ଓଡିଶା ଚାଷୀଙ୍କ ୟୁରିଆ ସାର ଛତିଶଗଡ, ଆନ୍ଧ୍ରପ୍ରଦେଶ, ବଙ୍ଗାଲକୁ ଚୋରା ଚାଲାଣ ଅଭିଯୋଗ…

ପଦ୍ମପୁର/ବରଗଡ଼ (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାର ଓଡିଶା ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ସାର ଯୋଗାଇ ଦେଇଥିବା ବେଳେ ରାଜ୍ୟ କୃଷି ବିଭାଗର ଅପାରଗତା ଓ ସ୍ଥାଣୁତା ଯୋଗୁଁ ଓଡିଶା ଚାଷୀ କଲା ବଜାରରେ ୫ ଶହ ରୁ ୬ ଶହ ଟଙ୍କା ଦେଇ ୟୁରିଆ ସାର କିଣୁଥିବା ବେଳେ ଓଡିଶା ଚାଷୀଙ୍କ ସାର ବ୍ୟାପକ ମାତ୍ରାରେ ସୀମାନ୍ତବର୍ତ୍ତୀ ଛତିଶଗଡ, ଆନ୍ଧ୍ରପ୍ରଦେଶ ଓ ବଙ୍ଗାଲକୁ ଚୋରା ଚାଲାଣା କରାଯାଇଛି ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । ଶ୍ରୀ ପୁରୋହିତ ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି ଯେ ଆଉ ମାତ୍ର ଏକ ସପ୍ତାହ ଭିତରେ ହିଁ ଚାଷୀମାନଙ୍କୁ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ସାରା ରାଜ୍ୟ ବହୁ ଅଧିକ ଦରରେ ଖୋଲା ବଜାରରେ ସାର ବିକ୍ରି ଚାଲିଛି । ୟୁରିଆ ସାରରେ କୋଟି କୋଟି ଟଙ୍କା ବେପାରୀମାନେ ମୁନଫା ଉଠାଉଥିବା ବେଳେ ଚାଷୀମାନେ ସର୍ବଶାନ୍ତ ହେଉଛନ୍ତି । ଦ୍ବିତୀୟରେ ଏବେ ଚାଷୀମାନଙ୍କ ଧାନ କ୍ଷେତରେ ପତ୍ରପୋଡା, ମହିସା, କାଣ୍ତବିନ୍ଧା, ବଙ୍କି, ବଂଗି ଆଦି ରୋଗ ଆକ୍ରାନ୍ତ କରୁଥିବା ବେଳେ କେନ୍ଦ୍ର ସରକାର ୫୦ ଭାଗ ସବ୍ ସିଡିରେ ଯୋଗାଇ ଦେଉଥିବା ଔଷଧ ମଧ୍ୟ ଚାଷୀଙ୍କ ପାଖରେ ପହଞ୍ଚି ନାହିଁ । ଖୋଲା ବଜାରରେ ଅଧିକ ଦରରେ ଚାଷୀ ଔଷଧ କିଣିବାକୁ ବାଧ୍ୟ ହେଉଛି । କାଳିଆ ଯୋଜନା ନାଁ ରେ ଓଡିଶାର ଚାଷୀଙ୍କୁ ଅପମାନିତ କରିଥିବା ଓଡିଶା ସରକାର ଅତିକମରେ ବର୍ତ୍ତମାନ ଚାଷ କାର୍ଯ୍ୟର ଘଡିସନ୍ଧି ମୁହୁର୍ତ୍ତରେ ଓଡିଶାର ମୁଖ୍ୟମନ୍ତ୍ରୀ ତୁରନ୍ତ କୃଷି ବିଭାଗର ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ଚାଷୀଙ୍କ ପାଖରେ ୟୁରିଆ ଓ ଔଷଧ କିଭଳି ପହଞ୍ଚିବ ତାର ବ୍ୟବସ୍ଥା କରନ୍ତୁ ବୋଲି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ।