ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଟାଟା ପାୱାର ଦକ୍ଷିଣ ଓଡିଶା କାର୍ଯ୍ୟାଳୟ ସମ୍ମୁଖରେ ଆମ୍ ଆଦମୀ ପାର୍ଟି ତରଫରୁ ସାଉଥକୋ ଅଧିନରେ କାର୍ଯ୍ୟରତ ଆଉଟସୋର୍ସ ବିଜୁଳି କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଆବାହକ ସୁବାଷ ରାଉତଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ଟାଟା ପାୱାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ଦେଇ ଧାରଣାରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ନିମନ୍ତେ ଉଦ୍ୟମ କରିବାକୁ ଅନୁରୋଧ କରିଥିଲେ । ବିକ୍ଷୋଭ ସଭାରେ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ କର୍ମଚାରୀମାନଙ୍କ ମନୋବଳକୁ ଦୃଢ କରିବା ପାଇଁ ବକ୍ତବ୍ୟ ଦେଇ, ଆମ ଆଦମୀ ପାର୍ଟି କିପରି ଦିଲ୍ଲୀରେ ଶାସନ କ୍ଷମତାକୁ ଆସିବା ପରେ ୭୩ ପ୍ରତିଶତ ବିଦ୍ୟୁତ ଉପଭୋକ୍ତାଙ୍କୁ ମାସିକ ୨୦୦ ୟୁନିଟ ମାଗଣା ୨୪ଘଣ୍ଟା ବିଜୁଳି ପ୍ରଦାନ କରୁଛି, ଦିନରାତି କାମ କରୁଥିବା କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା କରିବା ସହ କମ୍ପାନୀର କିପରି ଲାଭରେ ଚାଲୁଛି ତାକୁ ବିଶ୍ଳେଷଣ କରି କେଜ୍ରିୱାଲ ସରକାରଙ୍କ ଭ୍ରଷ୍ଟାଚାର ମୁକ୍ତ ଶାସନ ଏବଂ ଲୋକଙ୍କ  ଟେକ୍ସର ସଦୁପଯୋଗ ଯୋଗୁଁ ଏହା  ସମ୍ଭବ ହୋଇପାରିଛି ବୋଲି ଦୃଢ ମତବ୍ୟକ୍ତ କରିଥିଲେ । ତେଣୁ ଜନସାଧାରଣ ସହଯୋଗ କଲେ ଆମ୍ ଆଦମୀ ପାର୍ଟି ଦ୍ବାରା ଓଡିଶାରେ ମଧ୍ୟ ବିଜୁଳି ସଂସ୍କାର ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ । ପରେ ଧାରଣାରତ ଅସ୍ଥାୟୀ କର୍ମଚାରୀଙ୍କ ଦାବିକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭରେ ପାର୍ଟିର ସକ୍ରିୟ ସଦସ୍ୟ ସୁଧୀର ପ୍ରଧାନ, ସି, ହରପ୍ରସାଦ, ପର୍ଶୁରାମ ସାହୁ, ଅଭିମନ୍ୟୁ ଦଳାଇ, ପ୍ରଶାନ୍ତ କୁମାର ନାୟକ, କୈଳାଶ ସେଠୀ, ଲିଙ୍ଗରାଜ ପଟ୍ଟନାୟକ, ଶିଶିର ପାତ୍ର, ରମେଶ ବେହେରା, କାଳୀ ଦାଶ, ମନୋଜ ମିଶ୍ର, ରାକେଶ କୁମାର, ପ୍ରିନ୍ସ ପାଣି, ମନୋଜ ବିଷୋୟୀ, ଲୋକନାଥ ପୂଜାରୀ ସମେତ ଅନେକ ଗଣସଂଗଠନର ସାମାଜିକ କର୍ମୀ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା