ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପ୍ରତିଷ୍ଠା ଦିବସରେ ଉଦ୍‌ଘାଟନ ହେଲା ‘ନିମନ୍ତ୍ରଣ’…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଓଡ଼ିଆ ବ୍ୟଞ୍ଜନକୁ ଲୋକପ୍ରିୟ କରିବା ପାଇଁ ରାଜଧାନୀ ଭୁବନେଶ୍ୱରର ଜନପଥରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପ୍ରତିଷ୍ଠା ଦିବସ ଅବସରରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଟିଡିସି ‘ନିମନ୍ତ୍ରଣ’’ର ପରିଚାଳନା କରିବ । ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଆଗକୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଓ ସମ୍ବଲପୁରର ରାନୀ ବଖ୍ରୀଠାରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ଖୋଲିବ ବୋଲି କୁହାଯାଇଛି । ‘ନିମନ୍ତ୍ରଣ’’ ଜରିଆରେ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନର ପ୍ରୋତ୍ସାହନ ଉଦ୍ୟମର ପ୍ରଶଂସା କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ । ସେ କହିଛନ୍ତି, ସ୍ଥାନୀୟ ବ୍ୟଞ୍ଜନ ପର୍ଯ୍ୟଟକଙ୍କୁ ସ୍ଥାନ ସମ୍ବନ୍ଧରେ ଧାରଣା ଜନ୍ମାଇବାକୁ ବାଧ୍ୟ କରେ । ଓଡ଼ିଶା ପର୍ଯ୍ୟଟନର ଅଭିନବ ଉଦ୍ୟମ ‘ନିମନ୍ତ୍ରଣ’ ମାଧ୍ୟମରେ ରାଜ୍ୟର ବ୍ୟଞ୍ଜନଦ୍ଧ ପର୍ଯ୍ୟଟନର ବିକାଶ ଘଟିବା ସହ ପର୍ଯ୍ୟଟକଙ୍କ ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ବିବିଧତାକୁ ଜାଣିବାକୁ ସୁଯୋଗ ସୃଷ୍ଟି ହୋଇପାରିବ । ଓଟିଡିସିର ସ୍ଥପାନା ଦିବସକୁ ସ୍ମରଣୀୟ କରିବା ପାଇଁ ଏକ କ୍ୱିଣ୍ଟାଲ୍‌ ଓଜନର ପୋଡ଼ପିଠା ପ୍ରସ୍ତୁତ କରାଯାଇଥିଲା । ଏହି ଅବସରରେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ ଯେ, କୋଭିଡ ମହାମାରୀ ପରବର୍ତ୍ତୀ ପର୍ଯ୍ୟଟନ ପୁନଃଉଦ୍ଧାର କାର୍ଯ୍ୟକ୍ରମରେ କଟକ ମହାନଦୀଠାରେ ଥିବା ସିଲ‍୍‌ଭର ସିଟି ବୋଟ୍‌ କ୍ଲବ, ପୁରୀର ବ୍ଲୁ ଫ୍ଲାଗ ବେଳାଭୂମି ଓ ଚନ୍ଦ୍ରଭାଗା ବେଳାଭୂମିରେ ଖାଦ୍ୟପାନୀୟ ବ୍ୟବସ୍ଥା କରାଯିବା ଭଳି ଅନେକ ପଦକ୍ଷେପ ନିଆଯାଇଛି । ଶୁଦ୍ଧ ଓଡ଼ିଆ ବ୍ୟଞ୍ଜନ ପ୍ରଣାଳୀକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଏକ ରନ୍ଧନ ପ୍ରତିଯୋଗିତା ‘ଆମ ହାଣ୍ଡିଶାଳ’ ଆୟୋଜନ କରାଯାଇଥିଲା । ରଜ ଉପଲକ୍ଷେ ଭ୍ରାମ୍ୟମାଣ ଯାନରେ ବିଭିନ୍ନ ପ୍ରକାର ପିଠା ଲୋକଙ୍କ ନିକଟକୁ ପହଞ୍ଚା ଯାଇଥିଲା ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।