ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍‌ ବିଧାନସଭାରେ ଆଗତ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜ୍ୟ ସରକାର ବିଧାନସଭାରେ ଆଜି ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ-୨୦୨୧ ଆଗତ କରି ସଂରକ୍ଷଣ ସୀମାକୁ ସର୍ବାଧିକ ୫୦ ପ୍ରତିଶତ ରହିବ ବୋଲି ସ୍ପଷ୍ଟ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଆଜି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ବିଲ୍ ଆଗତ କରିଛନ୍ତି । ଗୃହରେ ଆଗତ କରିଥିବା ବିଲର ଉଦ୍ଦେଶ୍ୟ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜେନା ଦର୍ଶାଇଛନ୍ତି ଯେ, ଓଡ଼ିଶା ହାଇକୋର୍ଟ ୨୦୧୮ ଏପ୍ରିଲ ୧୮ତାରିଖରେ ଦେଇଥିବା ରାୟ ଅନୁସାରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତରୁ ଅଧିକ ହେବା ଅନୁଚିତ୍ । ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷଣକୁ ଦେଖିଲେ ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଓ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ର ପ୍ରାବଧାନ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣରେ କୌଣସି ସଂଶୋଧନ ଆବଶ୍ୟକତା ନାହିଁ । କିନ୍ତୁ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଆଇନରେ ସଂଶୋଧନ ଆବଶ୍ୟକତା ରହିଛି । ତେବେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କୁ ମିଶାଇ ସର୍ବାଧିକ ମୋଟ ୫୦ ପ୍ରତିଶତ ସଂରକ୍ଷଣ ରହିବ । ଅବଶ୍ୟ ଭାରତୀୟ ସମ୍ବିଧାନର ଧାରା ୨୪୩-ଟି  ଅନୁସାରେ ପ୍ରତ୍ୟେକ ପୌରାଞ୍ଚଳର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସେଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ହେବ । ମାତ୍ର ଅଧ୍ୟକ୍ଷ ପଦରୁ କେତେ କେଉଁ ବର୍ଗ ଓ କାହା ପାଇଁ ସଂରକ୍ଷଣ ରହିବ ତାହା ସ୍ଥିର କରିବାର ଅଧିକାର ରାଜ୍ୟ ବିଧାନସଭାକୁ ପ୍ରଦାନ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରା କେ.କ୍ରିଷ୍ଣାମୂର୍ତ୍ତି ମାମଲାରେ ଦିଆଯାଇଥିବା ରାୟକୁ ପାଳନ କରି ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଓ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ରେ ଥିବା ପ୍ରାବଧାନର ସଂଶୋଧନ ଆବଶ୍ୟକ ହୋଇଛି ।ଏହି ଆଇନ ବିଧାନସଭାରେ ପାରିତ ହେବା ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ମାର୍ଗ ପ୍ରଶସ୍ତ ହେବ ବୋଲି କୁହାଯାଇଛି ।