କିଛି ଦୋକାନ ଖୋଲିବା ପାଇଁ ଅନୁମତି ଦେବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଲୋକଙ୍କ ସୁବିଧା ପାଇଁ କିଛି ଅତିଆବଶ୍ୟକ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ଯିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏ ସମ୍ପର୍କରେ କେନ୍ଦ୍ର ସରକାରର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଓ ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁସାରେ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରଖିବାକୁ ନିର୍ଦ୍ଦେଶନାମା ଦିଆଯାଇଛି । ଅନୁମତି ଦିଆଯିବା ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ୫୦ ଭାଗ କର୍ମଚାରୀ କାମରେ ଯୋଗ ଦେଇପାରିବେ ଏବଂ ସମସ୍ତେ ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷା କରିବେ ବୋଲି ନିର୍ଦ୍ଦେଶନାମା ରହିଛି । ସିଙ୍ଗଲ ଓ ମଲ୍ଟିବ୍ରାଣ୍ଡ ମଲ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଦୋକାନ ଖୋଲା ଯାଇପାରିବ । ଦୋକାନୀ ଓ କର୍ମଚାରୀ ନିର୍ଦ୍ଦେଶିତ ସର୍ତ୍ତ ଓ ନିୟମାବଳୀ ପାଳନ କରିବାକୁ ବାଧ୍ୟ ବୋଲି କୁହାଯାଇଛି । ସେହିଭଳି ଆବାସିକ ଭବନ ଓ କମ୍ପ୍ଲେକ୍ସ ପରିସରରେ ଥିବା ଦୋକାନଗୁଡିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ମାର୍କେଟ କମ୍ପ୍ଲେକ୍ସ ଏବଂ ସଫିଙ୍ଗମଲ ଦୋକାନଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ । ମଦ ବିକ୍ରୟ ହୋଇପାରିବ ନାହିଁ ବୋଲି କୁହାଯାଇଛି । ତେବେ ଏହି କୋହଳ ଆଦେଶ କରୋନା ହଟସ୍ପଟ ଓ କଣ୍ଟେନମେଣ୍ଟ ଅଞ୍ଚଳରେ ଲାଗୁହେବ ନାହିଁ । ସେସବୁ ସ୍ଥାନରେ ଅଧ୍ୟାଦେଶ ପର୍ୟ୍ୟନ୍ତ କଟକଣା ବଳବତ୍ତର ରହିବ । ଉଲ୍ଲେଖନୀୟ ଯେ ଚଳିତ ମାସ ୧୫ ତାରିଖରେ କେନ୍ଦ୍ର ସରକାର କେତେକ କ୍ଷେତ୍ରକୁ ଲକଡାଉନ କଟକଣାରୁ ମୁକ୍ତ କରିଥିଲେ । ଏବେ ଏହି କୋହଳ ପଦକ୍ଷେପ ପରିସରକୁ ବଢ଼ାଇ ଦିଆଯାଇଛି । ଆସନ୍ତାକାଲି ଠାରୁ ଏହା ଦେଶରେ ଲାଗୁ ହେବ ବୋଲି ନିର୍ଦ୍ଦେଶ ହୋଇଛି ।

ରିପୋର୍ଟ : ଶୁଧାଂଶୁ ଶେଖର