କଣ୍ଟେନ୍‌ମେଣ୍ଟ ସତ୍ୱେ ଅମାନିଆ ଯାଉଛନ୍ତି ପଶ୍ଚିମବଙ୍ଗ : ସ୍ୱାସ୍ଥ୍ୟ ବିଭାଗର ଘରକୁଘର ସର୍ଭେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ମାକିଡିଆ ପଞ୍ଚାୟତଟି ପଶ୍ଚିମବଙ୍ଗର ଦାନ୍ତୁନ ସୀମାକୁ ଲାଗି ରହିଛି । ପଞ୍ଚାୟତରେ ୧୭ଟି କରୋନା ପଜେଟିଭ୍ ବାହାରିବା ପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ତହସିଲଦାର ରବିବାର ମଧ୍ୟରାତ୍ରରୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଥିଲେ । ଫଳରେ ଏହି ପଞ୍ଚାୟତର ଓଲମରା- କୁଅଁରପୁର, ମାଜଣାସାହି ରାସ୍ତା, ବେହେରା ଛକ, ମଧୁସୂଦନ ପାଳ ରାସ୍ତା, ପ୍ରଧାନସାହି ଛକ, ଅର୍ଦ୍ଧହଶୁପାଳ ଛକ, ମାକିଡିଆ ପଞ୍ଚାୟତ ଛକ ଓ କୁଁରପୁରର ମୁଖ୍ୟ ରାସ୍ତାରେ ବ୍ୟାରିକେଟ କରାଯାଇଛି । ଏହି ପଞ୍ଚାୟତକୁ ଲାଗି ସୁବର୍ଣ୍ଣରେଖା ନଦୀର ଅପରପଟରେ ପଶ୍ଚିମବଙ୍ଗର ଦାନ୍ତୁନ ସହର ସହିତ ଏ ଅଞ୍ଚଳର ଲୋକଙ୍କ ସିଧାସଳଖ ସଂପର୍କ ଥିବାରୁ ବଜାର ବ୍ୟବସାୟ ଲାଗି ଦୁଇ ଅଞ୍ଚଳର ଲୋକେ ପ୍ରତିଦିନ ଯାତାୟାତ କରିଥାନ୍ତି । ଏବେ ହୋଇଥିବା ୮ଟି ବ୍ୟାରିକେଟ ରାସ୍ତାରେ ବହୁ ଲୋକେ ବ୍ୟାରିକେଟ ଡେଇଁ ଯାତାୟାତ କରୁଥିବାର ଅଭିଯୋଗ ହୋଇଛି । କଣ୍ଟେନ୍‌ମେଣ୍ଟ ଜୋନ୍ ଭିତରେ ଦୋକାନ ଖୋଲା ରହିବା, କେତେକ ଅମାନିଆ ଗାଁ ରାସ୍ତାରେ ଚକ୍କର ମାରିବା ଓ କୁଅଁରପୁରରୁ ୬ଜଣ କରୋନା ପଜେଟିଭ୍ ବାହାରିଥିଲେ ମଧ୍ୟ ସେଠାରେ ବେରିକେଟ୍ ନ ହେବା ସେ ଅଞ୍ଚଳର ବହୁ ବ୍ୟକ୍ତି ଅଭିଯୋଗ କରିଛନ୍ତି । ବେରିକେଟ ନିକଟରେ ପୋଲିସ୍ ରହୁ ନ ଥିବାରୁ ଏପରି ଘଟଣା ଘଟୁଥିବା କୁହାଯାଇଛି । ଅନ୍ୟପକ୍ଷରେ କରୋନା ପଜେଟିଭ୍ ଦେଖା ଦେଇଥିବା ୱାର୍ଡ ନଂ ୨, ୩, ୪, ୫, ୬ ର ୩୨୦ ପରିବାରକୁ ସର୍ଭେ କରିବାଲାଗି ୮ଟି ଦଳ ଗଠିତ ହୋଇଛି । ପ୍ରତିଦଳରେ ଆଶା, ଅଙ୍ଗନୱାଡି କର୍ମୀ, ଏଏନ୍‌ଏମ୍ ଓ ଜଣେ ଶିକ୍ଷକ ପ୍ରତି ଘରକୁ ଘର ଯାଇ ସର୍ଭେ କାର୍ଯ୍ୟ କରୁଥିବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ଏହି କାର୍ଯ୍ୟ କଣ୍ଟେନ୍‌ମେଣ୍ଟ ଘୋଷଣାର ୭ଦିନ ପର୍ଯ୍ୟନ୍ତ ଚାଲିବ ଓ ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ଔଷଧ ମଧ୍ୟ ପ୍ରଦାନ କରାଯିବ । ଲକ୍ଷଣ ଯୁକ୍ତ ରୋଗୀଙ୍କୁ କୋଭିଦ୍ ହସ୍‌ପିଟାଲ ପଠାଯିବା ନିଶ୍ଚିତ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

ରିପୋର୍ଟ : ଭୂପତି କୁମାର ପରିଡା