ଇ.ପି.ଏଫ. ପେନସନଧାରୀ ସଂଘର ବାର୍ଷିକ ସମ୍ମିଳନୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଇ.ପି.ଏଫ. ପେନସନ ଆସୋସିଏସନର ଗଞ୍ଜାମ ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀ ଆସିକା ନିକଟସ୍ଥ ମା’ କରଂଜେଇ ଠାକୁରାଣୀଙ୍କ ପୀଠରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଇ.ପି.ଏଫ.ପେନସନଧାରୀମାନଙ୍କୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଆଧାରରେ ସମସ୍ତଙ୍କୁ ବର୍ଦ୍ଧିତ ପେନସନ ଏବଂ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବାକୁ ପେନସନଧାରୀ ମାନେ ଦାବି କରିଛନ୍ତି । ଏହା ସହିତ ପେନସନଧାରୀଙ୍କୁ ସର୍ବନିମ୍ନ ପେନସନ ମାସିକ ୯ ହଜାର ଟଙ୍କା ଓ ମହଙ୍ଗା ଭତ୍ତା ପ୍ରଦାନ ଦାବି ନେଇ ଏକ ବୃହତ୍ତର ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଛି । ଏହି ଦାବି ସମୂହ ନେଇ କେନ୍ଦ୍ର ସରକାରଙ୍କୁ ଦାବି ପତ୍ର ଦିଆଯିବା ନିଷ୍ପତି ହୋଇଛି । ଆସୋସିଏସନର ଗଞ୍ଜାମ ଜିଲ୍ଲା ଶାଖା ସଭାପତି ପ୍ରତାପ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ଆବାହକ ପ୍ରଶାନ୍ତ ଶତପଥୀ ଏହି ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ଓ ପେନସନଧାରୀମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏଥିରେ ଆସୋସିଏସନର ରାଜ୍ୟ ସଭାପତି ରଞ୍ଜନ ଖୁଣ୍ଟିଆ, ସର୍ବଭାରତୀୟ ଉପ ସଭାପତି ଭାଗ୍ୟଧର ବ୍ରହ୍ମା, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଜୟ କୁମାର ଜେନା, କଳାହାଣ୍ଡି ଜିଲ୍ଲାର ସଭାପତି ବୈଦ୍ୟନାଥ ଦାଶ, ରାଜ୍ୟ ଯୁଗ୍ମ ସମ୍ପାଦକ ଶରତ କୁମାର ପାଣି ପ୍ରମୁଖ ଉଦବୋଧନ ଦେଇ ପେନସନଧାରୀମାନଙ୍କ ଦାବି ପୂରଣରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ସମାଲୋଚନା କରି ଦାବି ପୂରଣ ନିମନ୍ତେ ଏକ ବୃହତ ଆନ୍ଦୋଳନର ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ସମଗ୍ର ଗଞ୍ଜାମରୁ ୫ ଶହରୁ ଅଧିକ ପେନସନଧାରୀ ଯୋଗ ଦେଇଥିଲେ । ଏହି ଅବସରରେ ଆସୋସିଏସନର ଗଞ୍ଜାମ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା । ଜିଲ୍ଲା ଶାଖାକୁ ସଭାପତି ଭାବେ ପ୍ରତାପ ଚନ୍ଦ୍ର ଶତପଥୀ, ଉପସଭାପତି ଭାବେ ସୀମାଞ୍ଚଳ ନାୟକ ଓ ବିପ୍ର ଚରଣ ଜେନା, ସାଧାରଣ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ଶତପଥି, ଯୁଗ୍ମ ସମ୍ପାଦକ ଭାବେ ସୀମାଞ୍ଚଳ ମହାନ୍ତି, ଗଜପତି ମହାନ୍ତି ଓ ଅମୂଲ୍ୟ କୁମାର ପଣ୍ଡା, ସାଙ୍ଗଠନିକ ସମ୍ପାଦକ ଭାବେ ଭଗବାନ ସାହୁ ଓ ପ୍ରଶାନ୍ତ କୁମାର ଦାଶ, କୋଷାଧ୍ୟକ୍ଷ ଭାବେ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କ ସମେତ ୨୦ ଜଣ କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ମନୋନୀତ ହୋଇଥିଲେ ।