ଉପଖଣ୍ଡ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ଉପଖଣ୍ଡ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଉପ-ଜିଲ୍ଲାପାଳ ଭି. କିର୍ତ୍ତୀ ୱାସନଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କରୋନାର ସ୍ଥିତି ଯୋଗୁଁ ଚଳିତ ବର୍ଷର କାର୍ଯ୍ୟକ୍ରମଗୁଡିକୁ ସରକାରଙ୍କ ପ୍ରଚଳିତ ନୀତି ଓ ନିର୍ଦ୍ଦେଶ ପ୍ରକାରେ ପାଳନ କରିବାକୁ ଉପ-ଜିଲ୍ଲାପାଳ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ କୋଭିଡ ନିୟମ ମାନି ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରି ଶୃଙ୍ଖଳାଗତ ଭାବେ ପାଳନ କରିବା ପାଇଁ ସ୍ଥିର କରାଗଲା । ଏହି ସମାରୋହ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ପାଳନ କରାଯିବ । କେବଳ ପୋଲିସ ବାହିନୀ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ । ଚଳିତ ବର୍ଷ ଅନ୍ୟ କୌଣସି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ୟାରେଡ଼ରେ ଯୋଗ ଦେବାକୁ ଅନୁମତି ଦିଆଯିବ ନାହିଁ । ଏହା ଛଡ଼ା କୌଣସି ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବନାହିଁ l ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା ଅଂଶଗ୍ରହଣ କରିପାରିବେ ନାହିଁ । ମହାମାରୀ କୋଭିଡ ସମୟରେ ଜନସାଧାରଣଙ୍କୁ ଉତ୍ତୋମ ସେବା ଯୋଗାଇଥିବା କରୋନା ଯୋଦ୍ଧା ଭାବେ ପରିଚିତ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ସଫେଇ କର୍ମଚାରୀଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରାତଃ ୪.୩୦ମି. ସମୟରେ ବ୍ରହ୍ମପୁର ସହରରେ ରାମଧୂନ ପରିବେଷଣ କରାଯିବ । ସକାଳ ୭ ଘଣ୍ଟା ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାଙ୍କରେ ଜାତୀୟ ପତାକା ଉତ୍ତୋଳନ କରିବେ । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ସକାଳ ୮.୩୦ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବ ଏବଂ କରୋନା ଯୋଦ୍ଧାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯିବ । ସେହିପରି ବିଦ୍ୟାଳୟ ସ୍ତରରେ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଅନଲାଇନ ମାଧ୍ୟମରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହେବ ଓ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ । ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଇ-ନିମନ୍ତ୍ରଣ ଦ୍ୱାରା ଆମନ୍ତ୍ରିତ କରାଯିବ । ଅତିଥିମାନଙ୍କ ପ୍ରବେଶ ପଥରେ ସାନିଟାଇଜର ରଖାଯିବ ବୋଲି ଉପ-ଜିଲ୍ଲାପାଳ କହିଥିଲେ । ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ ଆର୍.ଆଇ. ଅଫ୍ ପୋଲିସ ଦିଲୀପ କୁମାର ବେହେରା, ସିଟି ହେଲଥ ଅଫିସର ଡ଼ା.ମାନସ ରଞ୍ଜନ ପଣ୍ଡା, ଡ଼ଃ.ଯତୀନ ବିଷଇ, ଏନ.ସି.ସି ଅଫିସର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ପ୍ରଦୀପ କୁମାର ପଟନାୟକ, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଏହି ପ୍ରସ୍ତୁତି ବୈଠକ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲୋକନାଥ ଶତପଥୀ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା