ଆଜି ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ…

ପୁରୀ (ସମୃଦ୍ଧ ଓଡ଼ିଶା) ଆଜି ପବିତ୍ର ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନା ଅଳଙ୍କାରରେ ଆଭୁଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି । ତେବେ ଚର୍ମଚକ୍ଷୁରେ କରୋନା କଟକଣା ଯୋଗୁ ପୁରୀକୁ ଯାଇ କାଳିଆ ସାଆନ୍ତଙ୍କ ଦର୍ଶନ କରି ପାରିବେ ନାହିଁ ଭକ୍ତ । କେବଳ ଟିଭି ମାଧ୍ୟମରେ ଦେଖିପାରିବେ ମହାବାହୁଙ୍କ ସୁନା ବେଶ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଏବଂ ପୁରୀରେ ଜାରି ହୋଇଥିବା କର୍ଫ୍ୟୁ କୋହଳ କରାଯାଇଛି । ଆଜି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ତେବେ ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ତିନି ରଥରେ ଠାକୁର ଥିବାରୁ ଆଜି ଦିନତମାମ ସିଂହଦ୍ୱାର ସମ୍ମୁଖରେ କର୍ଫ୍ୟୁ ରହିବ ।  ମାର୍କେଟ୍ ଛକରୁ ସିଂହଦ୍ୱାର ଯାଏ କର୍ଫ୍ୟୁ ଲାଗୁ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, କରୋନା ମହାମାରୀ ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବଡ଼ ଦାଣ୍ଡକୁ ଆସି ସାରା ବିଶ୍ୱକୁ ଦର୍ଶନ ଦେଇ ବାହୁଡ଼ିଛନ୍ତି ଶ୍ରୀଜିଉ ।  ଶୃଙ୍ଖଳିତ ବାହୁଡ଼ା ଯାତ୍ରା ଲାଗି ମୁତୟନ ହୋଇଥିଲେ ୭୦ ପ୍ଲାଟୁନ୍ ଫୋର୍ସ । ଏହାସହ ପୁରୀ ସମେତ ରାଜ୍ୟ ତଥା ରାଜ୍ୟ ବାହାରର କୌଣସି ଶ୍ରଦ୍ଧାଳୁ ଯେପରି ଶ୍ରୀକ୍ଷେତ୍ରକୁ ନ ଆସନ୍ତି, ସେଥିପାଇଁ କର୍ଫ୍ୟୁ ଜାରି କରାଯିବ ସହ ପୋଲିସ ପକ୍ଷରୁ ନଜର ରଖାଯାଇଥିଲା । ଘୋଷଯାତ୍ରା ଭଳି ବାହୁଡ଼ା ପାଇଁ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ନୀତି ସହ ଜଡ଼ିତ ମାତ୍ର ୧୦ ଜଣ ଲେଖାଏଁ ସେବାୟତ ୩ ରଥରେ ବସିଥିବାବେଳେ ପ୍ରତି ରଥ ଟାଣିଥିଲେ ୫ ଶହ ସେବାୟତ ।  ବର୍ତ୍ତମାନ ସମସ୍ତ ନୀତିକାନ୍ତି ସହ ଶୃଙ୍ଖଳିତ ଭାବେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି ।