ଉଜ୍ଜ୍ଵଳା ଯୋଜନାରେ ବାଟମାରଣା ହୋଇଥିବା ଅଭିଯୋଗ…

ପଦ୍ମପୁର (ସମୃଦ୍ଧ ଓଡିଶା) ଗରିବ ଲୋକମାନେ ସାଧାରଣତଃ କାଠକୁ ଜାଲି ନିଜର ଖାଇବା ତିଆରି କରିଥାନ୍ତି । ଏହି ଗରିବ ମହିଳାମାନେ କାଠ ଧୂଆଁ ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହି ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସୁବିଧାରେ ରନ୍ଧନ ଗ୍ୟାସ ଯୋଗାଇ ଦେବା ପାଇ ଉଜ୍ଜ୍ଵଳା ଯୋଜନା ଶୁଭାରମ୍ଭ ହୋଇଛି । ହେଲେ କିଛି ଅସାଧୁ ତଥା ଲୋଭି ବ୍ୟବସାୟୀଙ୍କ ଯୋଗୁଁ ଉଜ୍ଜ୍ଵଳା ଯୋଜନା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ କୁମୁନିବାହାଲି ଗ୍ରାମରେ । ପଦ୍ମପୁର ଉପଖଣ୍ଡ କୁମୁନିବାହାଲି ଗ୍ରାମର ଅଧିକାଂଶ ପରିବାର ଦରିଦ୍ର ସିମାରେଖା ତଳେ ବସବାସ କରନ୍ତି । ସରକାର ଗରିବ ମହିଳା ମାନଙ୍କ ପାଇଁ ଉଜ୍ଜ୍ଵଳା ଯୋଜନା ପ୍ରଣୟନ କଲା ପରେ ଏହି ଯୋଜନାର ଲାଭ ପାଇବା ପାଇଁ ଏହି ଗ୍ରାମର ମହିଳା ମାନେ ଚେଷ୍ଟା କରିଥିଲେ । ପ୍ରାୟ ଏକ ବର୍ଷ ପୂର୍ବେ କିଛି ଯୁବକ ଏହି ଗ୍ରାମକୁ ଆସି ସେମାନେ ଉଜ୍ଜ୍ଵଳା ଯୋଜାନରେ ରନ୍ଧନ ଗ୍ୟାସ ଯୋଗାଇ ଦେବା ପାଇଁ ଏଠାକାର ମହିଳାମାନଙ୍କ ଠାରୁ ଆବଶ୍ୟକୀୟ କାଗଜପତ୍ର ସଂଗ୍ରହ କରି ନେଇଥିଲେ । ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ଆଉ ଦେଖା ମିଳି ନଥିଲା । ସେହି ମହିଳା ମାନେ ଏ ବିଷୟରେ ଜାଣିବା ପାଇଁ ସ୍ଥାନୟ ଗ୍ୟାସ ଏଜେନ୍ସି ମାନଙ୍କୁ ଯୋଗାଯୋଗ କରିଥିଲେ । ହେଲେ ସେମାନେ କୌଣସି ଠିକ ତଥ୍ୟ ଦେଇ ପାରି ନ ଥିଲେ । ଦୀର୍ଘ ଗୋଟିଏ ବର୍ଷ ବିତିଗଲା ପରେ ପୁଣି କିଛି ଯୁବକ ଆସି ୧୭ ଜଣ ଉଜ୍ଜ୍ଵଳା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଜଣାଇଥିଲେ । ସେଠାକୁ ଗଲାପରେ ଏହି ମହିଳା ମାନଙ୍କୁ କେବଳ ଏକ ଗ୍ୟାସ କାର୍ଡ ଦିଆଯାଇଥିଲା । ଏହି କାର୍ଡ ପାଇବା ପରେ ମହିଳା ମାନେ ଜାଣିବାକୁ ପାଇଥିଲେ କି ସେମାନେ ବଲାଙ୍ଗୀର ଜିଲ୍ଲା କରୁଆଁଝାର ଠାରେ ଥିବା ତୁଳସି ଭାରତ ଗ୍ୟାସ ଗ୍ରାମୀଣ ବୀତର୍କ ଠାରେ ୨୦୧୯ ମସିହା ମାର୍ଚ୍ଚ ମାସରେ ତାଙ୍କ ନାମ ପଞ୍ଜିକୃତ ହୋଇଛି । ଏହା ଜାଣି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ସଂପୃକ୍ତ ବ୍ୟକ୍ତି ଦିର୍ଘ ଦିନରୁ ତାଙ୍କ ନାମ ପଞ୍ଜିକୃତ ହୋଇଥିଲେ ମଧ୍ୟ ଏ ଯାଏ ତାଙ୍କୁ କାହିଁକି ଉପକରଣ ଦିଆ ହୋଇ ନାହିଁ ବୋଲି ପ୍ରଶ୍ନ କରିଥିଲେ । ହେଲେ ସେହି ବ୍ୟକ୍ତି ତାଙ୍କ କଥାକୁ ଅଣଶୁଣା କରି କଥାଟିକୁ ଟାଳି ଦେଇଥିଲେ ଏବଂ ପରେ ଦିଆଯିବ ବୋଲି କହି ଭୁଆଁ ବୁଲାଇଥିଲେ । ୨୦୧୯ ମସିହାରୁ ତାଙ୍କ ନାମ ପଞ୍ଜିକରଣ ହୋଇଥିଲେ ମଧ୍ୟ ତାଙ୍କୁ ଏ ଯାଏଁ କୌଣସି ସାମଗ୍ରୀ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି ଏବଂ ଗୋଟିଏ ବର୍ଷ ପରେ ତାଙ୍କୁ ପଞ୍ଜିକରଣ ବିଷୟରେ ଜଣାଇଥିବାରୁ କିଛି ବାଟମାରଣା ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ୨୦୧୯ ମସିହାରୁ ଉଜ୍ଜ୍ଵଳା ଯୋଜନାରେ ସେମାନଙ୍କ ନାମ ପଞ୍ଜିକୃତ ହୋଉଥିଲେ ମଧ୍ୟ ସେମାନେ ଅବଗତ ନ ଥିବା କାରଣରୁ ଆଜି ମଧ୍ୟ ସ୍ଥାନୀୟ ଜଙ୍ଗଲରୁ ଜାଳେଣି ସଂଗ୍ରହ କରି ଚୁଲିରେ ଖାଇବା ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନ ଉଜ୍ଵଳା ଯୋଜନା ହିତାଧିକାରୀ ମାନଙ୍କୁ ସରକାର ତିନି ମାସର ଗ୍ୟାସ ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି । ହେଲେ କିଛି ଅସାଧୁ ବ୍ୟବସାୟୀ ଯୋଗୁଁ ଏହି ହିତାଧୀକାରୀମାନେ ଏହି ସୁବିଧାରୁ ମଧ୍ୟ ବଞ୍ଚିତ ଅଛନ୍ତି । ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି ହେଲେ କିଛି ଅସାଧୁ ବ୍ୟବସାୟୀ ମାନଙ୍କ ପାଇଁ ଏହି ଯୋଜନା ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରୁ ନାହିଁ । ଏହାର ବାଟମାରଣା କରି ଅସାଧୁ ବାବସାୟୀ ମାନେ ଲାଭବାନ ହେବାରେ ଲାଗିଛନ୍ତି । ଏହି ବାଟମାରଣା କେବଳ ଏହି ଗ୍ରାମରେ ହେଉଛି ନାଁ ଏହି ଅଞ୍ଚଳର ଅନ୍ୟ ଗ୍ରାମରେ ମଧ୍ୟ ହେଉଛି ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି କାରଣ ଗ୍ୟାସ କାର୍ଡ ନ ଥିଲେ ମଧ୍ୟ ସିଲିଣ୍ଡର ମୂଲ୍ୟରୁ ଅଧିକ ମୂଲ୍ୟ ଦେଲେ ସହଜରେ ସିଲିଣ୍ଡର ଲୋକଙ୍କୁ ଉପଲବ୍ଧ ହେଉଥିବା ଦେଖିବାକୁ ମିଳୁଛି । ଏପରି କଳା ବଜାରୀ ଘଟଣା ସହ ଏହି ବାଟମାରଣାର କିଛି ସମ୍ବନ୍ଧ ରହିଛି କି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୁମୁନିବହଲି ଗ୍ରାରେ ହୋଇଥିବା ଅଭିଯୋଗ ବିଷୟରେ ପଦ୍ମପୁର ଯୋଗାଣ ଅଧିକାରୀଙ୍କୁ ପଚରା ଯିବାରୁ ସେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି । ଗରିବ ପାଇଁ ଉଦିଷ୍ଟ ସରକାରୀ ଯୋଜନା ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ବାଟମାରଣା ହେଉଛି ଏବଂ ଗରିବ ତାର ସେହି ସାଂସାରିକ ଜଞ୍ଜାଳ ମୟ ଜୀବନରେ ବୁଡି ରହୁଛି । ତେଣୁ ସରକାରୀ ବାବୁ ମାନେ ଗରିବ ମାନଙ୍କ ପାଖକୁ ପହଞ୍ଚି ତାଙ୍କୁ ଯୋଜନା ବିଷୟରେ ଅବଗତ କରାଇବା ସହିତ ଅସାଧୁ ବ୍ୟବସାୟା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ ହୋଇଛି ।

ରିପୋର୍ଟ – ନିରୋଜ କୁମାର ପାଣୀ