ଇଣ୍ଟରନେସନାଲ ଟୁରିଜମ ଫିଲ୍ମ ଫେଷ୍ଟିବାଲରେ ବ୍ରହ୍ମପୁରର କଣ୍ଢେଇ ଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରର ତିନି ଶହ ବର୍ଷର ଏକ ସଂସ୍କୃତି ବିଭବ ସମ୍ପର୍ଣ୍ଣ ସମୃଦ୍ଧ ପରମ୍ପରାକୁ ନେଇ କଣ୍ଢେଇ ଯାତ୍ରା ନାମରେ ପରିକଳ୍ପିତ ଏକ କ୍ଷୁଦ୍ର ଡକୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରିଥିଲେ ଯୁବ ସିନେ ନିର୍ମାତା ସନ୍ୟାସୀ ମହାରଣା । ତେବେ କଣ୍ଢେଇ ଯାତ୍ରା ଯାହା ପ୍ରତିବର୍ଷ ଆଷାଢ଼ ମାସର ପୂର୍ଣମି ଦିନ ବ୍ରହ୍ମପୁର ସହରର ବଡବାଜର ଖସ୍ପା ସାହିରେ କେଉଁ ଅବାହାମାନ କାଳରୁ ଆୟୋଜିତ କରାଯାଉଅଛି । ତେବେ ଆଧୁନିକତାର ଚାକଚକ୍ୟ ଭିତରେ ଆଜି କଣ୍ଢେଇ ଯାତ୍ରା ନିଜର ଅସ୍ମିତା ହରେଇ ବସିଛି । ପାରମ୍ପରିକ କଳାକାର ନିଜର କଳାକୁ ଆଉ ସେମିତି ବ୍ୟବସାୟର ରୂପ ଦେବାରେ କେଉଁଠି ନା କେଉଁଠି ପଛରେ ଅଛନ୍ତି । ଆଧୁନିକତା ଭିତରେ ପାରମ୍ପରିକ ମାଟି ଗୋବର କାଠ ଏବଂ କାଗଜରେ ଆପିଚି ଅଠାରେ ତିଆରି ବିଭିନ୍ନ ରଙ୍ଗ ବେରଙ୍ଗର କଣ୍ଢେଇ ମାନଙ୍କର ବାଣିଜ୍ୟ ଏବଂ ବ୍ୟବସାୟ ସହ ସଂସ୍କୃତିକ ମହାମିଲନର ମୁକ ସାକ୍ଷୀ କଣ୍ଢେଇ ଯାତ୍ରା । ତେବେ ଏଭଳି ସ୍ଥାନୀୟ ଏକ ପରମ୍ପରାକୁ ନେଇ ଯୁବ ସିନେ ନିର୍ମାତା ଶ୍ରୀ ମହାରଣା ଯାହାଙ୍କର ଏକାଧିକ ଚଳଚିତ୍ର ଆଜି ଅନ୍ତର୍ଜାତୀୟ ସ୍ଥରରେ ଅନେକ ଥର ପ୍ରଶଂସା ସାଉଁଟିଛି । ଈଶା ଭିଜନ ବ୍ୟାନେରରେ ପ୍ରସ୍ତୁତ ଏହି କଣ୍ଢେଇ ଯାତ୍ରା ଡକୁମେଣ୍ଟାରୀ ଫିଲ୍ମ ଆଜି ଇଣ୍ଟରନେସନାଲ ଟୁରୀଜମ ଫିଲ୍ମ ଫେଷ୍ଟିବାଲର ପ୍ରତିଯୋଗିତାରେ ମନୋନିତ ହୋଇ ପୁଣି ଥରେ ବ୍ରହ୍ମପୁର ସହର ଏବଂ ଗଂଜାମ ପାଇଁ ଏକ କୀର୍ତ୍ତିମାନ ସ୍ଥାନିତ କରିବା ଅପେକ୍ଷାରେ ଅଛି । ତେବେ ଫିଲ୍ମ ଫେଷ୍ଟିବଲର ପ୍ରମୁଖ ସତ୍ୟବ୍ରତ ଜେନା, ଜଗନ୍ନାଥ ପାଣି, ଭିବାସ ଗଙ୍ଗୋପାଧ୍ୟାୟ ଏବଂ ଭି. ଭି. ମହେଶ୍ବର ରାଓ ପ୍ରମୁଖ କଣ୍ଢେଇ ଯାତ୍ରାର ସଫଳତା କାମନା ପୂର୍ବକ ଏହି ଡକୁମେଣ୍ଟାରୀ ଫିଲ୍ମର ସଫଳତା କାମନା କରିଛନ୍ତି । ତେବେ ହଜି ଯାଉଥିବା ପରମ୍ପରାକୁ ନେଇ ଏହି ଚଳଚିତ୍ର ନିର୍ମାଣ ପଛରେ ସନ୍ୟାସୀ ମହାରଣାଙ୍କୁ ସ୍ଥାନୀୟ ସଂସ୍କୃତି ଗବେଷକ ତ୍ରିପତି ନାୟକ, ଗବେଷକ ତଥା ଏତିହାସିକ ଡା. ଅନନ୍ତରାମ କର କୌଣ୍ଡିନ୍ୟ, ସଂସ୍କୃତି ପ୍ରେମୀ ଗବେଷକ ବ୍ରହ୍ମପୁର ଆକାଶବାଣୀର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଉଦ୍ଘୋଷକ ହୃଷିକେଶ ପାଣିଗ୍ରାହୀ ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ ଏବଂ ପ୍ରଖ୍ୟାତ ମୁଖା ଶିଳ୍ପୀ ତ୍ରିନାଥ ରେଡ୍ଡୀ ପ୍ରମୁଖ ତାଙ୍କୁ ସହଯୋଗ କରିଥିଲେ । ଏହି ଚଳଚିତ୍ର ନିର୍ମାଣ କ୍ଷେତ୍ରରେ ତାଙ୍କୁ ଚିତ୍ରୋତ୍ତୋଲନ ବିଭାଗରେ ଯୁବ ସିନେମାଟୋଗ୍ରାଫର ଟୁଟୁ ପ୍ରଧାନ, ଉଦଘୋଶିକା ଭାବରେ ବି. ଜୋତିର୍ମୟୀ ପାତ୍ର, ସମ୍ପାଦନାରେ ରିପନ ପ୍ରଧାନ ଏବଂ ପୋଷ୍ଟର ଡିଜାଇନ ପରିକଳ୍ପନାରେ ସ୍ମାର୍ଟ ଡିଜିଟାଲର ଟିକିରି ବେହେରା, ଯୁବକବି ରତ୍ନାକର ଶୀୟ, ଚିନ୍ମୟ ରଞ୍ଜନ ମିଶ୍ର, ସିଏଚ.ମନୋଜ କୁମାର ପାତ୍ର, ସଦାନନ୍ଦ ସାହୁ, ଦୟାନନ୍ଦ ସାହୁ ଏବଂ ରବୀନ୍ଦ୍ର ନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ । କଣ୍ଢେଇ ଯାତ୍ରାରେ ବ୍ରହ୍ମପୁର ସହରର ଏଭଳି ଏକ ଲୁପ୍ତ ପ୍ରାୟ ପରମ୍ପରାର ଉପରେ ଆଧାରିତ ଏଭଳି ଏକ ଡକୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରି ଆମ ବ୍ରହ୍ମପୁର ସହରର କଳା ସଂସ୍କୃତିକୁ ବିଶ୍ଵଦରବାରେ ପ୍ରଦର୍ଶିତ କରିବା ତାଙ୍କର ମୂଳ ଲକ୍ଷ ବୋଲି ଶ୍ରୀ ମହାରଣା ମତ ଦେଇଛନ୍ତି । ତେବେ ଭାରତ, ଫ୍ରାନ୍ସ ଏବଂ ସିଙ୍ଗାପୁରର ସହ ଆୟୋଜକତାରେ ଏହି ଇଣ୍ଟରନେସନଲ ଟୁରୀଜମ ଫିଲ୍ମ ଫେଷ୍ଟିବାଲ ଆୟୋଜିତ ହେବା ସହ ସେପ୍ଟେମ୍ବର ମାସରେ ଏହାର ଫଳାଫଳ ଘୋଷଣା ସହ ଏହି ଚଳଚିତ୍ର ପୁଣି ଥରେ ଗଂଜାମ ପାଇଁ ଗୌରବ ଆଣିବ ବୋଲି ଆଶା ପ୍ରକଟ କରିଛନ୍ତି ସିନେ ନିର୍ମାତା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା