ଉତ୍କଳ ଦିବସ ଉପଲକ୍ଷେ ”ଓଡ଼ିଆ ପୁଅ ମୁଁ”…

ଓଡ଼ିଆ ପୁଅ ମୁଁ ଓଡିଶାରେ ଜନ୍ମ
ଓଡିଶା ମୋର ଜନମ ଭୂଇଁ
ଲଢ଼ିଛି ଲଢ଼ୁଛି ଲଢୁଥିବି ସଦା
ଶେଷ ରକ୍ତ ବିନ୍ଦୁ ନିଗାଡ଼ି ଦେଇ ll ୧ ll

ଓଡ଼ିଆ ମୋ ଭାଷା ଓଡିଆ ମୋ ଜାତି
ଓଡିଶା ମୋ ପରିଚୟ
ମା’ମାଟି ପାଇଁ ସଂଗ୍ରାମ କରିଛି
ବଇରୀ ନ କରି ଭୟ ll ୨ ll

ମୋ ପୂର୍ବ ପୁରୁଷ ଜୟ କରିଥିଲେ
ଗଙ୍ଗା ଠାରୁ ଗୋଦାବରୀ
ତାଙ୍କରି ଔରୁସେ ଜନମି ମୁଁ ଭାଇ
ନୁହେଁ ତାଙ୍କ ଗୁଣେ ସରି ? ll ୩ ll

ଓଡ଼ିଆ ପାଇକ ରଣ ଭେଦ ନାଦେ
କମ୍ପିଛି ସାରା ମୁଲକ
ଭୟ ପାଇ ଅରି ଯାଇଅଛି ଫେରି
ରହିଛି ଏ ଜାତି ଟେକ ll ୪ ll

କେତେ କେତେ ରଥୀ ସମର ପ୍ରାନ୍ତରେ
ଦେଇଛନ୍ତି ବଳି ଦାନ
ତାଙ୍କରି ରକତେ ଶାଣିତ ଏ ମାଟି
ଗରବିତ ଗରୀୟାନ ll ୫ ll

ନୀଳାଚଳ ଧାମେ ପୂଜା ପାଉଛନ୍ତି
ଏ ଜାତିର ମଥାମଣି
ନୀଳଚକ୍ର ଯାର ଦେଉଛି ଆହ୍ୱାନ
ଉଚ୍ଚାରି ଶାନ୍ତିର ବାଣୀ ll ୬ ll

କଳିଙ୍ଗ ସମରେ ଚଣ୍ଡାଶୋକ ଏଠି
ପାଲଟିଛି ଧର୍ମାଶୋକ
ସାକ୍ଷୀ ରହିଅଛି ଧଉଳି ପାହାଡ଼
ଦୟା ନଦୀ ସମ ମୁକ ll ୭ ll

ହିଂସା ପ୍ରଣଦିତ ତରବାରୀ ସଦା
ଲଭିଅଛି ପରାଜୟ
ଶାର୍ଦୁଳ କି କେବେ ଶ୍ଵlନ ଶୃଗାଳଙ୍କୁ
ରଣାଙ୍ଗନେ କରେ ଭୟ ? ll ୮ ll

ଐର ଖାରବେଳ ଯଯାତି କେଶରୀ
ମୁକୁନ୍ଦ – ନରସିଂହ
ଅକ୍ଷୟ କୀରତି ଯାଇଛନ୍ତି ରଖି
ନୀଳ ନଗରେ ଅନଙ୍ଗ ll ୯ ll

ସାରଳା ଭଞ୍ଜ ଦାସ ପଞ୍ଚ ସଖା
ଆଦି ଯେତେ କବି କୁଳ
ଗଙ୍ଗାଧର ଭୀମ ବୀର ରାଧାନାଥ
ସେନାପତି ସୂର୍ଯ୍ୟ ବଳ ll ୧୦ ll

କହିଛନ୍ତି ସର୍ବେ ଏ ଜାତି ମାହାତ୍ମ୍ୟ
ଲେଖିଛନ୍ତି ବୀର ଗାଥା
ବୁଝି କି ପାରିଛି ତାଙ୍କରି ବେଦନା
ଅନ୍ତରର ମର୍ମ ବ୍ୟଥା ll ୧୧ ll

ମଧୁ ଗୋପବନ୍ଧୁ ସୁଭାଷ ସୁରେନ୍ଦ୍ର
ଏ ଜାତି ଯୋଗ୍ୟ ଦାୟାଦ
ଦୁର୍ଦର୍ଷ ବୀର ଉତ୍କଳ ବରେଣ୍ୟ
ଦେଶ ପ୍ରେମେ ଉଦବୋଧ ll ୧୨ ll

ଧର୍ମ ପଦ ବାଜି ରଘୁ ଦିବାକର
ବିଜୟ -ବକ୍ସି -ଲକ୍ଷ୍ମଣ
ଜାତି ସ୍ୱାଭିମାନେ ଉନ୍ମାଦ ଉନ୍ମତ୍ତ
କରିଛନ୍ତି ପିଣ୍ଡ ଦାନ ll ୧୩ ll

ଏ ଜାତିର କଳା ବିଶ୍ୱ ବିଦିତ
ଭାଷା ଅତି ପୁରାତନ
ନୀଳାଚଳ ନାଥ ପ୍ରଭୁ ଶ୍ରୀନିବାସ
ଓଡ଼ିଆର ସ୍ୱାଭିମାନ ll ୧୪ ll

ମୁଁ ନୁହେଁ ଭୀରୁ ଶୃଗାଳ ଶାବକ
କରେ ଭୟେ ପଳାୟନ
ମୋ ମାତୃ ଭାଷା ମୋତେ ଶ୍ରେଷ୍ଠ
ମୋ ପିଣ୍ଡେ ଜୀବନ ସମ ll ୧୫ ll

ଯେତେ ଭାଷା କିନ୍ତୁ ପଢିଲେ ଜୀବନେ
ଆତ୍ମା କି ପାଇବ ଶାନ୍ତି ?
ମରୀଚିକା ପଛେ ଧାଇଁଲେ କି ଭାଇ
ଶୋଷରୁ ମିଳିବ ମୁକ୍ତି !l ୧୬ ll

ନିଜ ମା’ କୁ ହତାଦର କରି
ଅବା କରି ଅବହେଳା
ଜୀବନରେ କେହି କରେ କି ଉନ୍ନତି
ଅବେଳରେ ବୁଡ଼େ ଭେଳା ll ୧୭ ll

ଉତ୍କଳ ଜନନୀ ମୋ ଗର୍ଭ ଧାରିଣୀ
ସାକ୍ଷାତ ମୋ ମାତୃଭାଷା
ଯଦି ଅବହେଳା କରେ ମୁଁ ଜୀବନେ
ହେବି ନିଶ୍ଚେ ଲୋକହସା ll ୧୮ ll

କରୁଛି ଶପଥ ଛୁଇଁ ତାର ପାଦ
ପଢ଼ିବି ଓଡ଼ିଆ ସଦା
ଶଇତାନ ଯେତେ କରୁ ବା ବିଳାପ
ଅବା ଆସୁ ଯେତେ ବାଧା ll ୧୯ ll

ଡ଼. ପଦ୍ମଲୋଚନ ରାଉତ, ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା,
ମାଲକାନଗିରି,
ଗବେଷକ, କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର l