ଆମ୍ବୁଲାନ୍ସ ବିକ୍ରି ନେଇ ମୁହାଁମୁହିଁ ଖିଦମତର ଦୁଇ ଗୋଷ୍ଠୀ:ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦେଶ

ସମ୍ବଲପୁର: ଆମ୍ବୁଲାନ୍ସ ନେଇ ମୁସଲିମ ସାମାଜିକ ଏବଂ େଓ୍ଵଲଫେୟାର ସଂଗଠନ ଖିଦମତର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କ ଠାରୁ ଚାନ୍ଦା ସଂଗ୍ରହ କରି କ୍ରୟ କରାଯାଇଥିବା ଆମ୍ବୁଲାନ୍ସକୁ ଏହାର ସମ୍ପାଦକ ଏବଂ ସଭାପତି ବିକ୍ରୟ କରିଥିବା ନେଇ ଖିଦମତର ୧୦ ଜଣ ସଦସ୍ୟ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏ ନେଇ ତଦନ୍ତ ପାଇଁ ଏଡିଏମଙ୍କୁ ନିର୍ଦେଶ ହୋଇଛି। ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଏହି ଅଭିଯୋଗ ଅନୁଯାୟୀ, ଗରିବମାନଙ୍କୁ ସହାୟତା ପାଇଁ ୨୦୧୫ ମସିହାରେ ସାମାଜିକ ସଂଗଠନ ଖିଦମତର ପଞ୍ଜୀକରଣ ହୋଇଥିଲା। କୌଣସି ସରକାରୀ ସଂସ୍ଥା ଉପରେ ନିର୍ଭର ନକରି ମୁସଲିମ ସମାଜର ଲୋକଙ୍କ ଠାରୁ ଚାନ୍ଦା ସଂଗ୍ରହ କରାଯାଇ ଆମ୍ବୁଲାନ୍ସ କ୍ରୟ ହୋଇଥିଲା। ଏହି ଆମ୍ବୁଲାନ୍ସକୁ ତତକାଳୀନ ସମ୍ପାଦକଙ୍କ ନାଁରେ ପଞ୍ଜୀକରଣ କରାଯାଇ ଥିଲା।

୨୦୧୭ ମସିହାରେ ଜଣାପଡ଼ିଲା ଯେ,ଏହି ଆମ୍ବୁଲାନ୍ସକୁ ବିକ୍ରି କରାଯାଇଛି। ସଙ୍ଗଠନର ସଦସ୍ୟମାନଙ୍କୁ ପୂର୍ବ ସୂଚନା ବିନା ସଭାପତି ଏବଂ ସମ୍ପାଦକ ଆମ୍ବୁଲାନ୍ସ ବିକ୍ରି କରାଯାଇଥବାବେଳେ ବିକ୍ରି ଅର୍ଥ ବ୍ୟାଙ୍କରେ ଜମା କରାଯାଇ ନଥିବା ଅଭିଯୋଗ ହୋଇଥିଲା। ଏହି ଆମ୍ବୁଲାନ୍ସକୁ ପ୍ରଥମେ ଜଣେ ବ୍ୟକ୍ତି କ୍ରୟ କରିଥିବାବେଳେ ପରେ ଏହା ଯୁଯୁମୁରାର ରାଜନୈତିକ ଦଳର କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗ ହୋଇଛି। ଯଥାଶିଘ୍ର ଆମ୍ବୁଲାନ୍ସ ବିକ୍ରି ଅର୍ଥ ଖିଦମତ ଜମାଖାତାରେ ଜମା ପାଇଁ କୁହାଯାଇ ଥିଲା। ମାତ୍ର ବର୍ଷେ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଟଙ୍କା ଜମା ନହେବାରୁ ଏଥିପାଇଁ ସେମାନେ ଜିଲ୍ଲାପାଳଙ୍କୁ ଏ ନେଇ ଦ୍ୱାରସ୍ଥ ହୋଇଛନ୍ତି। ଜିଲ୍ଲାପାଳ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମହମ୍ମଦ ମୁଖତାର, ମହମ୍ମଦ ମୁନିର, ମହମ୍ମଦ ରାଜା, ଆତିଫ ଆଲମ, ମିରାଜ ଅହମଦ, ମହମ୍ମଦ ସୟୁକ୍ତ ଅଲି, ମହମ୍ମଦ ଇର୍ସାଦ, ମହମ୍ମଦ ଇମତିୟାଜ ଅଲ୍ଲି, ମହମ୍ମଦ ଫରମାନ ଅଲ୍ଲି ଏବଂ ମିରଜାୟା ମେହେମୁଦ ହୁସେନ ଏହି ଦାବି କରିଛନ୍ତି।
ବ୍ୟକ୍ତିଗତ ଅର୍ଥରେ କିଣିଥିବା ଆମ୍ବୁଲାନ୍ସକୁ ବିକ୍ରି: ଖିଦମତ ସମ୍ପାଦକ
ଖିଦମତ ସମ୍ପାଦକ ମହମ୍ମଦ ଜାବେଦ କହିଛନ୍ତି, ଏହି ଆମ୍ବୁଲାନ୍ସ ସେ ବ୍ୟକ୍ତିଗତ ଅର୍ଥରେ କ୍ରୟ କରି ଲୋକଙ୍କ ସେବାରେ ଲଗାଇଥିଲେ। ପରେ ଅର୍ଥର ଆବଶ୍ୟକତା ଥିବାରୁ ବିକ୍ରି କରିଦେଲେ। ଏଥିପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର ତାଙ୍କ ପାଖରେ ରହିଛି। ଖିଦମତରୁ କିଛି ବ୍ୟକ୍ତିଙ୍କୁ ବାହାର କରି ଦିଆଯାଇଥିବାରୁ ବ୍ୟକ୍ତିଗତ ଶତ୍ରୁତା ରଖି ସେମାନେ ଏଭଳି ଅଭିଯୋଗ କରିଛନ୍ତି।