ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ତୁରନ୍ତ ଫେରସ୍ତ କରିବା ପାଇଁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିର ଶିକାର ହୋଇଥିବା ଜମାକାରୀଙ୍କ ଦ୍ଵାରା ହିଞ୍ଜିଳିକାଟୁ ଠାରେ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ତହସିଲ ଜରିଆରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରି ତୁରନ୍ତ ଟଙ୍କା ଫେରସ୍ତ ସହ ବିଭିନ୍ନ ଦାବି ନେଇ ହିଂଜିଳିକାଟୁ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି କଲେ ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ । ସୂଚନା ଅନୁଯାୟୀ ଓଡ଼ିଶାରେ ବିଭିନ୍ନ ସ୍କିମ ଭିତ୍ତିରେ ଜମା ସଂଗ୍ରହ କରିଥିବା କମ୍ପାନୀ, ସମବାୟ ଓ ସ୍ୱୟଂ ସହାୟକ ସମବାୟ, ମଲ୍ଟି ଷ୍ଟେଟ ସମବାୟ ଓ ମାଇକ୍ରୋ ଫାଇନାନ୍ସ ପୁଷ୍ଠପୋଷକତାରେ ଲକ୍ଷଲକ୍ଷ ଜମାକାରୀଙ୍କ ଠାରୁ ଟଙ୍କା ନେଇ ଜମା କରିବା ଘଟଣା ଲୋକଲୋଚନକୁ ଆସିବା ପରେ ରାଜ୍ୟ ସରକାର କେତେକ କାର୍ଯ୍ୟଳୟ ସିଲ କରିବା ସହ ଜମାକାରୀଙ୍କ ଟଙ୍କା ଦେଣ-ନେଣ ସମ୍ବଳିତ ତଥ୍ୟକୁ ନଷ୍ଟ କରାଇଥିଲେ । ଏହାପରେ ଜମାକାରୀଙ୍କ ପକ୍ଷରୁ ବାରମ୍ବାର ଆନ୍ଦୋଳନ ହେବାରୁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ, ବିଚାର ବିଭାଗୀୟ ତଦନ୍ତ କମିଶନ ନିଯୁକ୍ତି, କିଛିଦିନ ମଧ୍ୟରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ଭଳି ବିଭିନ୍ନ ପ୍ରତିଶୃତି ଦେଇଥିଲେ ମଧ୍ୟ ଏହି ତଥ୍ୟ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ତେଣୁ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ହିଂଜିଳିକାଟିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ୪ ଦଫା ଦାବିପତ୍ର ସ୍ତାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ମିଳିତ ମଞ୍ଚର ଦାବି ଅନୁସାରେ କମିଶନଙ୍କ ଦ୍ଵାରା ସୁପାରିଶ ହୋଇଥିବା ଜମାକାରୀଙ୍କୁ କର୍ପସ ଫଣ୍ଡରୁ ଟଙ୍କା ଫେରସ୍ତ କରାଯାଉ, ୨ୟ ଓଡ଼ିଶାର ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଯୁଦ୍ଧକାଳୀନ ଭିତ୍ତିରେ ଚିହ୍ନଟ କରାଯାଉ, ୩ୟ ସାହାର ଭଳି ଯେଉଁ ଅସାଧୁ ସଂସ୍ଥାମାନେ ଜମାରାଶି ନେଇ ପରିପକ୍ୱତା ପରେ ବି ଟଙ୍କା ନ ଫେରାଇ ନୂଆ ସ୍କିମରେ ଜମାରାଶି କାଗଜ ଧରାଉଛନ୍ତି ସେହି ଜମା ସଂଗ୍ରହ ବନ୍ଦ ରଖି ଆଗାମୀ ୧୫ ଦିନ ମଧ୍ୟରେ ପ୍ରତେକଙ୍କ ପରିପକ୍ୱ ରାଶି ଉପରେ ସୁଧ ସହ ଫେରସ୍ତ ଦିଆଯାଉ ଏବଂ ନ ଫେରାଇଲେ ସମ୍ପୃକ୍ତ ଥାନାରେ ଅସାଧୁ ସାହାର ସଂସ୍ଥା ମାଲିକଙ୍କ ବିରୁଦ୍ଧରେ ମକଦ୍ଦମା ରୁଜି କରି ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ୪ର୍ଥ ଓଡ଼ିଶାରେ ଜମାକାରୀଙ୍କୁ ଠକିଥିବା ପ୍ରତେକ କମ୍ପାନୀର ସ୍ଥାବର ଓ ଅସ୍ତାବର ସମ୍ପତି ଜବତ କରି ସେହି ସମ୍ପତ୍ତିର ନିଲାମ ଅର୍ଥ ଜମାକାରୀଙ୍କୁ ଫେରସ୍ତ କରାଯାଉ ବୋଲି ଦାବି କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା