…..ଆସିଛି ପହିଲି ରଜ…..

ପହିଲି ଆଷାଢରେ ପାଇ ଶୀତଳ ପରସ
ଶ୍ୟାମଳ ଶୋଭାରେ ଧରଣୀ ହୋଇଲା ସରସ । ୧
ଦାରୁଣ ନିଦାଘ ମନରେ ଭରିଥିଲା କ୍ଳେଶ
ସଳିଳଧାରା ପ୍ରବାହନେ ହେଲା ସବୁ ଶେଷ । ୨
ଘନ ମେଘମାଳା ଗଗନ ପଥେ ଭାସିଭାସି
ଅବନୀ ବକ୍ଷେ ଢାଳନ୍ତି ଅଜସ୍ର ବାରିରାଶି । ୩
ଜ୍ୟେଷ୍ଠ ଶେଷଦିନ ଆଦ୍ୟ ଆଷାଢ ଦ୍ବିଦିବସ
ସୃଜନ ଶୀଳା ବସୁମତୀ ହୁଅଇ ରଜସ୍ । ୪
ଧରିତ୍ରୀ ମାତାକୁ କରିବେ ନାହିଁ ବୋଲି ସ୍ପର୍ଶ
କୃଷିକର୍ମରୁ ଚଷାଭାଇ ନିଏ ଅବକାଶ । ୫
କୁମାରୀ କନ୍ୟାଙ୍କର ମନ ହୁଅଇ ହରସ
ରଜର ପ୍ରସ୍ତୁତି କରନ୍ତି ହୋଇ ହସହସ । ୬
ପହିଲି ରଜ ଅଟଇତ ପ୍ରଥମ ଦିବସ
ଅଳତା କୁଙ୍କୁମକୁ ନାଇ ହୋଇଥାନ୍ତି ବେଶ । ୭
ପରିଧାନ କରି ଅଳଙ୍କାର ନୂତନ ବାସ
ଗୁଆବକଳ ପାଦେ ପୁଣି ପାଦୁକା ସଦୃସ । ୮
ଦୋଳି ଖେଳ ନିମନ୍ତେ ହୋଇଲେ ସମାବେଶ
କୋଳାହଳମୟ ହୋଇ ଉଠଇ ପରିବେଶ । ୯
ଗ୍ରାମ୍ୟସୁତା କଣ୍ଠେ ରଜ ସଂଗୀତର ଉନ୍ମେଷ
ଦୂର କରିଦିଏ ସବୁରି ମନର ଆଳସ । ୧୦
ପୋଡପିଠା ଅଟଇ ଏହି ପର୍ବରେ ବିଶେଷ
ଖାଆନ୍ତି ପ୍ରିୟ ପରିଜନ ହୋଇଲେ ପ୍ରତ୍ୟୁଷ । ୧୧
ରଜ ସଂକରାନ୍ତି ଅଟଇ ଦ୍ବିତୀୟ ଦିବସ
ଭୂମିଦହଣ ନାମେ ପୁଣି ତୃତୀୟ ଦିବସ । ୧୨
ପିଠା,ତାମ୍ବୁଳ ବଣ୍ଟନେ ବିତଇ ଦିବାନିଶି
ଆମୋଦପ୍ରମୋଦରେ ମଜ୍ଜି ହୋଇଥାନ୍ତି ଖୁସି । ୧୩
ଧରାସ୍ନାହାନ ନାମେ ଖ୍ୟାତ ଚତୁର୍ଥ ଦିବସ
ଲଙ୍ଗଳ ଈଷକୁ ପୂଜା କରିଥାନ୍ତି ଗୃହସ୍ଥ । ୧୪
ବିତିଯାଏ ନାଚି ଗାଇ ଆନନ୍ଦେ ତ୍ରିଦିବସ
ରଜ ଭରିଦିଅଇ ଜୀବନେ କେତେ ଉଲ୍ଲାସ । ୧୫

ନିବେଦିତା ମହାପାତ୍ର, ମୁକୁନ୍ଦମିଶ୍ର ନଗର, ପୁରୀ