କରୋନା କଟକଣା ପାଇଁ ବ୍ୟାଙ୍କ କାର୍ଯ୍ୟ ନିର୍ଘଣ୍ଟରେ ପରିବର୍ତ୍ତନ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ପାଇଁ ନିର୍ଦ୍ଧାରିତ ହୋଇଥିବା ନିୟମାବଳୀ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱକୁ କଡାକଡି ପାଳନ କରିବା ଓ ଗ୍ରୀଷ୍ମ ପ୍ରବାହରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ବ୍ୟାଙ୍କ ମାନଙ୍କ ପାଇଁ ପରିବର୍ତ୍ତିତ କାର୍ଯ୍ୟ ନିର୍ଘଣ୍ଟ ଜାରି କରିଛନ୍ତି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରଦତ୍ତ ଆଦେଶ ଅନୁକ୍ରମେ ବ୍ୟାଙ୍କ କାର୍ଯ୍ୟନିର୍ଘଣ୍ଟ ପ୍ରତ୍ୟହ ପୂର୍ବାହ୍ନ ୭ ଘଣ୍ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । କିନ୍ତୁ ଗ୍ରାହକ ସେବା ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏଥି ସହିତ ସମସ୍ତ ଗ୍ରାହକ ଯେପରି ସାମାଜିକ ଦୂରତ୍ୱ ଅବଲମ୍ବନ କରିବେ ତାହା ସମ୍ପୃକ୍ତ ବ୍ୟାଙ୍କ ସୁନିଶ୍ଚିତ କରିବ । ଗ୍ରାହକ ମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ବ୍ୟାଙ୍କରେ ଅଧିକ ଗହଳି ନ କରିବା ପାଇଁ କୁହାଯାଇଛି । ଏହା ଗଞ୍ଜାମ ଜିଲ୍ଲାର ସମସ୍ତ ଜାତୀୟ କରଣ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ପ୍ରତି ଅବିଲମ୍ବେ ଲାଗୁ ହେବ । ଅପ୍ରେଲ ୨୨ ତାରିଖ ଠାରୁ ସମସ୍ତ ବ୍ୟାଙ୍କ ଏହି ସମୟ ନିର୍ଘଣ୍ଟ ମୁତାବକ କାର୍ଯ୍ୟ କରିବେ । ଯେଉଁ ବ୍ୟାଙ୍କ କରୋନା ନିୟମାବଳୀକୁ ଅମାନ୍ୟ କରିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି ବୋଲି ଗଞ୍ଜାମ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନଧି ନିମାଇଁ ଚରଣ ପଣ୍ଡା