ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଓ ଏକୋସ୍ ଚକ୍ଷୁ ଚିକିସ୍ଥାଳୟ ପକ୍ଷରୁ ଗତକାଲି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବ୍ଲକ କଲୋନୀ ଠାରୁ ବସଷ୍ଟାଣ୍ଡ, ମାଛ ବଜାର, ଠାକୁରାଣୀ ମନ୍ଦିର ଛକ ଏବଂ ଅନସ୍ଲୋ ହାଇ ସ୍କୁଲ ଦେଇ ମହାସଂଘର ଗୋଟିଏ ରାଲି ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ସଚେତନତା ସ୍ଲୋଗାନ ଦେଇ ଜିଲ୍ଲା ସଂସ୍କୃତି ଭବନ ଠାରେ ପହଞ୍ଚିଥିଲା । ଏହି ରାଲିକୁ ଛତ୍ରପୁର ଥାନା ଅଧିକାରୀ ସତ୍ୟ ପ୍ରଧାନ ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୧ ଉପଲକ୍ଷେ ଗଂଜାମ ଜ଼ିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୨୫୦ରୁ ଉର୍ଦ୍ଧ ଭିନ୍ନକ୍ଷମ ଲୋକମାନେ ଯୋଗଦାନ କରିଥିଲେ । ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓଙ୍କ ସଂଯୋଜନା ଓ ବ୍ରହ୍ମପୁରସ୍ଥିତ ଇକୋସ ଚକ୍ଷୁ ଚିକିସ୍ଥାଳୟର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା. ମିହିର କୁମାର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୋପାଳପୁର ପୋର୍ଟର ନିର୍ଦ୍ଦେଶକ କର୍ଣ୍ଣନେଲ ଦୀପକ ରାମପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାସଂଘର ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରି ଭିନ୍ନକ୍ଷମ ଲୋକମାନେ କୌଣସି ଗୁଣରେ କମ ନୁହନ୍ତି, ଯଦି ସେମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଏ ତେବେ ସେମାନେ ମଧ୍ୟ ଭାରତର ଅର୍ଥନୀତିରେ ଅଂଶୀଦାର ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ଯୋଗଦେଇ ଭିନ୍ନକ୍ଷମତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିବା ବେଳେ ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ଭାରତୀୟ ତଟରକ୍ଷା ବାହିନୀ ଗୋପାଳପୁର ୟୁନିଟର ସେନାନାୟକ କରନ କିଶୋର ଯୋଗ ଦେଇ ଭିନ୍ନକ୍ଷମମାନଙ୍କ ସଂଖ୍ୟା ଓ ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀର ସମ୍ପାଦିକା ତଥା ଗୋପଲପୁରସ୍ଥିତ ଇନର ଭୀଲ କ୍ଲବ ଅଫ ବ୍ରହ୍ମପୁର ବ୍ରାଇଟ୍ସର ସଭାନେତ୍ରୀ ସୀମା ଚୌଧୁରି ଯୋଗ ଦେଇ ଭିନ୍ନକ୍ଷମ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ଦଳମତ ନିର୍ବିଶେଷରେ ସମସ୍ତେ ଭିନ୍ନକ୍ଷମ ଲୋକମାନଙ୍କୁ ସହଯୋଗର ହାତ ବଢାଇବାକୁ ପଡିବ ବୋଲି କହିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ବିଜ୍ଞାନ ମହାବିଦ୍ୟାଳୟର ସହକାରି ଅଧ୍ୟାପକ ଡା. ସରୋଜ କୁମାର ଦାସ ଯୋଗ ଦେଇ ବିଶ୍ୱ ଭିନ୍ନକ୍ଷମ ଦିବସ ଓ ଭିନ୍ନକ୍ଷମତା ଉପରେ ଆଲୋକପାତ କରିଥିଲେ ଏବଂ ବିଶିଷ୍ଟ ସମାଜସେବୀ ଚନ୍ଦ୍ର ଶେଖର ଗୌଡ଼, ଗୋପାଳପୁର ପୋର୍ଟର ଏଭିବି (ଏଚ ଆର) ଚିତ୍ତରଂଜନ ବାହିନୀପତି ଓ ଅମିତ ମିଶ୍ରଙ୍କ ସମେତ ବହୁ ବଦାନ୍ୟ ବ୍ୟକ୍ତି ମାନେ ଯୋଗଦେଇ ଭିନ୍ନକ୍ଷମ ଲୋକମାନଙ୍କୁ ସମସ୍ତେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ସମର୍ଥ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିଵେକ୍ଷଣ କରିଥିବା ବେଳେ ଭିନ୍ନକ୍ଷମ ଛାତ୍ର ସୁଦର୍ଶନ ପାଢ଼ୀ, ଭିନ୍ନକ୍ଷମ ଛାତ୍ରୀ ଡି. ସରସ୍ଵତି ରେଡ୍ଡୀ ଓ ଏସ୍. ରାଜେଶ୍ୱରୀ ଓ ତପସ୍ବିନୀ ମଣ୍ଡଳ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ । ବିଶିଷ୍ଟ ଭିନ୍ନକ୍ଷମ ସମାଜସେବୀ ଅଭାଗା କୁମାର ସାହୁ ଓ ଶରତ ଚନ୍ଦ୍ର ମହାରଣାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଭିନନ୍ଦନୀକା ସହ ଉପଢୌକନ ସହ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସଂମ୍ମାନୀତ କରାଯାଇଥିଲା । ଶେଷରେ ମହାସଂଘର ସାଧାରଣ ସମ୍ପାଦକ ଡଃ. ରାଓ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା