ଆନ୍ତଃ-ବ୍ଲକ ସ୍ତରୀୟ ବିଜ୍ଞାନ ଭିତ୍ତିକ ୱେବିନାର୍ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାଂପ୍ରତିକ ଯୁଗ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯୁଗ, ତେଣୁ ବିଦ୍ୟାଳୟ ସ୍ତରରେ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ନିମନ୍ତେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର ନେଉଛନ୍ତି ଅନେକଗୁଡ଼ିଏ ଯୁଗାନ୍ତକାରୀ ପଦକ୍ଷେପ । ଏହି ପରିପ୍ରେକ୍ଷୀରେ ସି.ଆର୍.ସି.ସି ତଥା ବିଜ୍ଞାନ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପ୍ରକିତ ଏକ ଆଲୋଚନାଚକ୍ର ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ, ଅବିନାଶ ଶତପଥିଙ୍କ ଅଧ୍ୟକ୍ଷତାରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ୱେବିନାରରେ ଡ଼ଃ ବିଜୟା ପାତ୍ର, ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ, ଓସେପା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର, ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ତତ୍ ସହିତ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ, ଅମୂଲ୍ୟ କୁମାର ପଧାନ, ଆମନ୍ତ୍ରିତ ଅତିଥି ରୂପେ ଯୋଗଦାନ କରି ବିଦ୍ୟାଳୟରେ ବିଜ୍ଞାନ ଭିତ୍ତିକ ପାୱାର୍ ପଏଣ୍ଟ୍ ପ୍ରସ୍ତୁତି ଓ ବିଜ୍ଞାନ-କର୍ମଶାଳା ଆୟୋଜନ କରିବା ଉପରେ ନିଜର ସୁଚିନ୍ତିତ ମତାମତ ରଖିବା ସହ ବିଜ୍ଞାନ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସ୍ୱତଃପ୍ରବୃତ୍ତ ଭାବେ ଏଥିରେ ସମ୍ମିଳିତ ହେବା ପାଇଁ ଆହ୍ଵାନ ଜଣାଇଥିଲେ । ଏହି ୱେବିନାର୍ ରେ ସମ୍ବଳ ଶିକ୍ଷକ ରୂପେ ଯୋଗଦାନ କରିଥିଲେ, ଅଭିଜ୍ଞତା ସମ୍ପନ୍ନ ପ୍ରାକ୍ତନ ଗଞ୍ଜାମ ଜିଲ୍ଲା ବିଜ୍ଞାନ ନିରୀକ୍ଷକ, ପନ୍ନଗ ଭୂଷଣ ମାଝୀ ଓ ଗୋକୁଳ କୃଷ୍ଣ ପଣ୍ଡା । ଶ୍ରୀଯୁକ୍ତ ମାଝୀ ପାୱାର୍ ପଏଣ୍ଟ୍ ମାଧ୍ୟମରେ ବାର୍ଷିକ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମର ସୂଚୀ ପ୍ରଦାନ କରିବା ସହ ବିଜ୍ଞାନ କୁଇଜ୍, ଗଣିତ କୁଇଜ୍, ବିଜ୍ଞାନ ସେମିନାର୍, ସାଇନ୍ସ୍ ଡ୍ରାମା, ବିଜ୍ଞାନ ମେଳା, INSPIRE AWARD ତଥା ଜାତୀୟ ବିଜ୍ଞାନ ଦିବସ, ଜାତୀୟ ଗଣିତ ଦିବସ ଆଦି କାର୍ଯ୍ୟକ୍ରମରେ ଛାତ୍ର-ଛାତ୍ରୀମାନେ ଯୋଗ ଦେବା ପୂର୍ବରୁ କିପରି ପ୍ରସ୍ତୁତ ହେବେ, ତାହା ବିଶଦ ଭାବେ ଆଲୋଚନା କରିଥିଲେ । ଏତଦ୍ ଭିନ୍ନ science olympiad, mathematics olympiad ପରୀକ୍ଷା ସମ୍ପର୍କରେ ନିଜର ମତ ରଖିବା ସହ ପ୍ରତ୍ୟେକ ବିଦ୍ୟାଳୟରେ ବିଜ୍ଞାନ ପତ୍ରିକାର ଆରମ୍ଭ ଓ ବିଜ୍ଞାନ କ୍ଲବ୍ ଗଠନ ଉପରେ ଗୁରୁତ୍ବାରୋପ କରିଥିଲେ । ଏହା ପରେ ଗୋକୁଳ କୃଷ୍ଣ ପଣ୍ଡା ମହୋଦୟ, “ପିଲାଙ୍କର ଜାତୀୟ ବିଜ୍ଞାନ କଂଗ୍ରେସ୍” ବିଷୟରେ ନିଜ ଅଭିଜ୍ଞତା ବାଣ୍ଟିବା ସହ ଏଥିନିମନ୍ତେ କିପରି ପ୍ରାକ୍-ପ୍ରସ୍ତୁତି କରିବେ, କିପରି ପିଲାଙ୍କର ମନରେ ବୈଜ୍ଞାନିକ ମନୋବୃତ୍ତି ଓ ଗବେଷଣାତ୍ମକ ଆଗ୍ରହ ସୃଷ୍ଟି କରାଇ ହେବ ଏହି ସଂପର୍କରେ ନିଜର ଗୁରୁତ୍ଵପୂର୍ଣ୍ଣ ସୁଚିନ୍ତିତ ତଥା ସୃଜନଶୀଳ ମତାମତ ପୋଷଣ କରିଥିଲେ । ଏଥିସହ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗରର ବରିଷ୍ଠ ଵିଜ୍ଞାନ ଶିକ୍ଷକ, ଡ଼ଃ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏନଟିଏସ(NTS) ଓ ପିଏମଏସଟି(PMST) ପରୀକ୍ଷା ସଂପର୍କରେ ଛାତ୍ରଛାତ୍ରୀଙ୍କ ଅବଗତି ନିମନ୍ତେ ନିଜର ମତ ପ୍ରକାଶ କରିଥିଲେ । ପରିଶେଷରେ ଗଞ୍ଜାମ ଜିଲ୍ଲାରେ ନବ-ନିଯୁକ୍ତ ଜିଲ୍ଲା ବିଜ୍ଞାନ ନିରୀକ୍ଷକ, ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କୁ ସ୍ବାଗତ ଜଣାଇବା ସହ, ଯୋଗଦାନ କରିଥିବା ଛତ୍ରପୁର, ଗଞ୍ଜାମ ଓ ଖଲ୍ଲିକୋଟ୍ ବ୍ଲକର ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ସି.ଆର୍.ସି.ସି., MIS-cum-Planning Coordinator, ବିଜ୍ଞାନ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ଉକ୍ତ ୱେବିନାରର ପରିଚାଳକ ଅବିନାଶ ଶତପଥି କାର୍ଯ୍ୟକ୍ରମଟିର ପରିସମାପ୍ତି ଘୋଷଣା କରିଥିଲେ ।