ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଆଉ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନାହିଁ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଆଉ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିନାହିଁ । କେନ୍ଦ୍ର ଭୁଲ ପାଇଁ ଆଜି ବଜାରରେ ପିଆଜ ଦର ହୁ ହୁ ହୋଇ ବଢ଼ୁଛି । ଆଳୁ ଦର ବି ବଢ଼ିଲାଣି । ପିଆଜ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଏପରି ସିଧା ସିଧା କାଠଗଡ଼ାରେ ଠିଆ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କହିଛନ୍ତି, ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ନିତ୍ୟ ବ୍ୟବହାର ହେଉଥିବା ଆଳୁ, ପିଆଜ, ଡାଲି ଓ ତେଲର ଯୋଗାଣ ଓ ଦର ନିୟନ୍ତ୍ରଣ କ୍ଷମତା ରାଜ୍ୟ କ୍ଷମତା ପରିସର ଭୁକ୍ତ ରହିବା କଥା । କିନ୍ତୁ ସାରା ଦେଶରୁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଉଚ୍ଛେଦ ଯୋଗୁଁ ଏସବୁ ସାମଗ୍ରୀ ଦର ବଢ଼ିବାରେ ଲାଗିଛି । ଆସନ୍ତା ୨ ମାସ ପର୍ଯ୍ୟନ୍ତ ଆହୁରି ବଢ଼ିବ । ଏବେ ପରିସ୍ଥିତି ଏପରି ହେଲାଣି ଯେ, କେନ୍ଦ୍ର ସରକାର ଚାହିଁଲେ ବି ନିୟନ୍ତ୍ରଣ କରିପାରିବେ ନାହିଁ । ମନ୍ତ୍ରୀ ଆହୁରି କହିଛନ୍ତି, ଦିଲ୍ଲୀ ଓ କେରଳରେ ଯେତିକି ଦରରେ ପିଆଜ ଓ ଆଳୁ ମିଳୁଛି ସେସବୁ ରାଜ୍ୟ ତୁଳନାରେ ଓଡ଼ିଶାରେ ଦର କମ୍‌ ରହିଛି । ମହଜୁଦକାରୀଙ୍କ ଗୋଦାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘନ ଘନ ଚଢ଼ଉ କରାଯାଉଛି । କଳାବଜାରୀ ରୋକିବାକୁ ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଅସାଧୁ ଉପାୟରେ ଲାଭଖୋର ହୋଇ ଅତ୍ୟଧିକ ଦରରେ ପିଆଜ ବିକ୍ରି କରିବେ, ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା