଜ ବରିହା, ହରିବୋଲ ସାହୁ, ଜେଠ କୁମାରୀ ନେଗୀ, ଅଙ୍ଗତ ରଣା, ଧନପତି ସାହୁ, ଝେସ କେତନ ସାହୁ,ଭାରତୀ ସାହୁ, ଭବନେଶ୍ୱର ରଣା, ନୁଆଁ ବୋଲ ରଣା ଆଦି ପଦ୍ମପୁର ଡେପୁଟି କଲେକ୍ଟର ଦିପ୍ତମୟୀ ଭୁଏ ଓ ପାଇକମାଲ ଥାନା ଡିଏସପି ଦିନେଶ ଚନ୍ଦ୍ର ନାୟକଙ୍କୁ ପାଇକମାଲ ବ୍ଲକ ସାମ୍ନାରେ ଆସନ୍ତା ତା ୨୧ – ୦୮ ରିଖ ଦିନ ଧାରଣା ଦେବେ ବୋଲି ଲିଖିତ ଭାବେ ଜଣାଇଛନ୍ତି ।

ରିପୋର୍ଟ – ନିରୋଜ କୁମାର ପାଣୀ