ଆସନ୍ତା ୨୪ରୁ ବିଜୁ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ଆସନ୍ତା ୨୪ରୁ ବିଜୁ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ କରାଯାଉଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ ପାଳନ ଅବସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ କରାଯିବ । ଏଥିପାଇଁ ଆଜି ଏହାର ଲୋଗୋ ସ୍ଥାନୀୟ ଶିବ କୁମାର ରିଡିଙ୍ଗ ରୁମ୍ ଠାରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି । ଚଳିତ ମାସ ୨୪ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜିଲ୍ଲା ପ୍ରଶାସନର ସହଯୋଗରେ ବିଜୁ ସ୍ମାରକୀ କମିଟି ଓ ଛତ୍ରପୁର ୟୁରୋ ସ୍କୁଲର ମିଳିତ ଆନୁକୁଲ୍ୟରେ କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ କରାଯିବ ବୋଲି ଜଣାଯାଇଛି । ଏଥିରେ ଗଞ୍ଜାମ ସମେତ ରାଜ୍ୟର ୮ ଗୋଟି ଦଳ ଅଂଶ ଗ୍ରହଣ କରିବେ । ଉଦଘାଟନୀ ଉତ୍ସବରେ ଗଞ୍ଜାମ ଓ କୋରାପୁଟ ଦଳ ମଧ୍ୟରେ ମୁକାବିଲା ହେବ । ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଫାଇନାଲ ମ୍ୟାଚର ବିଜୟୀ ଦଳକୁ ଟ୍ରଫି ସହ ୩୩ ହଜାର ୩୩୩ ଟଙ୍କା ଓ ରନର୍ସ ଦଳକୁ ଟ୍ରଫି ସହ ୨୨ ହଜାର ୨୨୨ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ସ୍ମାରକୀ କମିଟିର ସଦସ୍ୟମାନେ ସୂଚନା ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ରାଜ୍ୟ ସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୧ର ଲୋଗୋ ଉନ୍ମୋଚନ କରିବା ସହ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଗୁଣଗାନ କରିଥିଲେ । ଏହି ଅବସରରେ ୟୁରୋ ସ୍କୁଲର ମୁଖ୍ୟ ତଥା ଯୁବ ଆଇନଜିବୀ ରଞ୍ଜନ କୁମାର ମହାପାତ୍ର ଯୋଗଦେଇ ଛତ୍ରପୁରରେ ଏପରି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାରୁ ପ୍ରଶଂସା କରିବା ସହ ଏହି ଟୁର୍ଣ୍ଣାମେଣ୍ଟ ଅନ୍ୟ ପିଢିକୁ ଉତ୍ସାହିତ କରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟିର ଉପସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଟି. ଚନ୍ଦ୍ର ଶେଖର ରାଓ, ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ନବୀନ ଚନ୍ଦ୍ର ବେହେରା, ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ, କୋଷାଧ୍ୟକ୍ଷ ବି. ରାଜିବାବୁ, କ୍ରୀଡାବିତ୍ ଅଜୟ ମହାପାତ୍ର ଓ ରବୀନ୍ଦ୍ର ସାହୁ, ମଝିବଜାର ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ, ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପିଏନୟୁ କଲେଜର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ଦାଶ, ସରକାରୀ ଆଇନଜୀବୀ ମନୋଜ କୁମାର ପାଢୀ, ସାଙ୍ଗଠନିକ (ସାଧାରଣ ସମ୍ପାଦକ) ଡି.ଗଣେଷ ରାଓ, ଯୁବ ସମାଜସେବୀ ଏ.ରାବଣା ରାଓ, ଅଟଳ ବିହାରୀ ପଟ୍ଟନାୟକ, କ୍ରୀଡାବିତ୍ ସିମା ଗୌଡ, ଏ. ଭେଙ୍କଟ ରାଓ ଦୋରା, କମଳ ପଣ୍ଡା, ସରକାରୀ ଆଇନଜୀବୀ ଡ. ମିନାଥ ସାହୁ, ସମୃଦ୍ଧ ଓଡିଶା ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ସମ୍ପାଦକ ବାଦଲ୍ ପାଣ୍ଡେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।