ଆନ୍ଧ୍ର ପୂର୍ବତନ ମୂଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସାରେ ପୋତି ଦେଲେ…

ବିଜୟୱାଡା(ସମୃଦ୍ଧ ଓଡିଶା)ବିଶ୍ୱରେ ଆତଙ୍କ ଖେଳି ଯାଇଥିବା ମହାମାରୀ କରୋନା ଭାଇରସ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ସମସ୍ତ ରାଜନୈତିକ ଦଳ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ପୂର୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏହାର ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳ ଏକଜୁଟ୍ ହେବା ଦେଖାଯାଉଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କେନ୍ଦ୍ର ସରକାରଙ୍କୁ ପୂର୍ଣ ସହଯୋଗ କରିବାକୁ କହିଥିବା ବେଳେ ରାହୁଲ ଗାନ୍ଧୀ ମଧ୍ୟ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ଆନ୍ଧ୍ର ପ୍ରଦେଶ ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ଟିଡିପି(ତେଲ୍‌ଗୁ ଦେଶମ ପାର୍ଟି) ନେତା ଚନ୍ଦ୍ର ବାବୁ ନାଇଡୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକଡାଉନ ଘୋଷଣା ଓ କରୋନା ଭାଇରସ ସଂକ୍ରମଣ ମୁକାବିଲା ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଛନ୍ତି। ଏଭିଳି ପରିସ୍ଥିତିର ମୁକାବିଲା କରିବା ପାଇଁ କୃଷକ ଓ ଆର୍ଥିକ ଅନଗ୍ରସରଙ୍କ ପାଇଁ ଠିକ୍‌ ସମୟରେ ୧.୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣାକୁ ସେ ସ୍ୱାଗତ କରିଛନ୍ତି। ଏଥିସହିତ ମୋଦି ସରକାରକୁ ମାନବିକତାର ସରକାର ବୋଲି ଚନ୍ଦ୍ରବାବୁ ନାଇଡୁ କହିଛନ୍ତି । ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ ଗତ ମାର୍ଚ୍ଚ ୨୨ରେ ‘ଜନତା କର୍ଫ୍ୟୁ’ଅତି ସଫଳତାର ସହ ପାଳିତ ହୋଇଥିବା ନେଇ ମୋଦିଙ୍କୁ ସେ ପ୍ରଶଂସା କରିଛନ୍ତି । ସେ ଚିଠିରେ ଲେଖିଛନ୍ତି “ ଭାରତ ତାର ବିଶାଳ ବିବିଧତା ସହିତ ଏକ ହୋଇ ପ୍ରଧାନ ମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବର୍ତ୍ତମାନ କୋଭିଡ୍-୧୯ ବିପଦକୁ ଟାଳିବାକୁ ପଡିବ । ଆମେ ନିଶ୍ଚିତ ଯେ ଆପଣଙ୍କ ଦକ୍ଷ ନେତୃତ୍ୱରେ ଭାରତ କରୋନାକୁ ସଫଳତାର ସହ ମୁକାବିଲା କରି ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିବ ବୋଲି କହିଛନ୍ତି ।” ସାରା ଦେଶ ଲକଡାଉନ ବେଳେ ସାଧାରଣ ଲୋକ କାମଧନ୍ଦା ନ ପାଇ ଭୋକ ଉପବାସରେ ରହୁଥିବ ସେଥିପାଇଁ ଠିକ ବେଳରେ ମୋଦୀ ଘୋଷଣା କରିଥିବା ପ୍ୟାକେଜ୍‌କୁ ପ୍ରଶଂସା କରି ନାଇଡୁ ଲେଖିଛନ୍ତି “ ସମାଜର ବିଭିନ୍ନ ବର୍ଗଙ୍କ ପାଇଁ ଘୋଷଣା ହୋଇଥିବା ଲକ୍ଷେ ୭୫ ହଜାର କୋଟି ପ୍ୟାକେଜ୍ ଉଚ୍ଚ ପ୍ରଶଂସନୀୟ । ଏଥିରେ କରୋନା ଯୋଦ୍ଧା ତଥା ସ୍ୱାସ୍ଥ୍ୟ କର୍ମୀ , ଡାକ୍ତରଙ୍କ ସମେତ ସାମ୍ବାଦିକ , ପୋଲିସ,ସଫେଇ କର୍ମଚାରୀ ମାନଙ୍କ ପାଇଁ ୫୦ ଲକ୍ଷର ଇନ୍‌ସୁରାନ୍ସ ଉଚିତ୍‌ ସମୟରେ ଆଣିଥିବାରୁ ଏହା ସେମାନଙ୍କ ବଳିଦାନର ସମ୍ମାନ ।”ଏଥିସହିତ କୃଷକଙ୍କ ପାଇଁ ଏକ୍ସ ଗ୍ରାସିଆ ଓ ଗରିବ ମହିଳାଙ୍କ ପାଇଁ ସିଲିଣ୍ଡର ବ୍ୟବସ୍ଥା, ସ୍ୱଳ୍ପ ଆୟ ବ୍ୟକ୍ତି ଓ ବରିଷ୍ଠ ନାଗରିକଙ୍କ ପାଇଁ ନେଇଥିବା ପଦକ୍ଷେପକୁ ମଧ୍ୟ ସ୍ୱାଗତ କରିଛନ୍ତି ନାଇଡୁ। ଯେମିତି କେହି ଭୋକ ଉପାସରେ ରହିବେ ନାହିଁ ସେ ନେଇ ସରକାରଙ୍କ ପଦକ୍ଷେପ ମାନବିକତାର ସରକାର ବୋଲି ପ୍ରମାଣିତ କରିଛି ବୋଲି ଚିଠିରେ ଲେଖିଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ।ସେ ଛିଠିରେ ଲେଖିଛନ୍ତି “ ଯେମିତି ସମସ୍ତଙ୍କୁ ପୋଷଣ ମିଳିବ ସେ ନେଇ ଡାଲିର ବିତରଣ କରିବା ଦୁରଦର୍ଶିତାକୁ ବୁଝାଉଛି। ମନରରେଗା ଅଧିନରେ ମଜୁରୀ ବଢ଼ାଇବା। ଭବିଷ୍ୟନିଧି ପାଣ୍ଠି ଜରିଆରେ ବିଭିନ୍ନ କର୍ମଚାରୀଙ୍କୁ ଲାଭ ଦେବା ମହିଳା ସ୍ୱୟଂ ସହାୟକ ଗୋଷ୍ଟି ପାଇଁ ଅତିରିକ୍ତ ଋଣ ଦେବା ଉଚିତ୍‌ ସମୟରେ ଏହିସବୁ ପଦକ୍ଷେପ ଦେଶର ଗରିବ ଓ ଦଳିଙ୍କୁ କୋଭିଡ-୧୯ ସହିତ ଲଢ଼ିବାକୁ ସହାସ ଯୋଗାଇବ।”ସେହିପରି ‍କ୍ଷୁଦ୍ର ଓ ଲଘୁ ଉଦ୍ୟୋଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଦୃଷ୍ଟିକୁ ସେ ତାରିଫ କରିଛନ୍ତି। ମୋଦିଙ୍କ ନେତୃତ୍ୱରେ ଭାରତ କେବଳ କୋଭିଡ୍-୧୯ ପରାଜୟ କରିନି ବରଂ ବିଶ୍ୱ ଅର୍ଥନୀତୀ ବଜାରରେ ନିଜ ସ୍ଥିତି କାଏମ ରଖିବ ଏହା ଆମର ଆଶା ବୋଲି ନାଇଡୁ ଲେଖିଥିବା ଜଣାପଡିଛି ।

ରିପୋର୍ଟ : ଏମ ଭି ରମଣ