କିଟ ପଲିଟେକନିକ କ୍ରୀଡା ସମାରୋହ ଉଦଯାପିତ:ପୁରୁଷରେ ଦୀନବନ୍ଧୁ ଓ ମହିଳାର ଯମୁନା ଚମ୍ପିୟାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଗୋବିନ୍ଦ ବିହାର ସ୍ଥିତ କଲାମ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ପଲିଟେକନିକ) ପରିସରରେ ଦୁଇ ଦିନ ଚାଲିଥିବା କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ଗୋବିନ୍ଦପୁର ସ୍ଥିତ ଗ୍ରାମଦେବତୀ ମନ୍ଦିରରୁ ଛାତ୍ରଛାତ୍ରୀମାନେ କ୍ରୀଡା ମଶାଲ ନେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଅନୁଷ୍ଠାନର ଖେଳ ପଡିଆରେ ପହଞ୍ଚିଥିଲେ । କାଲାମ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ କାହ୍ନୁଚରଣ ଚୌଧୁରୀ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । କିଟ (ପଲିଟେକନିକ) ଅଧ୍ୟକ୍ଷ ଡ଼ଃ. ଅନିଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ କ୍ରୀଡା ସମାରୋହ ପରିଚାଳିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ଦେବଦତ ପଣ୍ଡା ଓ କିଟ ମ୍ୟାନେଜମେଣ୍ଟ କଲେଜ ଅଧ୍ୟକ୍ଷ ଅଜିତ କୁମାର ପୁରୋହିତ ଯୋଗ ଦେଇଥିଲେ । ଚେୟାରମ୍ୟାନ ଶ୍ରୀ ଚୌଧୁରୀ ବିଦ୍ୟାର୍ଥିମାନେ ଅଧ୍ୟୟନ ସହ ପ୍ରତିଦିନ କ୍ରୀଡ଼ାରେ ଭାଗ ନେଲେ ଶରୀର ସୁସ୍ଥ ରହିବ ବୋଲି ପରାମର୍ଶ ଦେଇଥିଲେ । ଦୁଇ ଦିନର କ୍ରୀଡା ସମାରୋହରେ ମୁଖ୍ୟତଃ ୧୦୦, ୨୦୦, ୪୦୦, ୮୦୦ ମିଟର ଦୌଡ଼ ପ୍ରତିଯୋଗିତା ସହ ଗୁଳା ଫିଙ୍ଗା, ଥାଳିଆ ଫିଙ୍ଗା, ବତ୍ସା ଫିଙ୍ଗା, ଲମ୍ବା ଡିଆଁ, ଉଚ୍ଚ ଡିଆଁ ଆଦି ପ୍ରତିଯୋଗିତା ସହ କ୍ୟାରମ, ଚେସ ଓ କ୍ରିଯେ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । କ୍ରିକେଟ ଖେଳରେ ଇଲେକ୍ଟ୍ରିକାଲ ବିଭାଗ ତୃତୀୟ ବର୍ଷ ଛାତ୍ରମାନେ ଚମ୍ପିୟାନ ହୋଇଥିବା ବେଳେ ମେକାନିକାଲ ବିଭାଗ ତୃତୀୟ ବର୍ଷ ରନର୍ସ ଅପ ହୋଇଥିଲେ । ପୁରୁଷ ବିଭାଗରେ ଦ୍ଵିତୀୟ ବର୍ଷ ମେକାନିକାଲ ବିଭାଗର ଛାତ୍ର ଦୀନବନ୍ଧୁ ଦଳେଇ ଓ ମହିଳା ବିଭାଗରେ ପ୍ରଥମ ବର୍ଷ ସିଭିଲ ବିଭାଗ ଛାତ୍ରୀ ଯମୁନା ପାହାନ ଚମ୍ପିୟାନ ବିବେଚିତ ହୋଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କିଟ ଗ୍ରୁପର ସମ୍ପାଦକ ସନ୍ତୋଷ କୁମାର ଜେନା ଓ ସମ୍ମାନିତ ଅତିଥି ଭାବେ ଭାଇସ ଚେୟାରମ୍ୟାନ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ଓ ଏମବିଏ ବିଭାଗ ମୁଖ୍ୟ ଡ଼.ଉମେଶ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କ୍ରୀଡା ସମାରୋହ ପରିଚାଳନାରେ କିଟ ଜନସମ୍ପର୍କ ଅଧିକାରୀ ଡ଼ଃ ଦେବାନନ୍ଦ ଦାଶ, ଉପାଧ୍ୟକ୍ଷ ଇଂ. ଭି.ଭି. ରାଓ, ପ୍ରଶାସନିକ ଅଧିକାରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ପ୍ରଭାତ କୁମାର ପଣ୍ଡା, ସନ୍ତୋଷ କୁମାର ତ୍ରିପାଠୀ, ପରେଶ କୁମାର ରଥ, ସୁନୀଲ କୁମାର ସ୍ୱାଇଁ, ଜି. ବିଷ୍ଣୁ କୁମାରୀ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ବୋଲି କାଲାମ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଜନ ସମ୍ପର୍କ ଅଧିକାରୀ ଡ଼ଃ. ଦେବାନନ୍ଦ ଦାସ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା