ଆଦିବାସୀ ମହିଳା ୱାର୍ଡ ମେମ୍ବରଙ୍କୁ ଗାଳିଗୁଲଜ ମାମଲା : ୫ଜଣଙ୍କ ନାମରେ ଏଫଆଇଆର ରେଜିଷ୍ଟ୍ରି…

ପଦ୍ମପୁର (ସମୃଦ୍ଧ ଓଡିଶା) ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଜଗଦଳପୁର ଥାନା ଅନ୍ତର୍ଗତ ବାଦିକଟା ଗ୍ରାମର ଜନୈକ ଆଦିବାସୀ ମହିଳା ଶ୍ରୀମତୀ ଜୟ କୁମାରୀ ମାଝୀଙ୍କୁ ତାଙ୍କ ଘର ସାମନାରେ ଅସୌଜନିକ ବ୍ୟବହାର ପ୍ରଦର୍ଶନ ସହ ଟଣା ଓଟରା କରିଥିବା ନେଇ ଶ୍ରୀମତୀ ମାଝୀ ଥାନାରେ ରିପୋର୍ଟ ଦେବା ପରେ ବାଦିକଟା ଗ୍ରାମ ପଞ୍ଚାୟତ ସରପଞ୍ଚ ଡମ୍ବରୁଧର ପ୍ରଧାନଙ୍କ ସମେତ ୫ ଜଣଙ୍କ ନାମରେ ଜଗଦଳପୁର ଥାନାରେ ମାମଲା ରୁଜୁ ହୋଇଛି । ଘଟଣାରୁ ଜଣା ଯାଇଛି ଯେ, ଗ୍ରାମରେ ଏକ ଟ୍ରନ୍ସଫମର ପୋଡି ଘଟଣାକୁ ନେଇ ଶ୍ରୀମତୀ ମାଝୀଙ୍କ ସ୍ୱାମୀ କୁଞ୍ଜି ବିହାରୀ ମାଝୀଙ୍କ ସହ ବିବାଦ ହେବା ପରେ ସରପଞ୍ଚ ସମେତ ଗ୍ରାମର କେତେକ ବ୍ୟକ୍ତି ଶ୍ରୀମତୀ ମାଝୀଙ୍କ ଘରକୁ ଯାଇ ଝଗଡା କରିବା ସହ ଶ୍ରୀମତୀ ମାଝୀଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଟଣା ଓଟରା କରିବା ପରେ ଥାନାରେ ରିପୋର୍ଟ ହୋଇଥିଲା । ଶ୍ରୀମତୀ ମାଝୀଙ୍କ ରିପୋର୍ଟକୁ ଆଧାର କରି ଜଗଦଳପୁର ପୋଲିସ ସରପଞ୍ଚ ଡମ୍ବରୁଧର ପ୍ରଧାନଙ୍କ ସମେତ ସର୍ବ ପ୍ରକାଶ ପ୍ରଧାନ, ଶରତ ପ୍ରଧାନ, ନରେନ୍ଦ୍ର ପ୍ରଧାନ, ଅଶୋକ ପ୍ରଧାନ ଆଦିଙ୍କ ନାମରେ ପିଏସ କେଶ ନମ୍ବର ୧୧୪, ୨୫-୮-୨୦୨୦ ଅନୁଯାୟୀ ଆଇପିସି ଧାରା ୪୫୨, ୨୯୪, ୩୫୪, ୫୦୬ ଓ ୩ ଏସସି/ଏସଟି ଧାରାରେ କେଶ୍ ରେଜିଷ୍ଟ୍ରି ହୋଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଶ୍ରୀମତୀ ଜୟ କୁମାରୀ ମାଝୀ ବାଦିକଟା ଗ୍ରାମ ପଞ୍ଚାୟତର ୱାର୍ଡ ମେମ୍ବର ସହ ବାଦିକଟା ଗ୍ରାମ ପଞ୍ଚାୟତ ମହିଳା ଏସ୍ ଏସ୍ ଏସ୍ ଜି ସଂଘର ସଭାନେତ୍ରୀ ଅଛନ୍ତି । ଗ୍ରାମ ପଞ୍ଚାୟତରେ ମଦ ବିରୋଧୀ ଆନ୍ଦୋଳନର ଶ୍ରୀମତୀ ମାଝୀ ନେତୃତ୍ୱ ନେବା ବେଳେ ମଧ୍ୟ ଗ୍ରାମର ଏହି ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଶରବ୍ୟର ଶିକାର ହୋଇଥିଲେ । ୨୦୧୯ ମସିହାରେ ମଧ୍ୟ ଶ୍ରୀମତୀ ମାଝୀଙ୍କ ଉପରେ ହୋଇଥିବା ଗଣ୍ତଗୋଳ ଉପରେ ଜଗଦଳପୁର ଥାନାରେ ୨୦୧୯ ମସିହାରେ କେଶ ନଂ ୨୪ରେ ମାମଲା ରୁଜୁ ହୋଇଥିଲା । ତତ୍କାଳୀନ ପଦ୍ମପୁର ଏସଡିପିଓଙ୍କ ସହ ସଲାସୁତୁରା କରି ଉକ୍ତ କେଶକୁ ପୋଲିସ ଫାଇନାଲ ରିପୋର୍ଟ କରିଥିବା ଶ୍ରୀମତୀ ମାଝୀ ଉଲ୍ଲେଖ କରି ଯଦି ଏଥର ପୋଲିସ ତାଙ୍କୁ ନ୍ୟାୟ ପ୍ରଦାନ ନ କରେ ତେବେ “ନବୀନ ନିବାସ” ସାମନାରେ ଆମରଣ ଅନଶନ କରିବେ ବୋଲି କହିଛନ୍ତି ।

ରିପୋର୍ଟ – ନିରୋଜ କୁମାର ପାଣୀ