ଏଇତ ଜୀବନ…

କରୁଣା ସାଗର ହରିହେ କଲ କି କିମିଆ
କରୋନାରେ ଭରିଦେଲ ଏ ସାରା ଦୁନିଆ ।
କହିବାକୁ ଲାଗେ ଲାଜ ତୁମରି ବଡିମା
କାହିଁକି ଶୁଣିବ କିଏ ତୁମରି ମହିମା ।
କାଲି ସରିଗଲା ତୁମ ବରଷକ ଜାତ
କେହିତ ଦେଖିଲେ ନାହିଁ ତୁମ୍ଭ ଲମ୍ବା ନେତ ।
କୃପଣ ହେଲକି ତୁମେ ଦେବାକୁ ଦର୍ଶନ
କାନ୍ଦୁଛି ତୁମରି ପାଇଁ ଭକତଙ୍କ ମନ ।
କେଉଁ ଦେଶୁ ମାଡିଆସି ମହାମାରୀ ରୂପେ
କରୋନା ନେଲା ଜୀବନ ବୁଲି ଦେଶେ ଦେଶେ ।
କା ଆଗେ କହିବୁ ଆଊ ତୁମେତ ନିଷ୍ଠୁର
କପଟିହେ ଲକ୍ଷ୍ମୀପତି ହେ ବଡ ଠାକୁର ।
କଷଣରେ ଜୀବନତ ବିତୁଛି ସଂସାରେ
କୃପା ବାରିଧି ତୁମର ଦର୍ଶନ ଆଶାରେ
କେବେ ସେ ଦିନ ଆସିବ ଏ
ଧରାପୃଷ୍ଠରେ
କିଏ ସାହା ହେବ ଆଉ ବିପଦ ବେଳରେ ।
କରୁଣା ନିଧାନ ହରି କୃପା କର ବାରେ
କି ଅବା ମାଗିବି ମୁଁହି ରହି ବନ୍ଦୀଘରେ ।
କିଏସେ ବୁଝିବ ଦୁଃଖ ତୁମ ବିନା ନାଥ
କାନ୍ଦେ ଅସହାୟ ହୋଇ ଭକତଙ୍କ ଚିତ୍ତ ।
କରୁଣାକର ହେ ପ୍ରଭୂ ଦିଅହେ ଆଶିଷ
କରୋନାର କବଳରୁ ମୁକ୍ତ ହେଉ ବିଶ୍ୱ ।

ଲେଖକ – ବିରୂପାକ୍ଷ ଦାଶ

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା