ଆଜି ପବିତ୍ର ଚୈତ୍ର ମାସ ପ୍ରଥମ ମଙ୍ଗଳବାର ମା’ ତାରାତାରିଣୀ ଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜିଠାରୁ ଆରମ୍ଭ ହୋଇଛି ଚୈତ୍ର ମାସ ପ୍ରଥମ ପାଳି ମଙ୍ଗଳବାର ତଥା ମା ତାରାତାରିଣୀଙ୍କ ଚୈତ୍ର ପର୍ବ । ମା ତାରାତାରିଣୀ ପୀଠ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ । ମା’ଙ୍କ ପିଠରେ ଚୈତ୍ର ମେଳାର ବିଶେଷ ପ୍ରଧାନ୍ୟ ରହିଛି । ମା’ ତାରାତାରିଣୀ ପୀଠରେ ପାଳନ କରାଯାଉଥିବା ପର୍ବଗୁଡ଼ିକ ମଧ୍ୟରୁ ଚୈତ୍ର ମାସ ମଙ୍ଗଳବାର ମହୋତ୍ସବ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ପ୍ରତ୍ୟେକ ଚୈତ୍ର ମାସର ମଙ୍ଗଳବାରରେ ଧୂମଧାମରେ ପୂଜା ପାଳନ କରାଯାଇଥାଏ । ମା’ଙ୍କ ଦର୍ଶନ ପାଇଁ ମନ୍ଦିର ସକାଳ ୫ ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରଖାଯାଇଥାଏ । ଏହି ଚୈତ୍ର ମାସ ମଙ୍ଗଳବାର ଯାତ୍ରା ଅବସରରେ ମା’ଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତ ସୋମବାର ରାତିରୁ ଉପର-ପାହାଡ ଏବଂ ତଳ ମନ୍ଦିର କମ୍ପ୍ଲେକ୍ସରେ ଏକତ୍ରିତ ହୋଇଥାନ୍ତି । ଚୈତ୍ର ଦ୍ୱିତୀୟ ଏବଂ ତୃତୀୟ ମଙ୍ଗଳବାର ସବୁଠାରୁ ଶୁଭ ଦିନ ଭାବରେ ବିବେଚନା କରାଯାଏ । ତେଣୁ ଏହି ଦିନରେ ବହୁ ସଂଖ୍ୟାରେ ଭକ୍ତ ଏକତ୍ରିତ ହୋଇଥାନ୍ତି । ପୂଜାପାଠ ଏବଂ ଭକ୍ତଙ୍କ ଦ୍ୱାରା ବିଜ ପ୍ରତୀମା ପାଇଁ ବିଜ ପିଠରେ ରଖାଯାଇଥିବା ଦେବତାମାନଙ୍କର ଚଲାଣ୍ଟି ପ୍ରତୀମାକୁ ଅର୍ପଣ କରାଯାଇଥାଏ । କେଶ ଅର୍ପଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ମହାମାରୀ କରୋନା ଭୁତାଣୁ ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଲଗାଯାଇଛି । ସମ୍ପୂର୍ଣ୍ଣ କୋଭିଡ଼୍‌ କଟକଣା ଭିତରେ ମା’ଙ୍କ ଏହି ଯାତ୍ରା ଆରମ୍ଭ କରାଯାଇଛି । ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ପ୍ରତି ସୋମବାର ଦିନ ତାରାତାରିଣୀ ମନ୍ଦିରର ସମସ୍ତ ସେବାୟତଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ । ଗତକାଲି ୪୯ଜଣ ସେବାୟତଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଛି । ସବୁ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି । ଗତବର୍ଷ କରୋନାର ପ୍ରକୋପ ଲାଗି ମା ତାରାତାରିଣୀଙ୍କ ଚୈତ୍ର ପର୍ବ ଦୁଇ ପାଳି ପରେ ଆଉ ହୋଇପାରି ନ ଥିଲା । ଭକ୍ତଙ୍କ ବିନା କେବଳ ମା’ଙ୍କ ନୀତିକାନ୍ତି ପାଳିତ ହୋଇଥିଲା । ଚଳିତ ବର୍ଷ ମଧ୍ୟ କୋଭିଡ଼ର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହୋଇ ଯାଇଥିବାବେଳେ ମା’ଙ୍କ ଯାତ୍ରା କିଭଳି ସୁରୁଖୁରରେ ସମ୍ପନ୍ନ ହେବ ତାହାକୁ ନେଇ ପ୍ରଶାସନର ଚିନ୍ତା ବଢିଛି । ଏ ବର୍ଷ ଚୈତ୍ର ମାସରେ ୫ଟି ମଙ୍ଗଳବାର ପଡ଼ୁଛି । ମାର୍ଚ୍ଚ ୩୦, ଏପ୍ରିଲ ୬, ୧୩, ୨୦ ଓ ୨୭ତାରିଖରେ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ହେବ । ମା’ଙ୍କ ଯାତ୍ରାକୁ ସମ୍ପୂର୍ଣ୍ଣ କୋଭିଡ଼୍‌ କଟକଣା ଭିତରେ ପାଳନ ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି । ତାରାତାରିଣୀ ଯିବାକୁ ଥିବା ୪ ପ୍ରବେଶପଥ ତାରାତାରିଣୀ ଛକ, କେଶପୁର ଛକ, ବଡ଼ମାଧପୁର ରାସ୍ତା ଓ ରାୟପୁରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । କୌଣସି ଖାଦ୍ୟ ପଦାର୍ଥ ତାରାତାରିଣୀଙ୍କ ନିକଟକୁ ଦିଆଯିବ ନାହିଁ । ତାରାତାରିଣୀ ହିଲ୍ ଟପ୍‌ କିମ୍ବା ତଳେ ‌କୌଣସି ‌ଭୋଜି ହୋଇପାରିବ ନାହିଁ । କୌଣସି ଶ୍ରଦ୍ଧାଳୁ ଶଗଡ଼ ଗାଡ଼ିରେ ଆସିପାରିବେ ନାହିଁ । ଡ଼ାଲା ଅଟୋ, ଟ୍ରାକ୍ଟର, ଟ୍ରକ ଆଦିରେ ଯାତ୍ରୀ ପରିବହନ ହୋଇପାରିବ ନାହିଁ । ପୁରୁଷୋତ୍ତମପୁର ସ୍ଥିତ କାଳୀମନ୍ଦିର ଛକ ନିକଟରେ ଯାଞ୍ଚକୁ କଡ଼ାକଡ଼ି କରାଯିବ । ଯାତ୍ରୀ ପରିବହନ କରୁଥିବା ବସ୍‌ ଗୁଡ଼ିକ ମଧ୍ୟ ସିଟ ଅନୁଯାୟୀ ଯାତ୍ରୀ ଆଣିବେ । ଓଭର ଲୋଡ଼ି କରି ଯାତ୍ରୀ ଆଣିପାରିବେ ନାହିଁ । ଆରଟିଓ ତାହା ଯାଞ୍ଚ କରିବେ । ତାରାତାରିଣୀ ମନ୍ଦିର ହିଲ୍‌ ଟପ୍‌ ଏବଂ ତଳ ସିଂହଦ୍ବାରା ନିକଟରେ ସମନ୍ବିତ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଛି । ଏହି କଣ୍ଟ୍ରୋଲ ରୁମ୍‌ରେ ସିସିଟିଭି ସେର୍ଭଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ପାନୀୟ ଜଳ, ସ୍ୱାସ୍ଥ୍ୟ, ବିଜୁଳି ଓ ପୋଲିସ ଆଦି ସମସ୍ତ ବିଭାଗୀୟ ଅଧିକାରୀ ରହି‌ଛନ୍ତି । କୌଣସି ବ୍ୟକ୍ତି କିମ୍ବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅନ୍ନ ପ୍ରସାଦ ବଣ୍ଟନ ଓ ବିକ୍ରି କରିପାରିବେ ନାହିଁ । ମା’ଙ୍କ ମନ୍ଦିର(ହିଲ୍‌ ଟପ୍‌)କୁ ଯିବା ଲାଗି ପ୍ରଶାସନ ପକ୍ଷରୁ ୧୦ଟି ବସ୍‌ ବ୍ୟବସ୍ଥା ହୋଇଛି । ପ୍ରତି ଯାତ୍ରୀ ପିଛା ଟିକେଟ୍‌ ୬୦ଟଙ୍କା ଧାର୍ଯ୍ୟ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଏସ୍‌ପି ବ୍ରିଜେଶ କୁମାର ରାଏ ଓ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଗତକାଲି ତାରାତାରିଣୀ ଯାଇ ତଦାରଖ କରିଛନ୍ତି । ମା’ ତାରତାରିଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ଲାଗି ପ୍ରଶାସନ ସମସ୍ତ ପଦକ୍ଷେପ ନେଇଛି । ତାରତାରିଣୀଙ୍କ ଏହି ଯାତ୍ରାରେ ୧୦ଜଣ ନିର୍ବାହୀ ମାଜିଷ୍ଟ୍ରେଟ୍‌ ଓ ୬ଜଣ ସୁପରଭାଇଜର ଅଫିସରଙ୍କୁ ମୁତୟନ କରାଯାଇଛି । ଏହାସହ ଗଞ୍ଜାମ ପୋଲିସ ପକ୍ଷରୁ ଗହଳି ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୦ ପ୍ଲାଟୁନ୍‌ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଇଛି । ଏଥିସହ ୮ ପ୍ଲାଟୁନ (୧୬୨ଜଣ) କନଷ୍ଟେବଳ ଓ ୯ ପ୍ଲାଟୁନ୍‌(୧୮୦) ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି । ୩ଜଣ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି, ୧୨ଜଣ ଇନ୍ସପେକ୍ଟର, ୧୪ଜଣ ସବ୍‌ ଇନ୍ସପେକ୍ଟର, ୬୨ଜଣ ଏଏସ୍‌ଆଇ ଓ ୧୦ଜଣ ହାବିଲଦାରଙ୍କୁ ମୁତୟନ କରାଯାଇଥିବା ଜଣାପଡିଛି ।