କରୋନାର ମୁକାବିଲା ପାଇଁ କେତେକ ତ୍ୱରିତ ବ୍ୟବସ୍ଥା ଦାବୀରେ ସି.ପି.ଆଇ.(ଏମ)ର ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) କୋଭିଡ କଟକଣାକୁ ମାନି ଆଜି ସି.ପି.ଆଇ.(ଏମ୍) ଜଳେଶ୍ଵର ଲୋକାଲ କମିଟି ତରଫରୁ ବ୍ଳକ୍ ଅଫିସ୍ ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଅଛି । ମାହାମାରୀ କରୋନାର ଦ୍ବିତୀୟ ଲହର ମହା ବିପର୍ଯ୍ୟୟ ରଚାଇ ଚାଲିଛି ଏବଂ ଜିବନ ଜୀବିକା ସମ୍ପୁର୍ଣ୍ଣ ଅସୁରକ୍ଷିତ ହୋଇ ପଡିଛି । ଏହା ସାରା ବିଶ୍ବକୁ ସ୍ତବ୍ଧ ଓ ଚକିତ କରିଛି । ସ୍ବାଧୀନତାର ୭୪ ବର୍ଷ ପରେ ହସ୍ପିଟାଲରେ ଶଯ୍ୟା ଏବଂ ଅମ୍ଳଜାନ ଅଭାବରୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ଶ୍ମଶାନରେ ଜାଗା ନାହିଁ । ଖୋଲା ପଡ଼ିଆ, ଗଙ୍ଗା ନଦୀ, ବିଲ ବାଡି ଚାରିଆଡେ ଖାଲି ଶବ ଆଉ ଶବ । ହସ୍ପିଟାଲରେ ଭିତ୍ତିଭୂମି ନାହିଁ l ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଶହ ଶହ ସଂଖ୍ୟାରେ ଡାକ୍ତର ସାମ୍ବାଦିକ, ବୈଜ୍ଞାନିକ, ଶିକ୍ଷକ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହେଉଛି । ତାଲାବନ୍ଦ ପାଇଁ ଦିନ ମଜୁରୀଆ, ଅଟୋ ବାଲା, ରିକ୍ସାବାଲା, ପରିବହନ ଶ୍ରମିକ, ଛୋଟ ଦୋକାନୀ, ଉଠା ଦୋକାନୀ ପ୍ରଭୃତି ସମସ୍ତଙ୍କର ଜିବିକା ଚାଲିଯାଇଛି । ପେଟ୍ରୋଲ, ଡିଜେଲର ଦର କ୍ରମାଗତ ବଢ଼ିବାରେ ଲାଗିଛି । ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦାମ୍ ଆକାଶଛୁଆଁ । ସାର୍ବଜନୀନ ଟିକା କରଣ ହେଉନାହିଁ । ଅନଲାଇନ୍ ପଞ୍ଜୀକରଣ କରି ସଂଖ୍ୟାଧିକ ଲୋକଙ୍କୁ ଟିକା କରଣରୁ ବଞ୍ଚିତ କରାଯାଉଛି । ପୁଣି ଜଳେଶ୍ଵର ଓ ଭୋଗରାଇରେ ସଂକ୍ରମିତଙ୍କ ସଂଖ୍ୟା ୩୦୦୦ ଟପିବାକୁ ବସିଥିବା ବେଳେ ଜଳେଶ୍ଵରରେ କୋଭିଡ୍ କେୟାର ହସ୍ପିଟାଲ ଖୋଲା ଯାଉନାହିଁ । କରୋନା ସମୟରେ ସରକାରୀ କ୍ରୟ କେନ୍ଦ୍ର ନ ଖୋଲିବା ଯୋଗୁଁ ଚାଷୀ ମାନେ ଧାନ ବିକ୍ରି କରିପାରୁନାହାନ୍ତି । ଏଣୁ ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ କରୋନାର ମୁକାବିଲା ପାଇଁ ସବୁ ସ୍ତରରେ ସର୍ବଦଳୀୟ ବୈଠକ ଡାକିବା, ସାର୍ବଜନୀନ ମାଗଣା ଟିକା କରଣ କରିବା, ଅଫ୍ ଲାଇନ୍ ରେ ପଞ୍ଜିକରଣ, ପେଟ୍ରୋଲ ଓ ଡିଜେଲ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବନ୍ଦ୍ କରିବା, ସମସ୍ତ ଅଭାବି ଲୋକଙ୍କୁ ୭୫୦୦ ଟଙ୍କା ଓ ରେସନ୍ କିଟ୍ ସହ ୧୦ କେଜି ଚାଉଳ ଯୋଗାଇ ଦେବା, ବିଦ୍ୟୁତ କର ଓ ଜଳ କର ଛାଡ କରିବା, ଜଳେଶ୍ଵରରେ କୋଭିଡ୍ କେୟାର ହସ୍ପିଟାଲ ଖୋଲିବା, ସରକାରୀ କ୍ରୟ କେନ୍ଦ୍ର ଖୋଲି ଚାଷୀମାନଙ୍କ ଠାରୁ ଧାନ କିଣିବା ପ୍ରଭୃତି ୧୯ ଦଫା ଦାବିପତ୍ର ଜଳେଶ୍ଵର ବି.ଡି.ଓ, ଦିପ୍ତିରଞ୍ଜନ ସେଠିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଦାବି ଗୁଡ଼ିକୁ ପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ନ ଦେଲେ ଜନ ଜୀବନ ରକ୍ଷା ପାଇଁ ଆନ୍ଦୋଳନକୁ ଆହୁରି ତିବ୍ର କରାଯିବ ବୋଲି ପ୍ରତିବାଦ ସଭାରେ ଚେତାବନୀ ଦିଆଯାଇଛି । ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ବରେ ସି.ପି.ଆଇ(ଏମ) ବରିଷ୍ଠ ନେତା ଶିଶିର ହୁଇ, ଶିତାଂଶୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦୀ, ଦିଲ୍ଲୀପ ପରିଡ଼ା, ପଲ୍ଟୁ ଦାସ, ରତନ ଦାସ, ରବିନ୍ଦ୍ର ବାରିକ, ଜୀବନ ପରିଡ଼ା, ଗଣେଶ ଭୂୟାଁ, ରାମଚନ୍ଦ୍ର ଦେ, ସେକ୍ ଅବଦୁଲ ସାଦିକ୍, ଲକ୍ଷ୍ମୀଧର ପଲାଇ, ଇଶାନି ଷଡ଼ଙ୍ଗୀ, ମମି ପଣ୍ଡା, ସବିତା ଭୂୟାଁ, ରାଜିବ୍ ଲୋଚନ ପଣ୍ଡା, ଚନ୍ଦନ ଶତପଥୀ, ରାଜକୁମାର ଆଚାର୍ଯ୍ୟ, ବରେନ୍ଦ୍ର ନନ୍ଦୀ, ଧୀରେନ୍ଦ୍ର ଦେ ପ୍ରମୁଖ ନେତୃତ୍ୱ ଓ ବକ୍ତବ୍ୟ ରଖିଥିଲେ l