କରୋନା ଭାଇରସ ସଂକ୍ରମଣ ପ୍ରତିହତ ପାଇଁ ଆୟୁଷ ଚିକିତ୍ସକଙ୍କ ଅବଦାନ ଗୁରୁତ୍ୱ ପୂର୍ଣ…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଦେଶରେ ସାଧାରଣ ଲୋକଙ୍କର ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଆୟୁଷ ଡାକ୍ତରଙ୍କର ଭୂମିକା ଅତୁଳନୀୟ । ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସ ସଂକ୍ରମଣ ତଥା ‘କୋଭିଡ-୧୯’କୁ ପ୍ରତିହତ କରିବା ଦିଗରେ ଆୟୁଷ ବିଭାଗର ପୂର୍ଣ ସମ୍ପୃକ୍ତି ପ୍ରଶଂସନୀୟ ବୋଲି ଆଜି ଆୟୁଷ ଚିକିତ୍ସକମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି ।“ଆୟୁଷ ଚିକିତ୍ସାର ପରିସର ସମଗ୍ର ଦେଶର କୋଣ ଅନୁକୋଣରେ ବ୍ୟାପି ଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀକୁ ଅନୁସରଣ କରି ଚିକିତ୍ସକମାନେ ‘କରୋନା’ ଭୂତାଣୁ ସଂକ୍ରମଣ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଦିଗରେ ସେମାନେ ସକ୍ଷମ ହୋଇ ପାରିବେ । ଲୋକଙ୍କ ଶରୀର ଓ ମନକୁ ସୁସ୍ଥ ଓ ସତେଜ ରଖିବା କ୍ଷେତ୍ରରେ ଆୟୁଷ ବିଭାଗର ଭୂମିକା ଅବର୍ଣ୍ଣନୀୟ ବୋଲି ପ୍ରଧାନ ମନ୍ତ୍ରୀ ଖୁସି ହୋଇଛନ୍ତି । ଆୟୁଷ ଚିକିତ୍ସକମାନଙ୍କ ଦ୍ୱାରା ଏହି ସଂକ୍ରମଣର ନିରାକରଣ ନେଇ ଦାବି କରାଯାଉଥିବା ବେଳେ ଆୟୁଷ ବିଜ୍ଞାନୀ, ଆଇସିଏମଆର, ସିଏସଆଇଆର ଓ ଅନ୍ୟାନ୍ୟ ଗବେଷଣା ସଂଗଠନଗୁଡିକ ଏହି ଦିଗରେ ମିଳିତ ଭାବେ ଅନୁଧ୍ୟାନ କରିବା ଆବଶ୍ୟକ। କରୋନା ସଂକ୍ରମଣର ମୁକାବିଲା ପାଇଁ ସ୍ୱାସ୍ଥ୍ୟସେବାରେ ନିଯୁକ୍ତ ସମସ୍ତ କର୍ମଚାରୀ ଏକାଠି ହେବା ଆବଶ୍ୟକ । ଏପରିକି ଆୟୁଷ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଘରୋଇ ଚିକିତ୍ସକମାନେ ମଧ୍ୟ ଏହି ଦିଗରେ ସହାୟତାର ହାତ ବଢ଼ାଇ ପାରିବେ। ଆୟୁଷ ଔଷଧପତ୍ର ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଆଜିକାଲି ବହୁଳ ଭାବେ ଆବଶ୍ୟକ ହେଉଥିବା ସାନିଟାଇଜର ବା ବିଶୋଧକ ପ୍ରସ୍ତୁତ କରିବା ଦରକାର । ଟେଲିମେଡିସିନ୍‌ ପ୍ଲାଟଫର୍ମର ସଦୁପଯୋଗ କରି କରୋନା ମହାମାରୀ ପ୍ରତିହତ ପାଇଁ ଜନସଚେତନତା ସୃଷ୍ଟି କରିବା ଦରକାର। ମହାମାରୀକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ କଡାକଡି କରାଯିବାକୁ ଲୋକଙ୍କୁ ପରାମର୍ଶ ଦେବା ଆବଶ୍ୟକ ବୋଲି ପ୍ରଧାନ ମନ୍ତ୍ରୀ କହିଛନ୍ତି । ପୁଣି ଭାରତର ପାରମ୍ପରିକ ଭେଷଜ ପଦ୍ଧତି ଓ ଏହାର ଉପଯୋଗ ସମ୍ପର୍କରେ ବିଶ୍ୱକୁ ସଚେତନ କରାଇ ଭାରତର ଦକ୍ଷତା ପ୍ରତିପାଦନ କରିବା ଜରୁରୀ ବୋଲି ପ୍ରଧାନ ମନ୍ତ୍ରୀ କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା ଓ ସୁଧାଂଶୁ ଶେଖର