ଆବାସ ଯୋଜନା ଗୃହ ଭାଙ୍ଗିବା ପରେ ବାରମ୍ବାର ଆକ୍ରମଣ : ୪ ଗୁରୁତରଙ୍କୁ ପଠାଗଲା ବାଲେଶ୍ୱର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଅଞ୍ଚଳର ବହୁ ଘଟଣାରେ ପୋଲିସ୍‌ର ନିଷ୍କସ୍ରିୟତା ପ୍ରକାଶ ପାଇ ଆସୁଥିବା ବେଳେ ଗତ ରାତିରେ ମରଣାନ୍ତକ ଆକ୍ରମଣ ଘଟଣା ଘଟିଛି । ପାରିବାରିକ ଜମି ଗଣ୍ଡଗୋଳକୁ ନେଇ ଦକ୍ଷିଣ ପ୍ରହରାଜପୁର ଗାଁର ପ୍ରମିଳା ବିଶ୍ୱାଳଙ୍କ ନିର୍ମାଣାଧିନ ଆବାସ ଯୋଜନାର ଘରକୁ ପ୍ରତିପକ୍ଷମାନେ ଭଂଗାରୋଜା କରିବା, ପ୍ରମିଳାଙ୍କ ପରିବାରକୁ ମାରଧର କରିବା ସତ୍ୱେ ରାଇବଣିଆ ପୋଲିସ୍ ଅଭିଯୋଗ ଗ୍ରହଣ କରିନଥିଲା । ଜଳେଶ୍ୱର ଏସ୍‌ଡିପିଓଙ୍କ ହସ୍ତକ୍ଷେପ ପରେ ଏକ ମାମଲା ରୁଜୁ ହୋଇଥିଲା । ନିର୍ମାଣାଧିନ ଆବାସ ଯୋଜନା ଭାଙ୍ଗି ଦେବା ପରେ ବିଛାଡି ପଡିଥିବା ଇଟାଗୁଡିକୁ ଗତ ଶୁକ୍ରବାର ସଂଧ୍ୟାରେ ପ୍ରମିଳା ବିଶ୍ୱାଳ, ସ୍ୱାମୀ ଜଗବନ୍ଧୁ ବିଶ୍ୱାଳ, ପୁଅ ଅଜୁ, ଝିଅ ତୁଳସୀ ପ୍ରମୁଖ ଠୁଳ କରୁଥିବା ବେଳେ ପ୍ରତିପକ୍ଷ ନିରଞ୍ଜନ ବିଶ୍ୱାଳ, ମୃତ୍ୟୁଞ୍ଜଳ ବିଶ୍ୱାଳ, ଦୀପକ ବିଶ୍ୱାଳ, ବାଦଲ ବିଶ୍ୱାଳ, ସୁସ୍ମିତା ବିଶ୍ୱାଳ, ଗୟାମଣି ବିଶ୍ୱାଳ, ବୁଦ୍ଧେଶ୍ୱର ବିଶ୍ୱାଳ ଓ ସେମାନଙ୍କ ସ୍ତ୍ରୀମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ପ୍ରମିଳା ବିଶ୍ୱାଳ, ଅଜୁ ବିଶ୍ୱାଳ ଓ ତୁଳସୀ ବିଶ୍ୱାଳ ଗୁରୁତର ଓ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ ହାତୀଗଡ ସିଏଚ୍‌ସି ଓ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଛନ୍ତି । ରାଇବଣିଆ ପୋଲସ୍ ୫୭/୨୦ରେ ମାମଲା ରୁଜୁ କରି ହାତଗୋଟାଇ ବସିଛି । ଏପରି ଏକ ସମବେଦନଶୀଳ ଘଟଣାର ଆଶୁ ସମାଧାନ କରିବାଲାଗି ବାଲେଶ୍ୱର ଜିଲା ଆରକ୍ଷୀ ଅଧିକ୍ଷକ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା