ଆର୍‌ଟିଓ ଜଳକା : ବିନା କାଗଜପତ୍ର ଓ ଅଧିକ ଭଡାରେ ଗଡୁଛି କେତେକ ବସ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର କେତେକ ସଡକପଥରେ ଚଳାଚଳ କରୁଥିବା ବସ୍‌ର ଆଇନ୍‌ଗତ କାଗଜପତ୍ର ନ ଥିବା ଏବଂ ସରକାରଙ୍କ ଘୋଷଣାଠାରୁ ଅଧିକ ଭଡା ଆଦାୟ କରୁଥିବା ଅଭିଯୋଗ ହେବା ସହିତ ବାଲେଶ୍ୱର ଜିଲାପାଳ, ଆର୍‌ଟିଓ ଓ ଏମ୍‌ଭିଆଇଙ୍କୁ ଲିଖିତ ଭାବେ ଦର୍ଶାଯାଇଛି । ଚନ୍ଦନେଶ୍ୱରୁ ବାଂଶାରୀ ମୁହାଁଣ ଭାୟା କମର୍ଦ୍ଦା, ବାଲିଆପାଳ, ଲଙ୍ଗଳେଶ୍ୱର, ସାର୍ଥ ଦେଇ ଯାତାୟାତ କରୁଥିବା ଓଡି ୦୧ଜେଡ୍ ୩୧୯୯ବସ୍‌ଟି ଚଳାଚଳ କରୁଅଛି । ଏହି ଗାଡିର ଫିଟନେସ୍ ୨୦୨୦ ଅକ୍ଟୋବର ୧୦ ଥିଲା ବେଳେ ପିୟୁସି ସମୟ ମଧ୍ୟ ଅତିବାହିତ ହୋଇଛି । ୧୯-୨-୨୦୨୧ ସୁଦ୍ଧା ଏହାର ବୀମା ସମୟ ଶେଷ ହୋଇଥିଲେ ମଧ୍ୟ ତାହା ଆଉ ପୁନଃ ନବିକରଣ (ରିନୁଆଲ)ହୋଇନଥିବା ଜଣାଯାଇଛି । ଏ ସମ୍ପର୍କରେ କେତେକ ଯାତ୍ରୀ, ବସ୍‌ମାଲିକ ବାରମ୍ବାର ଏସ୍‌ଟିଏ, ବାଲେଶ୍ୱର ଜିଲାପାଳ, ଆର୍‌ଟିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେମାନେ କହିଛନ୍ତି । ସେହିପରି ଚନ୍ଦନେଶ୍ୱର-ଜଳେଶ୍ୱର ସଡକ ରାସ୍ତାରେ ଚଳାଚଳ କରୁଥିବା ବସ୍‌ଗୁଡିକ ଅଧିକ ଯାତ୍ରୀଭଡା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଜଳେଶ୍ୱର-କମର୍ଦ୍ଦା ୧୬ କିମି ରାସ୍ତା ପାଇଁ ୩୦ଟଙ୍କା, ଜଳେଶ୍ୱର-ଥାନାଛକ ୨୮ କି.ମି. ଲାଗି ୪୦ଟଙ୍କା, ଜଳେଶ୍ୱର-ଚନ୍ଦନେଶ୍ୱର ୩୬ କି.ମି ଲାଗି ୫୦ଟଙ୍କା ଯାତ୍ରୀଭଡା ଆଦାୟ କରାଯାଉଥିବା ଦେଖିବାକୁ ମିଳୁଛି । ସେହିପରି ଜଳେଶ୍ୱର-ବାଲେଶ୍ୱର ୫୦ କି.ମି, ରାସ୍ତା ଲାଗି କେତେକ ବସ୍ ୮୦ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳିଛି । ଏଥିପାଇଁ ଗତ ୧୪ ତାରିଖରେ କମର୍ଦ୍ଦାରୁ ଜଳେଶ୍ୱର ଆସୁଥିବା ଅଷ୍ଟଭୂଜା ବସ୍‌ରେ ମାଳତୀ ଦାସ ନାମକ ଜନୈକ ଗ୍ରାମୀଣ ମହିଳାଠାରୁ ୩୫ ଟଙ୍କା ଭଡା ଦାବି କରି ୩୦ ଟଙ୍କା ଦେଇଥିବା ଅଭିଯୋଗ ଜଳେଶ୍ୱରର କେତେକ ସାମ୍ବାଦିକ ବାଲେଶ୍ୱର ଆର୍‌ଟିଓଙ୍କୁ ଜଣାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜରାଯାଇଛି । ଏ ସମ୍ପର୍କରେ ଜଳେଶ୍ୱର ବସ୍ ମାଲିକ ସଂଘକୁ ଅବଗତ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା