କଳା କୃଷି ଆଇନ ପ୍ରତ୍ୟାହାର ଓ ପୋଲିସର ମାତ୍ରାଧିକ କାର୍ଯ୍ୟ ବିରୋଧରେ ଜଳେଶ୍ଵର ଠାରେ ଗଣ ସତ୍ୟାଗ୍ରହ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ଠାରେ ଚାଷୀମାନେ ଦୀର୍ଘ ଦୁଇ ମାସରୁ ଅଧିକ ଦିନ ବସି ରହିଛନ୍ତି । ଗତ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାସ୍ତା ଉପରେ ଟ୍ରାକ୍ଟର ଓ ଚାଷୀ ପ୍ୟାରେଡରେ କେନ୍ଦ୍ରର ମୋଦି ସରକାର ଆତଙ୍କିତ ହୋଇ ଆର୍.ଏସ୍.ଏସ୍ ଏବଂ ବି.ଜେ.ପିର ପୋଷା ଗୁଣ୍ଡା ମାନଙ୍କ ଦ୍ଵାରା ଗଣ୍ଡଗୋଳ କରି ଚାଷୀ ନେତା ମାନଙ୍କ ବିରୁଦ୍ଧରେ ମିଥ୍ୟା କେସ୍ ଦେଇ ଗିରଫ ପରୱାନା ପଠାଇବାରେ ଲାଗିଛନ୍ତି । ଏହା ଛଡ଼ା ଗତ କାଲି ବି.ଜେ.ପି ଗୁଣ୍ଡା ମାନେ ଦିଲ୍ଲୀ ବୋଡ଼ର୍ ଅଞ୍ଚଳରେ ଟେକାମାଡ଼ କରିବା ଏବଂ ପୋଲିସ ଲଗାଇ ଚାଷୀ ମାନଙ୍କୁ ଉଠାଇ ଦେବା ଉଦ୍ୟମ ମଧ୍ୟ ବିଫଳ ହୋଇଛି । ଚାଷୀ ମାନଙ୍କ ଏକତା ଏବଂ ବ୍ୟାପକ ସଂଖ୍ୟାରେ ବିଭିନ୍ନ ରାଜ୍ୟରେ ରାଜରାସ୍ତାକୁ ଆସିବା ଫଳରେ ଆର୍.ଏସ୍.ଏସ୍ – ବି.ଜେ.ପି ସରକାର ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି । କୃଷକ ଏକତା ମଞ୍ଚ ଏବଂ କୃଷକ ସଂଘର୍ଷ ମୋର୍ଚ୍ଚା ତରଫରୁ ଗାନ୍ଧୀଙ୍କ ହତ୍ୟା ଦିବସ ଦିନ ଦେଶ ତମାମ ପ୍ରତ୍ୟେକ ଅଞ୍ଚଳରେ ଚାଷୀ ମାନେ ଅନଶନ ଶାନ୍ତି ପୂର୍ଣ୍ଣ ପାଳନ କରିବା ସମୟରେ ଜଳେଶ୍ଵରର କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ବସ୍ ଷ୍ଟାଣ୍ଡ ଠାରେ ଗଣ ଅନଶନ ସଂଗଠିତ କରାଯାଇଥିଲା । ଏହି ଗଣ ସତ୍ୟାଗ୍ରହ ପ୍ରତିବାଦ ସଭାରେ ସଂଘର୍ଷ ସମନ୍ୱୟ ସମିତିର ଆବାହକ ଦିଲ୍ଲୀପ କୁମାର ଗିରି ସଭାପତିତ୍ବ କରିଥିଲେ । ଏହି ସଭାରେ ଶିଶିର ହୁଇ, ଶିତାଂଶୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ମମି ପଣ୍ଡା, ପଲ୍ଟୁ ଦାସ, ମଦନ ମହାଲା, ଜିତାଂଶୁ ନନ୍ଦୀ, ଦିଲ୍ଲୀପ ପରିଡ଼ା, ରତନ ଦାସ, ସବିତା ଭୂୟାଁ, ସେକ୍ ଅବଦୁଲ ସାଦିକ୍, ଜୀବନ ପରିଡ଼ା, ଜତିନ୍ ଜେନା ବକ୍ତବ୍ୟ ରଖିଥିଲେ l ଚାଷୀ ଆନ୍ଦୋଳନକୁ ସମସ୍ତ ସ୍ତରରେ ସମର୍ଥନ ବ୍ୟାପକ କରିବା ସହିତ ରାଜ୍ୟର ବିଜେଡି ସରକାର ଚାଷୀ ମାନଙ୍କ ସପକ୍ଷରେ ଖୋଲା ଖୋଲି ରାଜ ରାସ୍ତାକୁ ବାହାରିବା ଦରକାର । ଏହା ନ କଲେ ରାଜ୍ୟର ଚାଷୀ କୂଳ ତୁମକୁ ମଧ୍ୟ ଉଚିତ୍ ଜବାବ୍ ଦେବେ । ଜଳେଶ୍ଵର ଅଞ୍ଚଳର ଚାଷୀ ମାନଙ୍କ ସମସ୍ୟା ଉପରେ ମଧ୍ୟ ଆଜିର ସଭାରେ ବକ୍ତା ମାନେ ବକ୍ତବ୍ୟ ରଖି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ତିବ୍ର ସମାଲୋଚନା କରିଥିଲେ । ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ । ଚାଷୀ ଆନ୍ଦୋଳନ ନାମରେ ବିଜେପି ପୋଷା ଗୁଣ୍ଡା ମାନେ ଯେଉଁ ତାଣ୍ଡବ ଘଟାଇଥିଲେ ସେମାନଙ୍କୁ ତୁରନ୍ତ ଗିରଫ କର ଏବଂ ଚାଷୀ ନେତାଙ୍କ ଉପରେ ଦେଇଥିବା ମିଥ୍ୟା କେସ୍ ଗୁଡିକୁ ହଟାଇ ଦେବା ପାଇଁ ଆଜିର ସଭାରେ ଦାବି କରା ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅସିମ୍ ବେହେରା, ବିଦ୍ୟାଧର ପାତ୍ର, ରବିନ୍ଦ୍ର ଜେନା ବକ୍ତବ୍ୟ ରଖିବା ସହିତ ବିପ୍ଳବୀ କବି ଜଳଧର ଭଞ୍ଜ ଗାନ୍ଧୀଙ୍କ ଉପରେ କବିତା ପାଠ କରିଥିଲେ । ଅପରାହ୍ନ ୧ଟା ପରେ ଏହି ଗଣସତ୍ୟାଗ୍ରହ ଶେଷ ହୋଇଥିଲା ।