ଆଦିବାସୀ ଇଲାକାରେ ବିନା ବିବରଣୀରେ ଉନ୍ନୟନ କାମ : ଆଦିବାସୀ ଲୋକଙ୍କୁ ଠକିବା ଛଡା ଆଉ କ’ଣ…

ଛତ୍ରପୁର (ସମୃଦ୍ଧ ଓଡିଶା) କୁକୁଡାଖଣ୍ଡି ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି । ସରକାରଙ୍କ ନିର୍ଦେଶ ଅନୁଯାଇ ଯେ କୌଣସି କାର୍ଯ୍ୟ କରା ଗଲେ ତାହା କେଉଁ ଅନୁଦାନରୁ ମଞ୍ଜୁର ହୋଇଛି , କେତେ ଟଙ୍କା ମଞ୍ଜୁର ହୋଇଛି , କାମ ନେଇଥିବା କଣ୍ଟ୍ରାକ୍ଟରଙ୍କ ନାମ କ’ଣ, କାମ କେବେ ଆରମ୍ଭ ହେଲା , କେବେ ସରିବା ଆଦି ସମସ୍ତ ପ୍ରକାର ବିବରଣୀ ଲେଖିବାକୁ ନିୟମ ରହିଥିବା ବେଳେ ସିମେଣ୍ଟ ଫଳକ ତିଆରି କରି ତାକୁ ଖାଲି ଛାଡି ଦେଉଥିବା ଦୁର୍ନୀତିକୁ ଘଣ୍ଟା ଘୋଡ଼ାଇଲା ଭଳି ନୁହେଁ କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । କାମ ଚାଲିଥିବା ବେଳେ ଏହା ଲେଖା ହେଲେ କାଳେ ହୁଏତ କେହି ଅଭିଯୋଗ କରିଦେବ ବୋଲି ଭୟରେ ଦୁର୍ନୀତିକୁ ଲୁଚାଇବା ପାଇଁ ଏହା କରାଯାଉଛି ବୋଲି ଅଭିଯୋଗ ହେଉଛି । ତେବେ ଏଭଳି ବିସ୍ତୃତ ବିବରଣୀ ନ ଲେଖିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ସେମାନଙ୍କ ବିଲ କେମିତି ପୈଠ କରୁଛନ୍ତି ବୋଲି ପ୍ରଶ୍ନ ଉଠୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଏଥିରେ ଭାଗ ରହୁଥିବା ସନ୍ଦେହ ଘେରକୁ ଆସିଯାଉଛି । କୁକୁଡାଖଣ୍ଡି ମୁଖ୍ୟାଳୟରେ ଏଭଳି ଦୁର୍ନୀତି ଦେଖା ଦେଇଥିବା ଜଣା ପଡିଛି । ଆଦିବାସୀ ଅଞ୍ଚଳରେ ସମସ୍ତ କାମରେ ଏଭଳି ଠକୁଥିବା ନଜରକୁ ଆସିଛି । ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି ପ୍ରଶାସନ ନାମରେ ସରକାର କାର୍ଯ୍ୟ କରିବା ପାଇଁ ଆଦେଶ ଦେବା ଫଳରେ ବିଭାଗୀୟ ଯନ୍ତ୍ରୀମାନେ ସିଧାସଳଖ ନିଜ ପିସି କାଟିନେଇ ବାକି ଟଙ୍କା ଠିକାଦାରକୁ ଦେଉଛନ୍ତି । ଅନ୍ୟପକ୍ଷରେ ବାଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧୁଶୀତ କୁମ୍ଭୀଝରି ଗ୍ରାମରେ ପୋଖରୀ ମରାମତି କାମରେ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି । ବ୍ଲକର କନିଷ୍ଠ ଯନ୍ତ୍ରୀ କୈଳାଶ ପାତ୍ର ଏହାର ତଦାରଖ ଦାୟିତ୍ୱରେ ଥିବାବେଳେ ବିନା ନାମଫଳକରେ ଦୀର୍ଘଦିନ ହେବ କାମ ଚାଲିଛି । ଏଥିପ୍ରତି କାହାର ଦୃଷ୍ଟି ନାହିଁ କି ନିଘା ନାହିଁ । କେଉଁ ଫଣ୍ଡ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହା ଜନସାଧାରଣଙ୍କ ଠାରୁ ସମ୍ପୂର୍ଣ ଦୂରରେ ରଖି କାମ ଚାଲି ଥିବା ଅଭିଯୋଗ ହେଉଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା