ଓକିଲମାନେ ଗାଡି ନେଇ କୋର୍ଟ ଯିବାକୁ ଅନୁମତି ପ୍ରଦାନ ପ୍ରସଙ୍ଗ : ପରବର୍ତ୍ତୀ ଶୁଣାଣି ମଇ ୧…

କଟକ (ସମୃଦ୍ଧ ଓଡିଶା) ଦେଶରେ ଲକ୍‌ଡାଉନ ଜାରୀ ଥିବାବେଳେ କୋର୍ଟ କାର୍ଯ୍ୟ କରିବା ପାଇଁ ଯାଉଥିବା ଆଇନଜୀବୀ, ମୋହରିୟର ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ରାସ୍ତାରେ ଗାଡ଼ି ନେଇ ଯାତାୟାତ କରିବା ବେଳେ ପୋଲିସ ଅଟକାଇବା ଓ ନ ଛାଡିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ଅନୁମତି ପ୍ରଦାନ ପାଇଁ ରାଜ୍ୟ ସରକାର ସତ୍ୟ ପାଠ ଦାଖଲ ନିମନ୍ତେ ପୂର୍ବତନ ଓକିଲା ସଂଘର ଯୁଗ୍ମ ସମ୍ପାଦକ ଦିଲୀପ କୁମାର ରାୟ ଦାଖଲ କରିଥିବା ମକଦମାର ଶୁଣାଣି କରି ସତ୍ୟପାଠ ଦାଖଲ କରିବା ନିମନ୍ତେ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଇ ୧ରେ କରାଯିବା ପାଇଁ ଧାର୍ଯ୍ୟ ହୋଇଥିବା ଜଣାପଡିଛି । ଆଜି ଜଷ୍ଟିସ ବିଶ୍ୱଜିତ ମହାନ୍ତି ଓ ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ମାମଲାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ହୋଇଥିଲା । ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମ-ସଂପାଦକ ଶ୍ରୀ ରାୟଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ମାମଲାରେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଥିବା ବେଳେ ହାଇକୋର୍ଟ ଓ ନିମ୍ନ ଅଦାଲତଙ୍କ କାର୍ଯ୍ୟାବଳୀ ଏପ୍ରିଲ ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଲକ୍‌ଡାଉନ ସମୟରେ ପ୍ରତିଦିନ କାର୍ଯ୍ୟ ଦିବସରେ ହାଇକୋର୍ଟ ଫାଇଲିଂ କାଉଣ୍ଟର ଦିନ ୧୦ଟା ୩୦ରୁ ୧ଟାଏ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା । ସେଭଳି ନିମ୍ନ ଅଦାଲତଗୁଡିକ ଯେଉଁଠି ସକାଳୁଆ କାର୍ଯ୍ୟ ଦିବସ ଅଛି ସେଗୁଡିକ ସକାଳ ଦିନ ୯ଟାରୁ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ସେହିଭଳି ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ନାହିଁ ସେଠାରେ କୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏପ୍ରିଲ ୧୫ର ବିଜ୍ଞପ୍ତି ପରେ ଆଇନଜୀବୀ, ନୋଟାରି, ମୋହରିୟର, ଷ୍ଟାମ୍ପ ଭେଣ୍ଡର ଆଦିଙ୍କୁ କାର୍ଯ୍ୟ କରିବାକୁ ଅଦାଲତକୁ ଯିବା ପାଇଁ ଅନୁମତି ପ୍ରଦାନ କରାଯିବା ନିମନ୍ତେ ଏହି ଆଇନଜୀବୀ ଆବେଦନରେ ଦର୍ଶାଇଛନ୍ତି । ଲକ୍‌ଡାଉନ ସମୟରେ କେବଳ ଅଦାଲତ କାର୍ଯ୍ୟ ପାଇଁ ଯାଉଥିବା ଆଇନଜୀବୀ ଓ ଅନ୍ୟମାନଙ୍କୁ ଗାଡି ଧରି ଯିବା ପାଇଁ ଅନୁମତି ପ୍ରଦାନ କରିବା ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ଏହି ଆଇନଜୀବୀ ଅନୁରୋଧ କରିଥିଲେ । ଏଥିପାଇଁ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ପତ୍ର ଦେଖି ଛାଡ଼ିବା ଆବଶ୍ୟକ ଏବଂ ଏଥି ସହିତ ଅଦାଲତ କାର୍ଯ୍ୟ କରିବା ପାଇଁ ଯାଉଥିବା ଆଇନଜୀବୀ ଓ ଅନ୍ୟମାନଙ୍କ ବିରୋଧରେ ନିୟମ ଉଲ୍ଲଂଘନ ଅଭିଯୋଗ ଆଣି କୌଣସି ମାମଲା ରୁଜୁ ନ କରିବା ପାଇଁ ସରକାର ସୁନିଶ୍ଚିତ ହେବା ଆବଶ୍ୟକ ବୋଲି ଦର୍ଶାଇ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନି‌ର୍ଦ୍ଦେଶ ପ୍ରଦାନ କରନ୍ତୁ ବୋଲି ଆବେଦନକାରୀ ଅନୁରୋଧ କରିଛନ୍ତି । ମାମଲାରେ ରାଜ୍ୟ ଗୃହ ବିଭାଗ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହାର ପରବର୍ତ୍ତୀ ଶୁଣାଣି ମଇ ପହିଲାରେ ହେବା ପାଇଁ ତାରିଖ ଧାର୍ଯ୍ୟ ହୋଇଛି ।

ରିପୋର୍ଟ : ସୁଜିତ ପଟ୍ଟନାୟକ