ଆସୁଛି ବାତ୍ୟା : ରଚିପାରେ ତାଣ୍ଡବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ୧୪ ତାରିଖରେ ଦକ୍ଷିଣପୂର୍ବ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ୧୪ ତାରିଖ ସକାଳେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ସହ ସମାନ୍ତରାଳ ଭାବେ ଏହା ଗତି କରିବାର ସମ୍ଭାବନା ରହିଛି । ଏଠାରେ ଏହି ଲଘୁଚାପ ଘନୀଭୂତ ହୋଇ ୧୫ ତାରିଖ ବେଳକୁ ଅବପାତ ଓ ଏହାପରେ ଗଭୀର ଅବପାତର ରୂପ ନେବ । ୧୬ ତାରିଖ ସକାଳ ସୁଦ୍ଧା ଏହା ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ତା’ହେଲେ ଏହାର ନାଁ ତଉକତେ ରଖାଯିବ । ଏହାର ନାଁ ମିଆଁମାର ଦେଇଛି । ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ସୃଷ୍ଟି ହେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟାକୁ ଦୃଷ୍ଟିରେ ରଖି ଲାକ୍ଷାଦ୍ୱୀପରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି । ମେ’ ୧୩ରୁ ୧୫ ଯାଏ ଏଠାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହାସହ କେରଳ, ତାମିଲନାଡୁ ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ୧୪ ଓ ୧୫ ତାରିଖରେ ପ୍ରବଳ ବର୍ଷା ସହ ପବନର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷାକୁ ଦୃଷ୍ଟିରେ ରଖି ମେ’ ୧୩ ତାରିଖରେ ଲାକ୍ଷାଦ୍ୱୀପ ପାଇଁ ୟେଲୋ ଓ ୧୪ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଲାକ୍ଷାଦ୍ୱୀପରରେ ୧୫ ଓ ୧୬ ତାରିଖରେ ସମୁଦ୍ର ଜୁଆର ପ୍ରାୟ ୧ ମିଟର ଉଚ୍ଚକୁ ଉଠିବାର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହା ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି । ଲାକ୍ଷାଦ୍ୱୀପ ବ୍ୟତୀତ କେରଳର ଥିରୁବନନ୍ତପୁରମ ଓ କୋଲ୍ଲାମ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ମେ’ ୧୪ରେ ଏହି ଦୁଇ ସ୍ଥାନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମେ’ ୧୫ରେ ଥରୁବନନ୍ତପୁରମ, କୋଲ୍ଲାମ, ପଥନାମଥିଟ୍ଟା ଓ ଅଲପୁଜା ପାଇଁ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏଥିପାଇଁ ପାଣିପାଗ ବିଭାଗ ଏଠାରେ ଅରେଞ୍ଜ ଆଲର୍ଟ ଜାରି କରିଛି । ଏହାବାଦ ଗୋଆ ଓ ମହାରାଷ୍ଟ୍ରର କିଛି ସ୍ଥାନରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି କୁହାଯାଇଛି ।