ଆସୁଛି ଆଉ ଏକ ସାମୁଦ୍ରିକ ଝଡ଼…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ବର୍ତ୍ତମାନ ଏହା ୱେଲମାର୍କଡ ଲଘୁଚାପରେ ପରିଣତ ହୋଇ ଆଗକୁ ମାଡ଼ି ଚାଲିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି କୁହାଯାଇଛି । ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ଼ ତାମିଲନାଡୁ ଓ ପୁଡୁଚେରୀ ଅଭିମୁଖେ ଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସାମୁଦ୍ରିକ ଝଡ଼ ଯୋଗୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ଥିବାରୁ କୁଡ୍ଡାଲୋର ଓ ଚିଦାମ୍ବରମ୍‌କୁ ୬ଟି ଏନଡିଆରଏଫ ଟିମକୁ ପଠାଯାଇଛି । ସାମୁଦ୍ରିକ ଝଡ଼ ଯୋଗୁ ଚେନ୍ନାଇ ସମେତ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ କହିଛି । ପାଣିପାଗ ବିଭାଗର ଏସ୍‌ ବାଲାଚନ୍ଦ୍ରନ କହିଛନ୍ତି, ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ର ରୂପ ନେବ । ଏହା ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡ଼େ ଗତି କରିବାର ଆଶଙ୍କା ରହିଛି । ୨୫ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା କାରାଇକଲ ଓ ମାମଲାପୁରମ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ବର୍ତ୍ତମାନ ଏହା ଦକ୍ଷିଣ-ଦକ୍ଷିଣ ପୂର୍ବ ପୁଡୁଚେରୀ ଠାରୁ ୬୦୦ କିମି ଓ ଦକ୍ଷିଣ-ଦକ୍ଷିଣ ପୂର୍ବ ଚେନ୍ନାଇ ଠାରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଓ କାରିକ୍କଲରେ ୨୪ରୁ ୨୬ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ଓ ପବନର ଘଣ୍ଟାପ୍ରତି ବେଗ ୧୦୦ କିମି ଛୁଇଁବ । ଏଥିପାଇଁ ମତ୍ସ୍ୟଜୀବଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । କେବଳ ତାମିଲନାଡୁ ଓ ପୁଡୁଚେରୀ ନୁହେଁ, ଦକ୍ଷିଣ ପୂର୍ବ ଆନ୍ଧ୍ର ପ୍ରଦେଶ, ରୟାଲସୀମା ଓ ତେଲେଙ୍ଗାନାରେ ମଧ୍ୟ ସାମୁଦ୍ରିକ ଝଡ଼ ପ୍ରଭାବରେ ବର୍ଷାର ଆଶଙ୍କା ରହିଛି ।